ଆନ୍ଧ୍ର ଯୋଜନା ଓଡ଼ିଶାଠୁ ଭଲ କହିଲେ ସୀମାନ୍ତବାସୀ, ଅଣ୍ଡା ବାଣ୍ଟି ନପାରି ଫେରିଲେ ଦିଦି

author img

By

Published : Oct 14, 2021, 10:43 PM IST

ଆନ୍ଧ୍ର ଯୋଜନା ଓଡ଼ିଶାଠୁ ଭଲ କହିଲେ ସୀମାନ୍ତବାସୀ

ସୀମାକୁ ନେଇ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ଦୀର୍ଘ ଦିନ ହେଲା ବିବାଦ ଜାରି ରହିଛି । ଏହାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଏପଟେ ଗଜପତି ଜିଲ୍ଲା ଗଙ୍ଗାବାଡ ପଞ୍ଚାୟତ ଗୁଡୁଖୁଡି ଗାଁର ଅଙ୍ଗନବାଡି କର୍ମୀଙ୍କୁ ଅଣ୍ଡା ବାଣ୍ଟିବାକୁ ଦେଲେ ନାହିଁ ଲୋକେ । ଅଧିକ ପଢ଼ନ୍ତୁ...

ଗଜପତି: ସୀମାକୁ ନେଇ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ଦୀର୍ଘ ଦିନ ହେଲା ବିବାଦ ଜାରି ରହିଛି । ଏହାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଫଳରେ ଆନ୍ଧ୍ର ବାରମ୍ବାର ସୀମା ଭିତରକୁ ପ୍ରବେଶ କରୁଥିବା ଅଭିଯୋଗ ହୋଇଛି । ଏବେ ସ୍ଥିତି ସରକାରଙ୍କ ହାତରୁ ଖସି ଯାଇଥିବା ଭଳି ମନେ ହେଉଛି । ଗଜପତି ସୀମାନ୍ତ ଲୋକେ ଆନ୍ଧ୍ର ମୁହାଁ ହେଉଥିବା ଦେଖା ଦେଇଛି । ଆନ୍ଧ୍ର ସରକାର ଅଧିକ ସହାୟତା କରୁଥିବାରୁ ଆନ୍ଧ୍ରରେ ହିଁ ରହିବେ ବୋଲି କହୁଛନ୍ତି ସୀମାନ୍ତ ଗାଁ ଲୋକେ । ସେପଟେ ସୀମାନ୍ତବାସୀଙ୍କ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା କଥା କହୁଛି ପ୍ରଶାସନ ।

ଆନ୍ଧ୍ର ଯୋଜନା ଓଡ଼ିଶାଠୁ ଭଲ କହିଲେ ସୀମାନ୍ତବାସୀ


ବର୍ତ୍ତମାନ ସୁଦ୍ଧା ଆନ୍ଧ୍ର ସରକାର ଓଡ଼ିଶା ସୀମାରେ ଅନୁପ୍ରବେଶ କରିବାକୁ ପ୍ରୟାସ ଆଲୋଚନା ହେଉଥିଲା । ଏବେ ଓଡ଼ିଶା ଲୋକେ ଆନ୍ଧ୍ର ମୁହାଁ ହେଉଥିବା ଖବର ସାମ୍ନାକୁ ଆସୁଛି । ଗଜପତି ଜିଲ୍ଲା ଗଙ୍ଗାବାଡ ପଞ୍ଚାୟତ ଗୁଡୁଖୁଡି ଗାଁର ଅଙ୍ଗନବାଡି କର୍ମୀ ପ୍ରତିମାସ ଭଳି ଗତକାଲି (ବୁଧବାର) ମଧ୍ୟ ପିଲା ଓ ମାଆଙ୍କ ପାଇଁ ଘରକୁ ଘର ବୁଲି ଅଣ୍ଡା ବାଣ୍ଟୁଥିଲେ । ତେବେ ଏହି ସମୟରେ ଗାଁର କିଛି ଲୋକେ ଏହାର ପ୍ରତିବାଦ କରିବା ସହ ସମସ୍ତଙ୍କୁ ଅଣ୍ଡା ଫେରାଇବା ପାଇଁ ତାଗିଦ କରିଥିଲେ । ଫଳରେ ଲୋକେ ନେଇଥିବା ଅଣ୍ଡା ଫେରାଇ ଦେଇଥିଲେ । ଖାଲି ସେତିକି ନୁହେଁ ସଂପୃକ୍ତ ଅଙ୍ଗନବାଡି କର୍ମୀଙ୍କୁ ଆଉ ଗାଁକୁ ନଆସିବା ପାଇଁ ମଧ୍ୟ ଧମକ ଦେଇଥିଲେ ଗ୍ରାମବାସୀ । ସେଠାରୁ ଫେରି ଆସି ଆଜି ଅଡ଼ବା ଥାନାରେ ଏତଲା ଦେଇଛନ୍ତି ଅଙ୍ଗନବାଡ଼ି କର୍ମୀ ।

ଏଭଳି ଘଟଣା ପରେ ରାୟଗଡ଼ ଅତିରିକ୍ତ ତହସିଲଦାର ଏବଂ ଗାରାବନ୍ଧ ଥାନା ପୋଲିସ ପହଞ୍ଚି ଗାଁ ଲୋକମାନଙ୍କୁ ବୁଝାଇବା ସହ ଏଭଳି ନକରିବାକୁ ଅନୁରୋଧ କରିଥିଲେ । ହେଲେ ଗ୍ରାମବାସୀ ଓଡ଼ିଶାର କୌଣସି ସାମଗ୍ରୀ ନେବେ ନାହିଁ ବୋଲି ରୋକ୍‌ଠୋକ୍‌ କହିଛନ୍ତି । ଆନ୍ଧ୍ର ସରକାର ତାଙ୍କୁ ସମସ୍ତ ସୁବିଧା ଦେଉଥିବାରୁ ସେମାନେ ଆନ୍ଧ୍ର ଦେଉଥିବା ସାମଗ୍ରୀ ନେବେ ବୋଲି କହିଛନ୍ତି ।

ଓଡ଼ିଶାର କୌଣସି ପ୍ରଶାସନିକ ଅଧିକାରୀ ଗାଁକୁ ଆସୁନାହାନ୍ତି କି ସୁବିଧା ଅସୁବିଧା ବୁଝୁନାହାନ୍ତି । ଆନ୍ଧ୍ରର ଅଧିକାରୀମାନେ ଗାଁକୁ ଆସି ଲୋକଙ୍କ ସୁଖଦୁଃଖ ବୁଝିବା ସହ ଘରକୁ ଆଣି ଆବଶ୍ୟକ ସାମଗ୍ରୀ ଦେଉଛନ୍ତି । ଖାଲି ସେତିକି ନୁହେଁ, ଆନ୍ଧ୍ର ଦେଉଥିବା ଯୋଜନା ଓଡ଼ିଶାର ଯୋଜନାଠାରୁ ଢେର ଭଲ ବୋଲି କହିଛନ୍ତି ଗ୍ରାମବାସୀ । ତେଣୁ ସେମାନେ ଆନ୍ଧ୍ରକୁ ସହଯୋଗ କରିବେ । ସେପଟେ ଏହି ଅଞ୍ଚଳର ଲୋକଙ୍କୁ ସମସ୍ତ ସରକାରୀ ସୁବିଧା ଯୋଗାଇ ଦିଆଯାଇଛି । ଭବିଷ୍ୟତରେ ମଧ୍ୟ ସମସ୍ତ ସରକାରୀ ସୁବିଧା କିଭଳି ମିଳିବ ସେନେଇ ପଦେକ୍ଷପ ଗ୍ରହଣ କରାଯାଉଥିବା କଥା କହିଛନ୍ତି ସରକାରୀ ଅଧିକାରୀ ।

ସୀମାକୁ ନିଜ ଅକ୍ତିଆରକୁ ନେବା ପାଇଁ ଆନ୍ଧ୍ର ସମସ୍ତ ପ୍ରକାର ଉଦ୍ୟମ କରୁଛି । ଓଡ଼ିଶା ସରକାର କିନ୍ତୁ ନିଦାବିଷ୍ଣୁ ସାଜିଛନ୍ତି । ଗଜପତି ସୀମାନ୍ତ ଅଞ୍ଚଳବାସୀ ଏବେ ଆନ୍ଧ୍ର ମୁହାଁ ହେଲେଣି । ଓଡ଼ିଶା ସରକାର କେବେ ଏହି ସ୍ଥିତିକୁ ବୁଝିବେ ତାହାରି ଉପରେ ସଭିଁଙ୍କ ନଜର ।

ଗଜପତିରୁ ହରିହର ପଟ୍ଟନାୟକ, ଇଟଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.