ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଦୟନୀୟ ଅବସ୍ଥାରେ ରାତି କାଟୁଛନ୍ତି ପରିବାର

author img

By

Published : Sep 11, 2022, 6:50 PM IST

ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଦୟନୀୟ ଅବସ୍ଥାରେ ରାତି କାଟୁଛନ୍ତି ପରିବାର

ଲଗାଣ ବର୍ଷାରେ ଭୁଶୁଡ଼ିଲା ୫ଟି ଘରର କାନ୍ଥ । ଅଚାନକ ବର୍ଷା ସବୁକିଛି ଉଜାଡ଼ି ଦେଇଛି । ଫଳରେ ଗଜପତି ଜିଲ୍ଲାରେ ଲୋକେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି । ଅଧିକ ପଢ଼ନ୍ତୁ

ଗଜପତି : ଗଜପତି ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି । ଏହାର ପ୍ରଭାବରେ ଜିଲ୍ଲାର ଗୁମ୍ମା ବ୍ଲକ କୁଜାସିଂ ପଞ୍ଚାୟତର ବିଭିନ୍ନ ଗାଁରେ ଘରର କାନ୍ଥ ଭୁଶୁଡ଼ି ପଡ଼ିଛି । ଏଥିରେ ଅଢେଇ ଗାଁର ସୁକି କାର୍ଯୀ, ଜଗନ୍ନାଥପୁର ଗାଁର ଡମୁଣି କୁମ୍ଭ, ଗିରା ନୂଆସାହିର ସାନିଆ ଗମାଙ୍ଗ, କୁଣ୍ଡେଇସିଂ ଗାଁର ସଉରା ମାଲା ଏବଂ ଲାକିଆ ଶବରଙ୍କ ଘର ଭାଙ୍ଗିଯାଇଛି । ତେବେ ଉକ୍ତ ଘଟଣାରେ କେହି ଆହତ ହୋଇନଥିବା ସୂଚନାରୁ ପ୍ରକାଶ ।

ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଦୟନୀୟ ଅବସ୍ଥାରେ ରାତି କାଟୁଛନ୍ତି ପରିବାର

ଅନ୍ୟପକ୍ଷରେ ବର୍ଷାରେ ଘର କାନ୍ଥ ଭୁଶୁଡି ପଡିବାରୁ ନିରୁପାୟ ହୋଇ ଭଙ୍ଗାଘରେ ବିପଦଜନକ ଭାବେ ରହୁଛନ୍ତି ୫ଟି ପରିବାର । ଲଗାଣ ବର୍ଷାରେ ମୁଣ୍ଡ ଗୁଞ୍ଜିବାକୁ ଥିବା ଏହି ଘର ଖଣ୍ଡିକ ମଧ୍ୟ ଭାଙ୍ଗି ଯିବାରୁ ଚିନ୍ତାରେ ପଡିଯାଇଛନ୍ତି ପରିବାର ଲୋକେ । ଏବେ ପାଖରେ ଘର ଖଣ୍ଡେ ନଥିବାରୁ ରାତି ହେଲେ ପର ଦୂଆରେ ମୁଣ୍ଡ ଗୁଞ୍ଜୁଛନ୍ତି ଏମାନେ । ସେପଟେ ବର୍ଷା ଯୋଗୁଁ ସାପ, ବେଙ୍ଗର ବି ଭୟ ରହିଛି ଏମାନଙ୍କୁ ।

ଘରର କାନ୍ଥ ପଡ଼ିବା ସହିତ ଆଜବେଷ୍ଟସ ଭାଙ୍ଗି ଚୁରମାର ହୋଇଯାଇଛି । ଲଗାଣ ବର୍ଷା ଯୋଗୁଁ ଘରେ ରହିଥିବା ଆସବାବପତ୍ର ଭିଜି ଯାଉଛି । ଘରର ଆସବାବପତ୍ରକୁ ସୁରକ୍ଷିତ ରଖିବା ପାଇଁ ପାଖରେ ପଲିଥିନ ଖଣ୍ଡେ ବି ନାହିଁ । ସେହି କାନ୍ଥ ତଳେ ଚାପି ହୋଇ ରହିଥିବା ଆବଶ୍ୟକୀୟ ସାମଗ୍ରୀକୁ ଖୋଜି ବାହାର କରୁଛନ୍ତି ପରିବାର ଲୋକେ । କାନ୍ଥ ପଡି ସବୁକିଛି ମାଟିରେ ମିଶିଯାଇଛି । ଖାଇବେ କଣ, ବଞ୍ଚିବେ କେମିତି ଝଡିବର୍ଷାରେ ପରିବାର ନେଇ ରହିବେ କେଉଁଠି ଚିନ୍ତାରେ ଭାଙ୍ଗି ପଡୁଛନ୍ତି । ଦୟନୀୟ ଅବସ୍ଥାରେ ରାତି କାଟୁଛନ୍ତି ପରିବାର ।

ଏହା ମଧ୍ୟ ପଢନ୍ତୁ: ଅସରାଏ ବର୍ଷାରେ ବେହାଲ ଗଜପତି

ସୂଚନା ଥାଉକି, ଗତ ସପ୍ତାହକ ତଳେ (ସେପ୍ଟେମ୍ବର ୫ତାରିଖ, ରବିବାର ସନ୍ଧ୍ୟାରେ) ପାରଳାଖେମୁଣ୍ଡି ସହରରେ ପ୍ରାୟ ଏକ ଘଣ୍ଟା ଧରି ପ୍ରବଳ ବର୍ଷା ହୋଇଥିଲା । ଅସରାଏ ବର୍ଷାରେ ସହରର ତଳି ଅଞ୍ଚଳରେ ଥିବା କଟିକା ସାହି, ପନ୍ଦରା ସାହି, ଭଣ୍ଡାରି ସାହି, ନଡ଼ିଆ ତୋଟା ସାହି, ପାରଳା ସାହି, ତେଲି ସାହି ଜଳମଗ୍ନ ହୋଇଯାଇଥିଲା । ବହୁ ସମୟ ଧରି ରାସ୍ତା ଉପରେ ପ୍ରାୟ 5 ଫୁଟ ଉଚ୍ଚତାରେ ପାଣି ପ୍ରବାହିତ ହେବା ସହ ରାସ୍ତାକଡ ଘର ଗୁଡ଼ିକରେ ପାଣି ପଶିଯାଇଥିଲା । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସେହିପରି ଅଟଳ ପାର୍କ ଭିତରେ ପାଣି ପ୍ରବାହିତ ହୋଇ କାନ୍ଥ ଭୁଶୁଡ଼ି ପଡ଼ିଛି । ସେପଟେ ଯେଉଁ ଘର ଭିତରେ ବର୍ଷା ପାଣି ପଶିଯାଇଛି ସେହି ଘରର ଲୋକେ ଏବେ ଅନ୍ୟ ପିଣ୍ଡାରେ ଆଶ୍ରୟ ନେଉଛନ୍ତି ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.