ଆସିବେ ମା’ ଗଜଲକ୍ଷ୍ମୀ, ଅନୁକୂଳ ହେଲା ମାଟି

author img

By

Published : Sep 9, 2022, 12:41 PM IST

ଆରମ୍ଭ ହେଲା ଗଜଲଷ୍ମୀ ପୂଜାର ପ୍ରାରମ୍ଭିକ ପ୍ରସ୍ତୁତି

ଢେଙ୍କାନାଳରେ ଗଜଲକ୍ଷ୍ମୀ ପୂଜାର ପ୍ରାରମ୍ଭିକ ପ୍ରସ୍ତୁତି । ମା'ଙ୍କ ମୂର୍ତ୍ତି ତିଆରି ପାଇଁ ଶୁଭମାଟି ଅନୁକୂଳ କରାଯାଇଛି । ଅଧିକ ପଢ଼ନ୍ତୁ

ଢେଙ୍କାନାଳ: ସାରା ରାଜ୍ୟରେ ପ୍ରସିଦ୍ଧି ଲାଭ କରିଥିବା ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜାର ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ । ପରମ୍ପରା ମୁତାବକ ବାମନ ଜନ୍ମ ପବିତ୍ର ସୁନିଆଁ ଅବସରରେ ମା'ଙ୍କ ମୂର୍ତ୍ତି ତିଆରି ପାଇଁ ଶୁଭମାଟି ଅନୁକୂଳ କରାଯାଇଛି । ଏଥିପାଇଁ ଢେଙ୍କାନାଳର ସମସ୍ତ ପୂଜା ପ୍ରତିଷ୍ଠାନ ପରମ୍ପରା ମୁତାବକ ମାଟି ପର୍ବରେ ବ୍ରାହ୍ମଣୀ ନଦୀ କୂଳରେ ସମେବେତ ହୋଇଥିଲେ ।

ଆରମ୍ଭ ହେଲା ଗଜଲଷ୍ମୀ ପୂଜାର ପ୍ରାରମ୍ଭିକ ପ୍ରସ୍ତୁତି

ରୀତିନୀତି ମୁତାବକ ପୂଜାର୍ଚ୍ଚନା ପରେ ମା'ଙ୍କ ଶୁଭମାଟି ଅନୁକୂଳ କରି ପୂଜା ମଣ୍ଡପରେ ସ୍ଥାପନ କରିଛନ୍ତି । ତେବେ ପୂଜା ପ୍ରତିଷ୍ଠାନ ପକ୍ଷରୁ ଭଜନ କୀର୍ତ୍ତନର ଶୋଭଯାତ୍ରାରେ ସମଗ୍ର ସହର ଏକ ଆଧ୍ୟାତ୍ମିକ ପରିବେଶ ବୁଡି ରହିଥିବା ବେଳେ ଏହି ଅବସରରୁ ଗଜଲଷ୍ମୀ ପୂଜା ମହୋତ୍ସବର ମାହୋଲ ଅନୁଭୂତ ହୋଇଛି । ଆସନ୍ତା ଅକ୍ଟୋବର ୯ତାରିଖ କୁମାର ପୂର୍ଣ୍ଣିମା ଅବସରରୁ ଆରମ୍ଭ ହେବାକୁ ଯାଉଛି ଢେଙ୍କାନାଳର ପ୍ରସିଦ୍ଧ ଗଜଲଷ୍ମୀ ପୂଜା ।

ଗତ ଦୁଇ ବର୍ଷ ଧରି କୋଭିଡର କଡ଼ା କଟକଣା ଯୋଗୁଁ ଫିକା ପଡିଥିବା ଗଜଲକ୍ଷ୍ମୀକୁ ଚଳିତ ବର୍ଷ ବେଶ ଧୁମ୍ ଧାମରେ ପାଳିବା ପାଇଁ ପ୍ରସ୍ତୁତ ହେଉଛନ୍ତି ଢେଙ୍କାନାଳବାସୀ । ଚଳିତ ବର୍ଷ ମଧ୍ୟ ଏହି ଗଜଲକ୍ଷ୍ମୀ ପୂଜା ମହୋତ୍ସବକୁ ବେଶ ଆନନ୍ଦ ଉଲ୍ଲାସର ୧୨ଦିନ ବ୍ୟାପି ପାଳିବେ ଢେଙ୍କାନାଳବାସୀ । ଏଥିପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ପ୍ରକାଶ କରିଛନ୍ତି ମଣ୍ଡପର କର୍ମକର୍ତ୍ତା ।

ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜାର ପରମ୍ପରା ମୁତାବକ ବାମନ ଜନ୍ମ ଅର୍ଥାତ ପବିତ୍ର ସୁନିଆଁ ଅବସରରେ ହିଁ ମା' ଲକ୍ଷ୍ମୀଙ୍କ ମୂର୍ତ୍ତି ତିଆରି ପାଇଁ ଶୁଭ ମାଟି ଅନୁକୂଳ କରାଯାଇଛି । ଏହି ଶୁଭ ମାଟି ଅନୁକୂଳ ଉତ୍ସବରେ ସମସ୍ତ ପୂଜା ପ୍ରତିଷ୍ଠାନ ନିଜନିଜ ପୂଜା ମଣ୍ଡପରୁ ଏକ ଶୋଭାଯାତ୍ରାରେ ବାହାରି ବ୍ରାହ୍ମଣୀ ନଦୀ କୂଳରେ ସମ୍ମିଳିତ ହୋଇଥିଲେ । ରୀତିନୀତି ମୁତାବକ ବ୍ରାହ୍ମଣୀ ନଦୀ କୂଳରେ ମା'ଙ୍କ ଶୁଭ ମାଟି ଅନୁକୂଳ କରି ମା' ଲକ୍ଷ୍ମୀଙ୍କ ଘଟ ସ୍ଥାପନ କରାଯାଇଥିଲା । ପୂଜା ପାଠ ଓ ହୋମ ଯଜ୍ଞ କରି ମା'ଙ୍କୁ ଆବାହନ କରାଯାଇଥିଲା । ପରେ ନିଷ୍ଠାର ସହ ରହିଥିବା ମଣ୍ଡପର କର୍ତ୍ତା ଏହି ଘଟକୁ ଧାରଣ କରି ପୂଜା ମଣ୍ଡପରେ ନେଇ ସ୍ଥାପନ କରିଥିବା ଜଣାପଡ଼ିଛି । ମା'ଙ୍କର ଏହି ଘଟକୁ କାରିଗର ମୂର୍ତ୍ତି ତିଆରି ବେଳେ ମା'ଙ୍କ ମୃଣୟ ମୂର୍ତ୍ତିର ନାଭି ମଣ୍ଡଳରେ ବ୍ରହ୍ମ ସ୍ଥାପନାର ପରମ୍ପରା ରହିଛି ।

ଏହି ଘଟ ସ୍ଥାପନା ଦିନରୁ ହିଁ ମଣ୍ଡପର କର୍ତ୍ତା ସମ୍ପୂର୍ଣ୍ଣ ନିରାମିଷ ଖାଦ୍ୟ ଗ୍ରହଣ କରନ୍ତି । ମା'ଙ୍କର ଏହି ଶୁଭ ମାଟି ଅନୁକୂଳ ଉତ୍ସବରେ ପୂଜକ ମାନଙ୍କର ମନ୍ତ୍ର ଧ୍ୱନି ସାଙ୍ଗକୁ ଶ୍ରଦ୍ଧାଳୁଙ୍କ ଭଜନ କୀର୍ତ୍ତନରେ ବ୍ରାହ୍ମଣୀ ନଦୀ ତଟ କମ୍ପି ଉଠିଥିଲା । ଆଉ ଏପଟେ ପୂଜା ପ୍ରତିଷ୍ଠାନ ମାନଙ୍କର ଘଣ୍ଟ ଘଣ୍ଟା ଓ ମାଦଲ ବାଜା ସାଙ୍ଗକୁ ଭଜନ କୀର୍ତ୍ତନରେ ଢେଙ୍କାନାଳ ସହର ଠାରୁ ଆରମ୍ଭ କରି ବ୍ରାହ୍ମଣୀ ନଦୀକୂଳ କମାଗରା ଘାଟ ପର୍ଯ୍ୟନ୍ତ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା । ଆଉ ଏହି ଶୁଭ ମାଟି ଅନୁକୂଳ ଦିବସ ହିଁ ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ମହୋତ୍ସବର ପହିଲି ପର୍ବ । ଫଳରେ ଏହି ଦିନ ଠାରୁ ହିଁ ପୂଜା ପ୍ରତିଷ୍ଠାନ ମାନଙ୍କ ଠାରୁ ସହର ବାସିଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଗଜଲକ୍ଷ୍ମୀ ପୂଜା ମହୋତ୍ସବ ପାଇଁ ନିଜକୁ ପ୍ରସ୍ତୁତି ଆରମ୍ଭ କରିଦେଇଥାନ୍ତି ବୋଲି ପ୍ରକାଶ କରିଛନ୍ତି ।

କହିବାକୁ ଗଲେ ଏହି ଶୁଭ ମାଟି ଅନୁକୂଳ ପର୍ବରୁ ହିଁ ଢେଙ୍କାନାଲ ସହରରେ ଗଜଲକ୍ଷ୍ମୀ ପୂଜା ଉତ୍ସବର ମାହୋଲ ସୃଷ୍ଟି କରିଛି । ଆଉ କିପରି ପୂଜା ଆକର୍ଷଣୀୟ ହେବ ଆଉ ଦର୍ଶକ ମାନଙ୍କୁ ନିଜ ନିଜ ପୂଜା ମଣ୍ଡପ ଆଡକୁ ଆକର୍ଷିତ ହେବେ ସେଥିପାଇଁ ପ୍ରତିଷ୍ଠାନ ଗୁଡିକ ମଧ୍ୟରେ ଆଜିଠାରୁ ସାଜସଜ୍ଜାରେ ବେଶ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଆଉ କୋଭିଡ କଟକଣାରେ ଗତ ଦୁଇ ବର୍ଷ ଧରି ବାନ୍ଧି ହୋଇ ରହିଥିବା ପୂଜା ବଜାର ଚଳିତ ବର୍ଷ ବେଶ ଆକର୍ଷଣୀୟ ହୋଇ ପଡିବ ବୋଲି ପ୍ରଥମ ପ୍ରସ୍ତୁତିରୁ ଅନୁଭୂତ ହୋଇଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.