ସୀମା ବିବାଦ, ଓଡ଼ିଶାରେ ଅସ୍ଥାୟୀ ଅଙ୍ଗନବାଡି ଖୋଲିଲା ଆନ୍ଧ୍ର

author img

By

Published : Sep 8, 2021, 2:32 PM IST

Updated : Sep 8, 2021, 2:54 PM IST

ଓଡିଶା-ଆନ୍ଧ୍ର ସୀମା ବିବାଦ, ଓଡ଼ିଶାରେ ଅସ୍ଥାୟୀ ଅଙ୍ଗନବାଡି କେନ୍ଦ୍ର ଖୋଲିଲା ଆନ୍ଧ୍ର

ଓଡିଶାର ଜଳ, ଜମି, ଜଙ୍ଗଲ ଉପରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି । ତଥାପି ଓଡିଶା ସରକାର ଏହାର ସ୍ଥାୟୀ ସମାଧାନ ପାଇଁ କୌଣସି ଠୋସ ପଦକ୍ଷେପ ନେଉନାହିଁ। ବର୍ତ୍ତମାନ ଆନ୍ଧ୍ର ସରକାର ଓଡ଼ିଶା ଗାଁ ମାଣିକପାଟଣାରେ ନିଜର ଏକ ଅସ୍ଥାୟୀ ଅଙ୍ଗନବାଡି କେନ୍ଦ୍ର ଖୋଲିବା ଭଳି ଏକ ଅଭାବନୀୟ ଘଟଣା ଲୋକଲୋଚନକୁ ଆସିଛି । ଅଧିକ ପଢନ୍ତୁ...

ଗଜପତି: ଓଡିଶାର ଜଳ, ଜମି, ଜଙ୍ଗଲ ଉପରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି । ଏହା ଥରେ ନୁହେଁ, ବାରମ୍ବାର ପ୍ରମାଣିତ ହୋଇସାରିଛି । ତଥାପି ଓଡିଶା ସରକାର ଏହାର ସ୍ଥାୟୀ ସମାଧାନ ପାଇଁ କୌଣସି ଠୋସ ପଦକ୍ଷେପ ନେବା ବଦଳରେ କେବଳ ତାଳିପକା ନୀତି ଆପଣାଉଥିବାରୁ ସୀମାନ୍ତ ଅଞ୍ଚଳବାସୀ ବିଭିନ୍ନ ସମୟରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ ଆନ୍ଧ୍ର ସରକାର ଓଡ଼ିଶା ଗାଁ ମାଣିକପାଟଣାରେ ନିଜର ଏକ ଅସ୍ଥାୟୀ ଅଙ୍ଗନବାଡି କେନ୍ଦ୍ର କରିବା ସହ ସେଠାରେ ସେହି ଅଞ୍ଚଳର ପିଲାଙ୍କ ନାମ ଲେଖାଇବା ଭଳି ଏକ ଘଟଣା ଲୋକଲୋଚନକୁ ଆସିଛି । ଏହାକୁ ନେଇ ସ୍ଥାନୀୟ ଲୋକେ ବିରୋଧ କରି ରାୟଗଡ ବ୍ଲକ ପ୍ରଶାସନକୁ ଜଣାଇବା ପରେ ଗତ ଦୁଇଦିନ ତଳେ ରାୟଗଡ ବିଡିଓ ଏବଂ ତହସିଲଦାର ସେଠାରେ ପହଞ୍ଚି ସଂପୃକ୍ତ ଅସ୍ଥାୟୀ ଅଙ୍ଗନବାଡି କେନ୍ଦ୍ରକୁ ସିଲ୍‌ କରିଥିଲେ ।

ସୀମା ବିବାଦ, ଓଡ଼ିଶାରେ ଅସ୍ଥାୟୀ ଅଙ୍ଗନବାଡି ଖୋଲିଲା ଆନ୍ଧ୍ର

ତେବେ ଏହାକୁ ନେଇ ସେଠାକାର ଗୁରୁନାଥ ଶବର ନାମକ ଜଣେ ବ୍ୟକ୍ତି ତହସିଲଦାରଙ୍କୁ ଗାଳିଗୁଲଜ କରିବା ସହ ଧମକଚମକ ଦେବାରୁ ତାଙ୍କୁ ଗିରଫ ମଧ୍ୟ କରାଯାଇଛି । ହେଲେ ସୀମାନ୍ତବର୍ତ୍ତୀ ଏହି ଅଞ୍ଚଳରେ ବାରମ୍ବାର ଆନ୍ଧ୍ର ଅନୁପ୍ରବେଶ କରି ନିଜର ଦାଦାଗିରି ଦେଖାଉଥିଲେ ମଧ୍ୟ ଓଡିଶା ସରକାର ଏହାର ସ୍ଥାୟୀ ସମାଧାନ କରିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ । ଫଳରେ ଆନ୍ଧ୍ରର ଦାଦାଗିରିକୁ ବିରୋଧ କରୁଥିବା ସ୍ଥାନୀୟ ଲୋକଙ୍କୁ ସେମାନେ ଟାର୍ଗେଟ କରୁଥିବା ପୂର୍ବତନ ସରପଞ୍ଚ ଅଭିଯୋଗ କରିଛନ୍ତି । ଅତିଶୀଘ୍ର ଏହାର ସ୍ଥାୟୀ ସମାଧାନ ନକଲେ ଆଗାମୀ ଦିନରେ ଆନ୍ଧ୍ର ସରକାର ନିଜର ଦାଦାଗିରି ଦେଖାଇ ଓଡିଶା ମଧ୍ୟରେ ପ୍ରବେଶ କରିବ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି ।

ସେପଟେ ଆଜି(ବୁଧବାର) ଏହି ଗାଁକୁ ଆନ୍ଧ୍ରର ଅଧିକାରୀମାନେ ଆସୁଥିବା ଖବର ପାଇଁ ଗଜପତି ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ସେଠାରେ ପହଞ୍ଚିଥିଲେ । ଉଭୟ ରାଜ୍ୟର ଅଧିକାରୀ ସେଠାରେ ଆଲୋଚନା କରିବା ସହ ଅତିଶୀଘ୍ର ଯୁଗ୍ମ ସର୍ଭେ କରାଯିବା ପାଇଁ ନିଷ୍ପତି ହୋଇଛି । ଯଦିଓ ମାଣିକପାଟଣା ଓଡିଶାର ଏବଂ ଏହା ଗଜପତି ଜିଲ୍ଲା ରାୟଗଡ ତହସିଲ ଅଧିନରେ ରହିଥିବା ସ୍ପଷ୍ଟ, କିନ୍ତୁ ଆନ୍ଧ୍ର ସରକାରଙ୍କ ପକ୍ଷରୁ ବାରମ୍ବାର ସୀମାରେ ଏଭଳି ପରିସ୍ଥିତି ସୃଷ୍ଟି କରାଯାଉଥିବା କହିଛନ୍ତି ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ । ସେପଟେ ସୀମାକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ସାମାନ୍ୟ ବିବାଦ ଲାଗି ରହିଥିବା ବେଳେ ଏହାକୁ ନେଇ ଉଭୟ ଜିଲ୍ଲାର ପ୍ରଶାସନ ଆଲୋଚନା କରୁଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Last Updated :Sep 8, 2021, 2:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.