ବଢୁଛି ବିବାଦ, ଅଙ୍ଗନବାଡି କେନ୍ଦ୍ରକୁ ନେଇ ଟଣାଓଟରା ଆନ୍ଧ୍ର-ଓଡିଶା

author img

By

Published : Sep 10, 2021, 5:02 PM IST

ବଢୁଛି ବିବାଦ, ଅଙ୍ଗନବାଡି କେନ୍ଦ୍ରକୁ ନେଇ ଟଣାଓଟରା ଆନ୍ଧ୍ର-ଓଡିଶା

ଏଥର କେବଳ ପ୍ରଶାସନ ନୁହେଁ, ଖୋଦ୍ ଆନ୍ଧ୍ର ସରକାରଙ୍କ ମନ୍ତ୍ରୀ ଓଡିଶା ମଧ୍ୟରେ ପଶି ଲୋକଙ୍କ ସହ ବୈଠକ କଲେ ଏବଂ ଗଜପତି ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କୁ ଖୋଲା ଧମକ ଦେଲେ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ରାୟଗଡ ବ୍ଲକ ମାଣିକପାଟଣାଠାରେ । ଓଡିଶାରେ ପଶି ଆନ୍ଧ୍ରମନ୍ତ୍ରୀ ଜିଲ୍ଲାର ଜଣେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଉଠାଇ ନେବା ସହ ସେଠାରେ ଥିବା ଓଡିଶା ଅଙ୍ଗନବାଡି କେନ୍ଦ୍ରକୁ ଉଡାଇ ଦେବାକୁ ଧମକ ଦେଇଛନ୍ତି । ଅଧିକ ପଢନ୍ତୁ...

ଗଜପତି: ପୁଣି ସାମ୍ନାକୁ ଆସିଛି ଆନ୍ଧ୍ର ଦାଦାଗିରି । ଏଥର କେବଳ ପ୍ରଶାସନ ନୁହେଁ, ଖୋଦ୍ ଆନ୍ଧ୍ର ସରକାରଙ୍କ ମନ୍ତ୍ରୀ ଓଡିଶା ମଧ୍ୟରେ ପଶି ଲୋକଙ୍କ ସହ ବୈଠକ କଲେ ଏବଂ ଗଜପତି ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କୁ ଖୋଲା ଧମକ ଦେଲେ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ରାୟଗଡ ବ୍ଲକ ମାଣିକପାଟଣାଠାରେ । ଓଡିଶାରେ ପଶି ଆନ୍ଧ୍ରମନ୍ତ୍ରୀ ଜିଲ୍ଲାର ଜଣେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଉଠାଇ ନେବା ସହ ସେଠାରେ ଥିବା ଓଡିଶା ଅଙ୍ଗନବାଡି କେନ୍ଦ୍ରକୁ ଉଡାଇ ଦେବାକୁ ଧମକ ଦେଇଥିଲେ ମଧ୍ୟ ଓଡିଶା ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି ।

ବଢୁଛି ବିବାଦ, ଅଙ୍ଗନବାଡି କେନ୍ଦ୍ରକୁ ନେଇ ଟଣାଓଟରା ଆନ୍ଧ୍ର-ଓଡିଶା

ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତର ମାଣିକପାଟଣାରେ ଦୀର୍ଘ ବର୍ଷ ହେଲା ଓଡିଶା ସରକାରଙ୍କ ଏକ ଅଙ୍ଗନବାଡି କେନ୍ଦ୍ର ଚାଲୁଥିବା ବେଳେ ଗତ କିଛି ଦିନ ହେଲା ଏଠାରେ ଆନ୍ଧ୍ର ପକ୍ଷରୁ ଏକ ଅସ୍ଥାୟୀ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ହୋଇଛି । ଏହି ଖବର ପାଇବା ପରେ ଗତ 5ତାରିଖରେ ଗଜପତି ଜିଲ୍ଲା ପ୍ରଶାସନର ଅଧିକାରୀମାନେ ସେଠାରେ ପହଞ୍ଚି ତାକୁ ତାଲା ପକାଇ ସିଲ୍ କରିଥିଲେ । ଏହାପରେ 7ତାରିଖ ଦିନ ଆନ୍ଧ୍ରର ଅଧିକାରୀମାନେ ପହଞ୍ଚିଥିଲେ । ଏହାର ପ୍ରତିବାଦ କରିଥିବା ବେଳେ ଗଜପତି ଜିଲ୍ଲାର ପ୍ରଶାସନିକ ଅଧିକାରୀମାନେ ଏହାର ଜବାବ ଦେଇଥିଲେ । ହେଲେ ଆଜି ଆନ୍ଧ୍ର ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ସିଦ୍ଧିରି ଆପଲରାଜୁ ଅଧିକ ପୋଲିସ୍‌ ଏବଂ ପ୍ରଶାସନିକ ଅଧିକାରୀଙ୍କୁ ନେଇ ମାଣିକପାଟଣାରେ ପହଞ୍ଚି ଖୋଲାଖୋଲି ଦାଦାଗିରି ପ୍ରଦର୍ଶନ କରିଥିଲେ । ଏପରିକି ସେଠାରେ ଥିବା ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳଙ୍କୁ ଉଠାଇ ନେବାର ଖୋଲା ଧମକ ଦେଇଥିଲେ । ଏହା ଆନ୍ଧ୍ରର, ତେଣୁ ଏଠାରେ ଚାଲୁଥିବା ଆନ୍ଧ୍ରର ଅଙ୍ଗନବାଡି କେନ୍ଦ୍ରକୁ ଯିଏ ବନ୍ଦ କରିବ ତାକୁ ଗିରଫ କରାଯିବ ବୋଲି କହିବା ସହ ଏଠାରେ ଥିବା ଓଡିଶା ଅଙ୍ଗନବାଡି କେନ୍ଦ୍ରକୁ ଉଡାଇଦେବାର ଧମକ ଦେଇଥିଲେ ।

ଆନ୍ଧ୍ର ମନ୍ତ୍ରୀଙ୍କ ଠାଣି ଏବଂ ତାଙ୍କ କଥାରୁ ଦେଖିଲେ ଲାଗୁଥିଲା ସତେ ଯେମିତି ସେମାନେ ମାଣିକପାଟଣା ଦଖଲ ପାଇଁ ଆସିଛନ୍ତି । ହେଲେ ଓଡିଶା ପକ୍ଷରୁ ଜଣେ ଅତିରିକ୍ତ ଜିଲ୍ଲାପାଳ ସେଠାକୁ ଯାଇଥିବା ବେଳେ ଜଣେ ଇନ୍ସପେକ୍ଟ ମାତ୍ର 4ଜଣ ହୋମଗାର୍ଡଙ୍କୁ ସାଙ୍ଗରେ ନେଇ ସେଠାରେ ଉପସ୍ଥିତ ରହିଥିଲେ । ଦେଖିଲେ ଲାଗୁଥିଲା ଆନ୍ଧ୍ରକୁ ଜବାବ ଦେବା ପାଇଁ ଓଡିଶା ପ୍ରସ୍ତୁତ ହିଁ ନଥିଲା । ଆନ୍ଧ୍ରର ଜଣେ ମନ୍ତ୍ରୀ ଏବଂ ତାଙ୍କ ଅଧିକାରୀଙ୍କ ଏଭଳି ଆଚରଣକୁ କଡା ଭାଷାରେ ନିନ୍ଦା କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା । ଏଭଳି ଅଭଦ୍ରୋଚିତ ବ୍ୟବହାର ସଂମ୍ପର୍କରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ଏବଂ ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ମାଣିକପାଟଣା ଓଡିଶାର ଥିଲା ଏବଂ ରହିବ ବୋଲି ମଧ୍ୟ ସେ କହିଛନ୍ତି ।

ସେପଟେ ଆନ୍ଧ୍ରର ବାରମ୍ବାର ଓଡିଶା ଅନୁପ୍ରବେଶକୁ ବିରୋଧ କରୁଥିବା ସ୍ଥାନୀୟ ଲୋକ ଏବେ ଆନ୍ଧ୍ର ରୋଷର ଶିକାର ହୋଇଛନ୍ତି । ତେଣୁ ସେମାନଙ୍କୁ ମିଛ ମାମଲାରେ ଛନ୍ଦି ଦିଆଯାଉଥିବା ଅଭିଯୋଗ ହୋଇଛି । ଗଙ୍ଗାବାଡର ପୂର୍ବତନ ସରପଞ୍ଚ ହରିବନ୍ଧୁ କାର୍ଯୀ କହିଛନ୍ତି ଯେ, ମାଣିକପାଟଣାର ଜଣେ ମହିଳାଙ୍କୁ ଆନ୍ଧ୍ର ସରକାର ଅଙ୍ଗନବାଡି କେନ୍ଦ୍ରରେ ନିଯୁକ୍ତ କରିଛନ୍ତି । ସେହି ମହିଳାଙ୍କ ଦ୍ବାରା ଏବେ ତାଙ୍କ ବିରୁଦ୍ଧରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ କରାଯାଇଛି । ଓଡିଶାର ସୁରକ୍ଷା ପାଇଁ ଗାଁରେ ରହି ସଂଘର୍ଷ କରୁଥିବା ବେଳେ ଓଡିଶା ସରକାର କିମ୍ବା ଜିଲ୍ଲା ପ୍ରଶାସନ ଏ ଦିଗରେ ଧ୍ୟାନ ଦେଉନାହାନ୍ତି । ତେଣୁ ଆନ୍ଧ୍ରର ସାହସ ଦିନକୁ ଦିନ ବଢୁଛି ବୋଲି ସେ କହିଛନ୍ତି । ତେବେ ଏହି ଘଟଣାରେ ଓଡିଶା ସରକାର କାହିଁକି ଚୁପ ତାହା ଏକ ବଡ ପ୍ରଶ୍ନ ସୃଷ୍ଟି କରିଛି । ରାଜ୍ୟ ସରକାର କେବେ ଏ ଦିଗରେ ପଦକ୍ଷେପ ଗ୍ରହଣ କରୁଛନ୍ତି ଓ କେବେ ସ୍ବାଭିମାନରେ ଓଡିଶାବାସୀ ବଞ୍ଚୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

ଗଜପତିରୁ ହରିହର ପଟ୍ଟନାୟକ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.