କୁକୁଡା ଫାର୍ମକୁ ନେଇ ଉତ୍ତେଜନା, ପୋଲିସକୁ ଅଟକ ରଖିଲେ ଗ୍ରାମବାସୀ

author img

By

Published : Oct 11, 2021, 2:04 PM IST

କୁକୁଡା ଫାର୍ମକୁ ନେଇ ଉତ୍ତେଜନା, ପୋଲିସ ସମେତ ଗାଡ଼ିକୁ ଅଟକ ରଖିଲେ ଗ୍ରାମବାସୀ

ଢେଙ୍କାନାଳ ଗଁନ୍ଦିଆ ଥାନା ଅଞ୍ଚଳରେ କୁକୁଡ଼ା ଫାର୍ମକୁ ନେଇ ଉତ୍ତେଜନା । ପକ୍ଷପାତିତା ଯୋଗୁଁ ଗ୍ରାମବାସୀମାନେ ପୋଲିସ ସହିତ ପୋଲିସ ଗାଡ଼ିକୁ ଅଟକ ରଖିଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

ଢେଙ୍କାନାଳ: କୁକୁଡ଼ା ଫାର୍ମର ରାସ୍ତା ନିର୍ମାଣକୁ ନେଇ ପୋଲିସର ପକ୍ଷପାତିତା ମହଙ୍ଗା ପଡିଛି । ଏପରିକି ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଅନ୍ତର୍ଗତ କୋକେଇଦା ଗ୍ରାମରେ ବ୍ୟାପକ ଉତ୍ତେଜନା ଦେଖାଦେଇଛି । ଘଟଣାସ୍ଥଳରେ ଗଁନ୍ଦିଆ ପୋଲିସ ଓ ପୋଲିସ ଗାଡିକୁ ଗତ ରାତିରୁ କୋକେଇଦା ଗ୍ରାମବାସୀ ଘେରାଉ କରି ଅଟକ ରଖିଥିବା ଜଣାପଡି଼ଛି ।

କୁକୁଡା ଫାର୍ମକୁ ନେଇ ଉତ୍ତେଜନା, ପୋଲିସ ସମେତ ଗାଡ଼ିକୁ ଅଟକ ରଖିଲେ ଗ୍ରାମବାସୀ

ଜଗନ୍ନାଥ ଆଗ୍ରୋ ଫିଡ୍ସ ନାମକ ଏହି କୁକୁଡ଼ା ଫାର୍ମ ମାଲିକ ଗଁନ୍ଦିଆ ଥାନା ରାଇତୈଳା ପଞ୍ଚାୟତର କୋକେଇଦା ଗ୍ରାମ ନିକଟରେ ଫାର୍ମ କରିବାକୁ ନେଇ ବିରୋଧ କରି ଆସୁଛନ୍ତି ଗ୍ରାମବାସୀ । ପୋଲିସକୁ ମାଲିକ ଜଣକ ହାତ କରି ଗ୍ରାମବାସୀ ସଂରକ୍ଷିତ ରଖିଥିବା ଗ୍ରାମ୍ୟ ଜଙ୍ଗଲରୁ ବହୁ ମୂଲ୍ୟବାନ ଗଛ କାଟି ରାସ୍ତା ନିର୍ମାଣ ଆରମ୍ଭ କରିଥିବା ଜଣାପଡ଼ିଛି । ଯାହାକୁ ତୀଵ୍ର ବିରୋଧ କରୁଛନ୍ତି ଏହି କୋକେଇଦା ଗ୍ରାମବାସୀ । ଏ ସମ୍ପର୍କରେ ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ଆନ୍ଦୋଳନ କରିବା ସହ ବିଡ଼ିଓ, ଜିଲ୍ଲାପାଳ ଆଦି ସମସ୍ତଙ୍କ ପାଖରେ ଗୁହାରି କରିଆସୁଛନ୍ତି ।

ଏପରିସ୍ଥଳେ ଏହି କୁକୁଡ଼ା ଫାର୍ମ ମାଲିକ ଗଁନ୍ଦିଆ ପୋଲିସ ସହ ସଲାସୁତରା ହୋଇ ଗ୍ରାମବାସୀ ଜଗାରଖା କରୁଥିବା ଜମିରେ ରାସ୍ତା କାମ କରିବାକୁ ଅପଚେଷ୍ଟା ଚଳାଇ ଆସୁଛି । ତେବେ ଗଁନ୍ଦିଆ ପୋଲିସ ଉକ୍ତ କୁକୁଡ଼ା ଫାର୍ମ ମାଲିକଙ୍କୁ ସହାୟତା ଦେଉଥିବା ଅଭିଯୋଗ ହୋଇଛି । ଗତ ରବିବାରଠାରୁ ପୋଲିସ ସେଠାର ରହିଥିବା ବେଳେ ଜଙ୍ଗଲ ଜମିରେ ରାସ୍ତା କାମ ଖୋଲାଖୋଲି ଆରମ୍ଭ ହୋଇଥିଲା । ପୋଲିସର ଏଭଳି ପକ୍ଷପାତିତା ଦେଖି ଗ୍ରାମବାସୀ ଉତ୍ତେଜିତ ହୋଇ ହାତରେ ଠେଙ୍ଗା ବାଡ଼ି ଧରି ଶହ ଶହ ମହିଳା ପୁରୁଷ ରାସ୍ତା କାମକୁ ବିରୋଧ କରିଥିଲେ।

ଘଟଣାସ୍ଥଳକୁ ଯାଇଥିବା ପୋଲିସ ଓ ପୋଲିସ ଗାଡିକୁ ଗତକାଲି ରାତିରୁ ଜବରଦସ୍ତ ଅଟକ ରଖିଥିଲେ । ଫଳରେ ଗତରାତିରୁ ଉତ୍ତେଜନା ଲାଗି ରହିଥିଲା । ଆଜି ଖବର ପାଇ ଢେଙ୍କାନାଳରୁ ପୋଲିସ SDPO, ପୋଲିସର ବରିଷ୍ଠ ଅଧିକାରୀ ମାନଙ୍କ ସମେତ ୨ ପ୍ଲାଟୁନ ସଶସ୍ତ୍ର ପୋଲିସ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତହସିଲଦାର ପହଞ୍ଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିବା ସହ ଅଟକ ପୋଲିସ ଗାଡି଼ ଓ ପୋଲିସମାନଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି । ପୋଲିସ ଅଧିକାରୀମାନେ ପହଞ୍ଚି ରାସ୍ତା କାମକୁ ବନ୍ଦ ରଖିବା ସହ ଆପୋଷ ସମାଧାନ ନହେବା ଯାଏଁ ରାସ୍ତା କାମ ହେବ ନାହିଁ ବୋଲି ପ୍ରତିଶ୍ରୁତି ଦେବାପରେ ଉତ୍ତେଜନା ହ୍ରାସ ପାଇଥିଲା ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.