ଜମି ବିକ୍ରି ଆଳରେ ୮ଲକ୍ଷ ଟଙ୍କା ଠକେଇ, ୮ ଜଣଙ୍କୁ ବାନ୍ଧିଲା ପୋଲିସ

author img

By

Published : Sep 27, 2022, 2:13 PM IST

ଜମି ବିକ୍ରି ଆଳରେ ୮ଲକ୍ଷ ଟଙ୍କା ଠକେଇ, ୮ ଜଣଙ୍କୁ ବାନ୍ଧିଲା ପୋଲିସ

ଢେଙ୍କାନାଳରେ ଜମି ଦଲାଲ ସକ୍ରିୟ ହୋଇପଡିଥିବାବେଳେ, ଜାଲ୍‌ କାଗଜପତ୍ର ମାଧ୍ୟମରେ ଲୋକଙ୍କୁ ଠକେଇ ବଢ଼ିବାରେ ଲାଗିଛି । ଜମି ବିକ୍ରି ଆଳରେ ୮ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ୮ ଜଣଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

ଢେଙ୍କାନାଳ: ଜିଲ୍ଲାରେ ସକ୍ରିୟ ଜମି ଦାଲାଲ, ଜାଲ୍‌ ପଟ୍ଟା, ଆଧାର ଓ ଷ୍ଟାମ୍ପ ମାଧ୍ୟରେ ଜମି ବିକ୍ରି କରି ଟଙ୍କା ଲୁଟୁଛନ୍ତି ଜମି ଦଲାଲ । ଜମି ବିକ୍ରି ଆଳରେ ୮ଲକ୍ଷ ଠକେଇ ହୋଇଥିବା ଅଭିଯୋଗରେ ୮ଜଣଙ୍କୁ ଗିରଫ କଲା ପୋଲିସ । ଗିରଫ ଦଲାଲଙ୍କ ମାଲିକ ସାଜିଥିଲେ ଜଣେ ମହିଳା । ଏଭଳି ଅଭିଯୋଗ ଆସିଛି ଢେଙ୍କାନାଳ ଜିଲ୍ଲା ତୁମୁସିଂହା ଥାନା ଅନ୍ତର୍ଗତ କଣ୍ଟାପାଳ ଗ୍ରାମରୁ । ଗାଁର ଭ୍ରମର ବର ମହାଖୁଡ଼ ନାମକ ଜଣେ ବ୍ୟକ୍ତି ଠକେଇର ଶିକାର ହେବା ପରେ ଥାନାରେ ଅଭିଯୋଗ କରିଥିଲେ ।

ମିଳିଥିବା ସୂଚନା ଅନୁଯାୟୀ, ଭ୍ରମର ବର ମହାଖୁଡ଼ଙ୍କୁ ଗିରଫ ୮ ଜଣ ଜମି ଦଲାଲ ୨୨ ଡେସିମିଲ ଜାଗାକୁ ୨୨ଲକ୍ଷରେ ବିକ୍ରି କରିବା ପାଇଁ କହିଥିଲେ। ସହର ଉପକଣ୍ଠ ସରକାରୀ ଆଇଟିଆଇ ନିକଟରେ ଥିବା ମୁରାରୀ ପ୍ରସାଦ ପଣ୍ଡା ଓ ତାଙ୍କ ଭଉଣୀ ସୁଷମରାଣୀ ପଣ୍ଡାଙ୍କ ନାମରେ ଥିବା ଏହି ଜାଗାକୁ ବିକ୍ରି କରିବା ପାଇଁ ସୁଶାନ୍ତ ହୋତା ନାମକ ଜଣେ ଓକିଲଙ୍କ ସହାୟତାରେ ନକଲି କାଗଜପତ୍ର ପ୍ରସ୍ତୁତ କରିଥିଲେ। ଏପରିକି ଭ୍ରମର ବରଙ୍କଠାରୁ ନାଟକୀୟ ଢଙ୍ଗରେ ଏହି ଦଲାଲମାନେ ପର୍ଯ୍ୟାୟ କ୍ରମେ ୮ଲକ୍ଷ ଅଗ୍ରୀମ ଆକାରରେ ନେଇ ସାରିଥିଲେ ।

ଜମି ବିକ୍ରି ଆଳରେ ୮ଲକ୍ଷ ଟଙ୍କା ଠକେଇ, ୮ ଜଣଙ୍କୁ ବାନ୍ଧିଲା ପୋଲିସ

ତେବେ ବିଳମ୍ବ ହେବା ସହ ସେପଟେ ପ୍ରକୃତ ଜମି ମାଲିକ ଏହା ଜାଣିପାରି ଜାଗାରେ ନଟ ଫର ସେଲ ବୋର୍ଡ଼ ଲଗାଇବାରୁ ପ୍ରକୃତ ରହସ୍ୟ ପଦାକୁ ଆସିଥିଲା । ଫଳରେ ଭ୍ରମର ବର ଏ ବିଷୟରେ ଜାଣି ପାରି ଟାଉନ ଥାନାରେ ଜମି ଦଲାଲାଙ୍କ ଦ୍ବାରା ଠକାମୀର ଶିକାର ହୋଇଥିବା ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ଟାଉନ ପୋଲିସ ଏକ ମାମଲା ରୁଜୁ କରିବା ସହ ତଦନ୍ତ କରି ନକଲି ଜମି ମାଲିକ ସାଜିଥିବା ଜଣେ ମହିଳାଙ୍କ ସମେତ ୮ଜଣଙ୍କୁ ଗିରଫ କରିଛି । ଏଥି ସହ ଜମି ବିକ୍ରି ରାକେଟରେ ସମ୍ପୃକ୍ତ ଥିବା ନକଲି ଆଧାର, ଜମି ପଟ୍ଟା ଓ ଷ୍ଟାମ୍ପ୍‌ ଆଦି ଜବତ କରିଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ-ଭଡାଘରେ ଚାଲିଥିଲା ସେକ୍ସ ରାକେଟ, ବନ୍ଧା ହେଲେ ୩ ଯୁବକ

ଗିରଫ ଅଭିଯୁକ୍ତ ହେଉଛନ୍ତି ଢେଙ୍କାନାଳ ସହରର ପେଷାଦାର ଦଲାଲ ପ୍ରଦୀପ ରାଉତ, ଦେବାଶିଷ ପଟ୍ଟନାୟକ, ଶ୍ୟାମଚରଣପୁରର ନିର୍ମଳ ଧଳ ଓ ନକଲି ଜମି ମାଲିକ ସାଜିଥିବା ତୁମୁସିଂହା ଥାନା ଅନ୍ତର୍ଗତ ବାରୁଆଁ ଗ୍ରାମର ଜୋଶବନ୍ତ ଭୁତିଆ ଓ କୋଟଗରାର ମହିଳା ଟିକିନା ମଲିକ, ମଙ୍ଗଳପୁରର ଶ୍ରୀକାନ୍ତ ନାୟକ, ଗୁପଚୁପ୍‌ ବ୍ୟବସାୟୀ ଅନୀଲ ଚୌଧୁରୀ ଓ ଜେରକ୍ସ ଦୋକାନୀ ରଞ୍ଜିତ ମହାରଣା । ଏହା ପୂର୍ବରୁ ମଧ୍ୟ ଢେଙ୍କାନାଳରେ ଜମି ଦଲାଲ ସକ୍ରିୟ ହୋଇପଡିଥିବାବେଳେ ଜାଲ୍‌ କାଗଜପତ୍ର ମାଧ୍ୟମରେ ଲୋକଙ୍କୁ ଠକେଇ ବଢ଼ିବାରେ ଲାଗିଛି । ଗତ କିଛି ମାସ ପୂର୍ବେ ଜାଲ୍‌ ପଟ୍ଟା କରି ନକଲି ଜମି ମାଲିକ ଜମି ବିକ୍ରି କରିବା ଅଭିଯୋଗରେ ପୋଲିସ ୭ଜଣଙ୍କୁ ଗିରଫ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.