ଢେଙ୍କାନାଳରେ ମା' ଦୁର୍ଗାଙ୍କର ନବରାତ୍ର ପୂଜା ଆରମ୍ଭ, କୋଭିଡ କଟକଣା ମାନୁଛନ୍ତି ଭକ୍ତ

author img

By

Published : Oct 10, 2021, 6:44 PM IST

Navaratri puja in dhenkanal radhakrishna bazar puja mandap

ଢେଙ୍କାନାଳରେ ମା' ଦେବୀ ଦୁର୍ଗାଙ୍କର ନବରାତ୍ର ପୂଜା ଉତ୍ସବ ଚାଲିଛି । ଏହି ଅବସରରେ ଢେଙ୍କାନାଳ ସହରର ରାଧାକୃଷ୍ଣ ବଜାରରେ ୧୮ ବର୍ଷ ଧରି ପରମ୍ପରାର ସହ ପାଳିତ ହୋଇ ଆସୁଛି ମା' ଙ୍କ ନବରାତ୍ର ପୂଜା । ଅଧିକ ପଢନ୍ତୁ...

ଢେଙ୍କାନାଳ: ଆରମ୍ଭ ହୋଇଯାଇଛି ପାର୍ବଣର ଋତୁ । ଆଉ ମା ଙ୍କ ଆଗମନରେ ଚଳଚଞ୍ଚଳ ହୋଇ ଉଠିଛନ୍ତି ସମସ୍ତେ । ମା ଦେବୀ ଦୁର୍ଗାଙ୍କର ନବରାତ୍ର ପୂଜା ଉତ୍ସବ ଚାଲିଛି । ଏହି ଅବସରରେ ଢେଙ୍କାନାଳ ସହରର ରାଧାକୃଷ୍ଣ ବଜାରରେ ୧୮ ବର୍ଷ ଧରି ପରମ୍ପରାର ସହ ପାଳିତ ହୋଇ ଆସୁଛି ମା ଙ୍କ ନବରାତ୍ର ପୂଜା ଉତ୍ସବ ।

ଢେଙ୍କାନାଳ ରାଧାକୃଷ୍ଣ ବଜାରରେ ନବରାତ୍ର ପୂଜା ଉତ୍ସବରେ ସ୍ବତନ୍ତ୍ର ପୂଜାର୍ଚ୍ଚନା

ପରମ୍ପରା ମୁତାବକ ଗତ ମହାଳୟାରୁ ରାଧାକୃଷ୍ଣ ବଜାର ପୂଜା ମଣ୍ଡପରେ ଦେବୀ ଦୁର୍ଗାଙ୍କର ମୃଣ୍ମୟୀ ମୂର୍ତ୍ତି ପୂଜା ଚାଲିଛି । ମାଙ୍କର ଷୋଡ଼ଶ ଉପଚାରରେ ହୋମ ଯଜ୍ଞ ପୂଜାର୍ଚ୍ଚନା କରାଯାଉଛି । ସକାଳେ ସୂର୍ଯ୍ୟପୂଜା ଠାରୁ ଆରମ୍ଭ କରି ସନ୍ଧ୍ୟାରେ ପ୍ରତ୍ୟହ ୧୦୮ ଦୀପର ଆଳତୀ ଓ ନବରାତ୍ରର ନବମ ଦିନ ୫୬ ଭୋଗ ଏଠିକାର ପୂଜାର ସ୍ବତନ୍ତ୍ରତା ବହନ କରି ଆସୁଛି । ଫଳରେ ଏହି ପୂଜାକୁ ଢେଙ୍କାନାଳ ସହର ସମେତ ଆଖ ପାଖର ଶ୍ରଦ୍ଧାଳୁ ଓ ମାନସିକ ଧାରୀଙ୍କ ଭିଡ଼ ଜମିଥାଏ । ମାତ୍ର ଚଳିତ ବର୍ଷ କୋଭିଡ କଟକଣା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦର୍ଶନରେ ପ୍ରତିବନ୍ଧକ ସୃଷ୍ଟି କରିଛି । ମଣ୍ଡପର ଚାରିପାଖ ବନ୍ଦ କରାଯାଇ ପୂଜାର୍ଚ୍ଚନା କରାଯାଉଛି ।

ମଣ୍ଡପରେ ମାତ୍ର କର୍ମକର୍ତ୍ତାଙ୍କ ସଂଖ୍ୟା ୭ ଜଣରେ ସୀମିତ ରହିଥିବାବେଳେ ସମସ୍ତଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ବୋଲି ପ୍ରକାଶ କରନ୍ତି ମଣ୍ଡପର ପୂଜକ । କହିବାକୁ ଗଲେ ସାଧାରଣ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ ରହିଥିବାରୁ ଶ୍ରଦ୍ଧାଳୁମାନେ ମା ଙ୍କ ଦର୍ଶନ ନପାଇ ବ୍ୟାକୁଳ ହୋଇ ପଡୁଥିବା ପ୍ରକାଶ କରିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.