Matric Exam: ପ୍ରଥମ ଦିନରେ ସାହିତ୍ୟ, ପରୀକ୍ଷା ଭଲ ହୋଇଛି କହିଲେ ଛାତ୍ରଛାତ୍ରୀ

author img

By

Published : Mar 10, 2023, 3:55 PM IST

Updated : Mar 10, 2023, 4:01 PM IST

matric summative 2 eaxm in Dhenkanal

ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ ସମ୍ମେଟିଭ-୨ ପରୀକ୍ଷାର ପ୍ରଥମ ଦିନ ଶେଷ ହୋଇଛି । ପ୍ରଥମ ଦିନରେ ସାହିତ୍ୟ ଥିବାରୁ ପରୀକ୍ଷା ଭଲ ହୋଇଥିବା ନେଇ ଛାତ୍ରଛାତ୍ରୀ ଆଶାବାଦୀ ଅଛନ୍ତି । ଅଧିକ ପଢ଼ନ୍ତୁ

Matric Exam in dhenkanal

ଢେଙ୍କାନାଳ: ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି ମାଟ୍ରିକ ସେମ୍ମେଟିଭ-୨ ପରୀକ୍ଷା । ପ୍ରଥମ ଦିନରେ ମାତୃଭାଷା ଓଡ଼ିଆ ବିଷୟରେ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହୋଇ ୧୦ଟାରେ ଶେଷ ହୋଇଛି । ଏହି କ୍ରମରେ ଚଳିତ ଥର ଢେଙ୍କାନାଳ ଜିଲ୍ଲାରେ ୯୭ଟି ପରୀକ୍ଷା କେନ୍ଦ୍ରରେ ମୋଟ ୧୬ ହଜାର ୨୮୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ପ୍ରଥମ ଦିନରେ ପରୀକ୍ଷା ଭଲ ହୋଇଥିବା ନେଇ ଛାତ୍ରଛାତ୍ରୀ ଆଶାବାଦୀ ଅଛନ୍ତି ।

ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ ସମ୍ମେଟିଭ-୨ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ସକାଳ ୭ଟାରୁ ପିଲାମାନେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ । ପରୀକ୍ଷା କେନ୍ଦ୍ରକୁ ଯିବାବେଳେ କପି ଯାଞ୍ଚ କଡ଼ାକଡ଼ି କରାଯାଇଥିଲା । ଏଥର ଜିଲ୍ଲାବ୍ୟାପୀ ବେଶ ସୁରୁଖୁରୁରେ ପିଲାମାନେ ପରୀକ୍ଷା ଦେଇଥିବା ଜଣାପଡିଛି । ଏପରିକି କୌଣସି ପରୀକ୍ଷା କେନ୍ଦ୍ରରେ କପି ଧରା ପଡିନଥିବା ସୂଚନା ମିଳିଛି । ଚଳିତ ଥର ଢେଙ୍କାନାଳ ଜିଲ୍ଲାରେ ୯୭ଟି ପରୀକ୍ଷା କେନ୍ଦ୍ର ରହିଥିବାବେଳେ ମୋଟ ୧୬ ହଜାର ୨୮୫ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ସେଥି ମଧ୍ୟରୁ ମାଟ୍ରିକ ରେଗୁଲାର ୧୫ହଜାର ୯୯୫ ଅଛନ୍ତି । ଏଥିସହ ଏକ୍ସରେଗୁଲାର ୧୨୦ଜଣ, ମଧ୍ୟମା ୧୦ଜଣ, ମୁକ୍ତ ବିଦ୍ୟାଳୟର ୧୬୦ଜଣ ପରୀକ୍ଷାର୍ଥୀ ରହିଛନ୍ତି ।

ଏହା ବ୍ୟତୀତ ଚଳିତ ବର୍ଷ ମୁକ୍ତ ବିଦ୍ୟାଳୟ ପରୀକ୍ଷା ପାଇଁ ଢେଙ୍କାନାଳର ଭାନିରାମ ଆଦର୍ଶ ଉଚ୍ଚ ବିଦ୍ୟାଳୟକୁ ସ୍ୱତନ୍ତ୍ର କେନ୍ଦ୍ର କରାଯାଇଥିଲା । ଏହି ସେଣ୍ଟରରେ ମୋଟ ୧୬୦ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ଜଣାପଡିଛି । ତେବେ କପି ରୋକିବା ଓ ପରୀକ୍ଷା ସୁପରିଚାଳନା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ବ୍ଲକ ବିଡିଓମାନଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତ କରାଯାଇଛି । ତା ସହିତ ୮ଟି ସ୍କ୍ୱାଡ୍‌ ଗଠନ କରାଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ୨ଟି, ଜିଲ୍ଲାପାଳଙ୍କ ପକ୍ଷରୁ ଗୋଟିଏ ଓ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ୪ଟି ସ୍ୱତନ୍ତ୍ର ସ୍କ୍ୱାଡ୍‌ ଗଠନ କରାଯାଇଛି ।

ସୁରକ୍ଷାକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ରଗୁଡିକରେ ପୋଲିସ ଫୋର୍ସ ମୁତୟନ ହୋଇଥିଲେ । ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ଢେଙ୍କାନାଳ ଜିଲ୍ଲାରେ କୌଣସି ବିଶୃଙ୍ଖଳା ହୋଇନଥିବା ବେଳେ ପିଲାମାନେ ପରୀକ୍ଷା ଭଲ ହୋଇଥିବା କଥା କହିଛନ୍ତି । ସେପଟେ ପିଲାମାନଙ୍କ ଉତ୍ସାହକୁ ନେଇ ପରୀକ୍ଷା ଭଲ ହୋଇଥିବା ନେଇ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଅଭିଭାବକ ବେଶ ଆଶାବାଦୀ ଅଛନ୍ତି ।

ଇଟିଭି ଭାରତ, ଢେଙ୍କାନାଳ

Last Updated :Mar 10, 2023, 4:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.