ଏପ୍ରିଲ ୩ରେ ହିନ୍ଦୋଳ ଏନଏସି ନିର୍ବାଚନ, ନାମାଙ୍କନ ଭରିଲେ ୩ ପ୍ରମୁଖ ଦଳର ପ୍ରାର୍ଥୀ

author img

By

Published : Mar 14, 2023, 10:40 PM IST

ହିନ୍ଦୋଳ ଏନଏସି ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ୩ ପ୍ରମୁଖ ଦଳର ପ୍ରାର୍ଥୀ

ଆସନ୍ତା ଏପ୍ରିଲ ୩ ତାରିଖରେ ହିନ୍ଦୋଳ ବିଜ୍ଞାପିତ ପରିଷଦର ନିର୍ବାଚନ । ଆସନ୍ତାକାଲି ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ରହିଥିବାବେଳେ ଆଜି ଶୋଭାଯାତ୍ରାରେ ଆସି ସମସ୍ତ ୧୬ ୱାର୍ଡ ସହ ଅଧ୍ୟକ୍ଷ ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, କଂଗ୍ରେସ ଓ ବିଜେପି । ଅଧିକ ପଢ଼ନ୍ତୁ

ହିନ୍ଦୋଳ ଏନଏସି ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ୩ ପ୍ରମୁଖ ଦଳର ପ୍ରାର୍ଥୀ

ଢେଙ୍କାନାଳ: ଆସନ୍ତା ଏପ୍ରିଲ ୩ ତାରିଖରେ ହିନ୍ଦୋଳ ବିଜ୍ଞାପିତ ପରିଷଦର ନିର୍ବାଚନ ହେବାକୁ ଯାଉଛି । ଆସନ୍ତାକାଲି (ବୁଧବାର) ପ୍ରାର୍ଥୀପତ୍ର ଦାଖଲର ଅନ୍ତିମ ଦିନ ରହିଛି । ଫଳରେ ହିନ୍ଦୋଳ ବିଜ୍ଞାପିତ ପରିଷଦ ଅଞ୍ଚଳରେ ନିର୍ବାଚନୀ ତାତି ଦେଖିବାକୁ ମିଳିଛି । ଆଜି ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ଅଧ୍ୟକ୍ଷ ଓ ସମସ୍ତ ୧୬ ଗୋଟି ୱାର୍ଡ କାଉନସିଲର ପଦବୀ ପାଇଁ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ପ୍ରମୁଖ ଦଳ ବିଜେଡି, କଂଗ୍ରେସ ଓ ବିଜେପି ପକ୍ଷରୁ ଶୋଭାଯାତ୍ରାରେ ଆସି ହିନ୍ଦୋଳ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପ୍ରଥମେ ବିଜେପି ଏକ ଶୋଭାଯାତ୍ରାରେ ୧୬ଟି ୱାର୍ଡ ପାଇଁ ପ୍ରାର୍ଥୀ ଓ ଚେୟାରମ୍ୟାନ ପଦବୀ ପାଇଁ ସୌଭାଗିନୀ ପ୍ରଧାନ ପ୍ରାର୍ଥୀ ଭାବେ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ଶୋଭାଯାତ୍ରାରେ ରାଜ୍ୟ ବିଜେପି ମହିଳା ସଭାପତି ଭାରତୀ ପରିଡା, ଜିଲ୍ଲା ସଭାପତି ଓ ବିଜେପିର ବରିଷ୍ଠ କର୍ମକର୍ତ୍ତା ସାମିଲ ଥିଲେ । ପରେ ବିଜେଡିର ଏକ ବିଶାଳ ଶୋଭାଯାତ୍ରା ଆସି ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚିଥିଲା । ୧୬ଟି ୱ।ର୍ଡ ପାଇଁ ପ୍ରାର୍ଥୀଙ୍କ ସମେତ ଅଧ୍ୟକ୍ଷ ପଦବୀ ପାଇଁ କେଶବ ପ୍ରଧାନ ବିଜେଡିରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏହି ଶୋଭାଯାତ୍ରରେ ହିନ୍ଦୋଳ ବିଧାୟିକା ସୀମାରଣୀ ନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରିୟରଞ୍ଜନ ମାହୁନ୍ତ, ଢେଙ୍କାନାଳ ସଦର, ତାଳଚେର, ଆଠମଲ୍ଲିକ, ଭୁବନେଶ୍ୱର ଉତ୍ତର ଆଦି ବିଧାୟକ ମାନଙ୍କ ସହିତ ବରିଷ୍ଠ ନେତାମାନେ ସାମିଲ ଥିଲେ । ସେହିପରି କଂଗ୍ରେସ ପକ୍ଷରୁ ଶୋଭାଯାତ୍ରାରେ ଆସି ସମସ୍ତ ୧୬ ୱ।ର୍ଡ ପାଇଁ ପ୍ରାର୍ଥୀ ଏବଂ ଚେୟାରମ୍ୟାନ ପଦବୀ ପାଇଁ ରିତା ପଲେଇ ତାଙ୍କର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା ଓ କଂଗ୍ରେସ ଜିଲ୍ଲା ସଭାପତି ପ୍ରମୁଖ ପ୍ରାର୍ଥିପତ୍ର ଦାଖଲ ସମୟରେ ଉପସ୍ଥିତ ଥିଲେ । ବିଜେଡି ଓ କଂଗ୍ରେସ ପକ୍ଷରୁ ହିନ୍ଦୋଳରେ ନିଜ ଦଳୀୟ ପ୍ରାର୍ଥୀମାନେ ବାଜିମାତ କରିବେ ବୋଲି ଦଳୀୟ ନେତୃବୃନ୍ଦ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଓ ଲୋକାଭିମୁଖୀ ଯୋଜନା କାରଣରୁ ହିନ୍ଦୋଳରେ ଚଳିତ ନିର୍ବଚନରେ ବିଜେଡି ଅଧ୍ୟକ୍ଷ ପଦବୀ ସହ ସମସ୍ତ ୧୬ଟି ୱାର୍ଡ ଦଖଲ କରିବ ବୋଲି ହିନ୍ଦୋଳ ବିଧାୟିକା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

ସୂଚନା ଥାଉକି, ଗତ ୨୦୧୭ ମସିହାରେ ରାଜ୍ୟରେ ନୂଆପଡା, ହିନ୍ଦୋଳ ଓ ଅତାବିରା ବିଜ୍ଞାପିତ ପରିଷଦ ଅଞ୍ଚଳ ଘୋଷଣା ଓ ପରେ ନିର୍ବାଚନ ହୋଇଥିଲା । ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ଏହି ହିନ୍ଦୋଳ ଏନଏସି ନିର୍ବାଚନ ହେବାକୁ ଯାଉଛି । ହିନ୍ଦୋଳର ମୋଟ ୧୬ଟି ୱାର୍ଡ ରହିଥିବାବେଳେ ପ୍ରଥମେ କଂଗ୍ରେସ ଅଧ୍ୟକ୍ଷା ପଦବୀ ଓ ପରେ ଅନାସ୍ଥାରେ ପଦବୀ ହରାଇଥିଲା । ଫଳରେ ବିଜେଡି ହାତରେ ଅଧ୍ୟକ୍ଷା ପଦବୀ ରହିଥିଲା । ମୋଟ ୧୬ଟି ୱାର୍ଡରୁ ବିଜେଡି ସର୍ବାଧିକ ୧୩ଟି, ବିଜେପି ଗୋଟିଏ ଓ ସ୍ୱାଧୀନ ହାତରେ ୨ଟି ୱାର୍ଡ ରହିଥିଲା । ମାତ୍ର କଂଗ୍ରେସକୁ କୌଣସି ୱାର୍ଡ ମିଳିନଥିଲା । ତେବେ ଚଳିତ ବର୍ଷ ଅଧ୍ୟକ୍ଷ ପଦବୀ ପାଇଁ ସିଧା ସଳଖ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ଆସନ୍ତାକାଲି ଅର୍ଥାତ ୧୫ ତାରିଖ ନାମାଙ୍କନ ପତ୍ର ଦାଖଲର ଅନ୍ତିମ ଦିବସ ରହିଛି । ୧୭ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ୨୦ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ଆସନ୍ତା ଏପ୍ରିଲ ୩ ତାରିଖରେ ଭୋଟ ଗ୍ରହଣ ଓ ୫ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବାକୁ ବିଜ୍ଞପ୍ତି ରହିଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.