ସମିତି ସଭ୍ୟଙ୍କୁ ଗୁଳିକରି ହତ୍ୟା: ବ୍ୟବଚ୍ଛେଦ କେନ୍ଦ୍ରରୁ ୬ ଜଣଙ୍କୁ କାବୁ କଲା ପୋଲିସ

author img

By

Published : Sep 25, 2021, 10:00 PM IST

ସମିତି ସଭ୍ୟଙ୍କୁ ଗୁଳିକରି ହତ୍ୟା: ବ୍ୟବଚ୍ଛେଦ କେନ୍ଦ୍ରରୁ ୬ ଜଣଙ୍କୁ କାବୁ କଲା ପୋଲିସ

ପଥର ଖଣିକୁ ନେଇ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବାରୁଆଁ(କ)ର ସମିତି ସଭ୍ୟ ଦୀପକ ମାହୁନ୍ତଙ୍କୁ ତାଙ୍କ ଗ୍ରାମ ଜାମୁଝରା ଛକରେ ଗୁଳି କରି ହତ୍ୟା । ଅଭିଯୁକ୍ତ ୪ ସହଯୋଗୀଙ୍କ ସହ ମୋଟ ୬ ଜଣଙ୍କୁ ବ୍ୟବଚ୍ଛେଦ କେନ୍ଦ୍ରରୁ କାବୁ କଲା ପୋଲିସ । ହତ୍ୟା ପଛର କାରଣକୁ ନେଇ ପୋଲିସର ଛାନଭିନ ଜାରି । ଅଧିକ ପଢନ୍ତୁ...

ଢେଙ୍କାନାଳ: ବାରୁଆଁ(କ)ର ସମିତି ସଭ୍ୟ ଦୀପକ ମାହୁନ୍ତଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ତାଙ୍କ ଛାତି ଓ ମୁହଁକୁ ୧୨ ରାଉଣ୍ଡ ଗୁଳି ମରାଯାଇଛି । ପଥର ଖଣି ବ୍ୟବସାୟକୁ ନେଇ ଗତକାଲି ରାତିରେ ତାଙ୍କ ଗାଁ ଜାମୁଝରା ଛକରେ ଯୋଜନାବଦ୍ଧ ଭାବେ ତାଙ୍କ ସହଯୋଗୀମାନେ ହତ୍ୟା କରିଥିବା ଅଭିଯୋଗ ଉଠାଇଛନ୍ତି ପରିବାର । ଫଳରେ ପୋଲିସ ହତ୍ୟାକାଣ୍ଡରେ ଅଭିଯୁକ୍ତ ଥିବା ୪ ଜଣ ସମେତ ମୋଟ ୬ ଜଣଙ୍କୁ ଅଟକ ରଖି ଛାନଭିନ କରୁଛି ।

ସମିତି ସଭ୍ୟଙ୍କୁ ଗୁଳିକରି ହତ୍ୟା: ବ୍ୟବଚ୍ଛେଦ କେନ୍ଦ୍ରରୁ ୬ ଜଣଙ୍କୁ କାବୁ କଲା ପୋଲିସ

ଗତ(ଶୁକ୍ରବାର) ରାତିରେ ସେ ଭୁବନେଶ୍ୱରରୁ ଘରକୁ ଫେରିଥିଲେ । ପରେ ରାତି ୮ଟା ସମୟରେ ଘରୁ ବାହାରି ତାଙ୍କ ଟାଟା ହେକ୍ସା ଗାଡି ଯୋଗେ କାମାକ୍ଷାନଗର ଖଟୁଆ ହତା ଯାଇଥିଲେ, ହେଲେ ଆଉ ଘରକୁ ଫେରିନଥିଲେ । ଆଜି ଭୋର ସମୟରେ ତାଙ୍କ କାର ନିକଟରେ ମୃତଦେହ ପଡିଥିବା ତାଙ୍କ ପୁଅ ଦେଖିଥିଲେ । ପରେ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ୍ୟୁର ସଠିକ କାରଣ କ’ଣ ତାହା ପୋଲିସ ତଦନ୍ତରେ ସୀମିତ ଥିଲେ ମଧ୍ୟ ପଥର ଖଣିକୁ ନେଇ ତାଙ୍କ ସହଯୋଗୀମାନେ ହତ୍ୟା କରିଥିବା ତାଙ୍କ ପରିବାର ଅଭିଯୋଗ କରିଛନ୍ତି ।

ମୃତ ଦୀପକଙ୍କ ବାପା ତାଙ୍କ ପଞ୍ଚାୟତର ପୂର୍ବତନ ସରପଞ୍ଚ ହୋଇଥିବାବେଳେ ତାଙ୍କ ପତ୍ନୀ ମମତା ମାହୁନ୍ତ ବର୍ତ୍ତମାନ ସରପଞ୍ଚ ଥିବା ଜଣାପଡିଛି । ଏପରିକି ଉକ୍ତ ପଞ୍ଚାୟତର ନିଜେ ଦୀପକ ସମିତି ସଭ୍ୟ ଥିଲେ। ତାଙ୍କ ଅଞ୍ଚଳର ବାଲିଘାଟ ଠାରୁ ଆରମ୍ଭ କରି ପଥର ଖଣି ଆଦି ବ୍ୟବସାୟରେ ଲିପ୍ତ ଥିଲେ ଦୀପକ । ତାଙ୍କ ଅଞ୍ଚଳରେ ତାଙ୍କର ବେଶ ଦବଦବା ରହିଥିବା ଗ୍ରାମବାସୀ ପ୍ରକାଶ କରନ୍ତି। ତାଙ୍କ ଅଞ୍ଚଳରେ ବିଜେଡି ଦଳର ଜଣେ ଟାଣୁଆ କର୍ମୀ ସାଙ୍ଗକୁ ରାଜନୈତିକ ଶତ୍ରୁତା ଓ ଖଣି ବାଲିଘାଟ ଆଦି ବ୍ୟବସାୟିକ ଶତ୍ରୁତା ହିଁ ହତ୍ୟାକାଣ୍ଡର କାରଣ ବୋଲି ସନ୍ଦେହ କରାଯାଇଥିଲା ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ଫରେନ୍ସିକ ଟିମ ମାଧ୍ୟମରେ ଅଧିକ ତଦନ୍ତ ଜାରି ରଖିଛି । ତେବେ ପୋଲିସ ଚଞ୍ଚକତା ହତ୍ୟା ଅଭିଯୁକ୍ତ ଭାବେ ତାଙ୍କର ଖାସ ସହଯୋଗୀ ତୁମୁସିଂହା ଥାନା ଅଞ୍ଚଳର ନରି ସାହୁ, ବିଷ୍ଣୁ ସାହୁ, ପ୍ରକାଶ ସାହୁ ଓ କାମାକ୍ଷାନଗରର ଉମାକାନ୍ତ ସାହୁଙ୍କ ସହ ୬ ଜଣଙ୍କୁ ପୋଲିସ କାବୁ କରିଛି । ମାତ୍ର ତଦନ୍ତ ପରେ ହତ୍ୟାକାଣ୍ଡର ସଠିକ କାରଣ ଜଣାପଡିବ ବୋଲି ପ୍ରକାଶ କରିଛି ପୋଲିସ। ସରକାରୀ ଦଳ ବିଜେଡିର ଜଣେ ଟାଣୁଆ କର୍ମୀ ତଥା ଜଣେ ସମିତି ସଭ୍ୟଙ୍କୁ ଫୋନ ଯୋଗେ ଡାକି ଯୋଜନାବଦ୍ଧ ଏପରି ଗୁଳି କରି ବୀଭତ୍ସ ହତ୍ୟାକଣ୍ଡ ଢେଙ୍କାନାଳରେ ବେଶ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଆଉ କାହାର ହାତ ରହିଛି ସେ ଦିଗରେ ପୋଲିସ ଛାନଭିନ ଜାରି ରଖିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.