ଉଦଯାପିତ ହେଲା ଉତ୍ସବ ପ୍ରଧାନପାଟ, ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ

author img

By

Published : Jan 27, 2023, 6:10 PM IST

ଉଦଯାପିତ ହେଲା ପ୍ରଧାନପାଟ ଉତ୍ସବ

ପ୍ରଧାନପାଟ ଜଳପ୍ରପାତ ପାଦଦେଶରେ ଅନୁଷ୍ଠିତ ହୋଇଥିଲା 'ପ୍ରଧାନପାଟ ଉତ୍ସବ 2023' । ପାଞ୍ଚଦିନ ଧରି ଚାଲିଥିବା ଏହି ଜିଲ୍ଲା ସ୍ତରୀୟ ଉତ୍ସବକୁ ମନଭରି ଉପଭୋଗ କରିଥିଲେ ହଜାର ହଜାର ଦର୍ଶକ ।

ଉଦଯାପିତ ହେଲା ପ୍ରଧାନପାଟ ଉତ୍ସବ

ଦେବଗଡ଼: ଉଦଯାପିତ ହୋଇଯାଇଛି ପ୍ରଧାନପାଟ ଉତ୍ସବ 2023 । ଜିଲ୍ଲାର ବଡ଼ବଗିଚା ପଡ଼ିଆରେ ଗତ 20 ତାରିଖ ଠାରୁ 24 ତାରିଖ ପର୍ଯ୍ୟନ୍ତ ପାଞ୍ଚଦିନ ଧରି ଅନୁଷ୍ଠିତ ହୋଇଥିଲା ଏହି ଜିଲ୍ଲାସ୍ତରୀୟ ଉତ୍ସବ । ଏହି ଜିଲ୍ଲାସ୍ତରୀୟ ଉତ୍ସବ କୁ ମନଭରି ଉପଭୋଗ କରିଥିଲେ ଜିଲ୍ଲାବାସୀ । ଉତ୍ସବ ର ପ୍ରତିଟି ସନ୍ଧ୍ୟା ରେ ଆୟୋଜିତ ହୋଇଥିବା ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ରେ ଝୁମିଥିଲେ ହଜାର ହଜାର ସଂଖ୍ୟାକ ଦର୍ଶକ । ଉତ୍ସବ ର ମଞ୍ଚ କୁ ଅଧିକ ରଙ୍ଗୀନ କରିଥିଲେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ବିଶିଷ୍ଟ କଳାକାର ଓ ନୃତ୍ୟଶିଳ୍ପୀ ।

ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀଙ୍କ ଉଚ୍ଚ କୋଟିର ଓଡିଶୀ ନୃତ୍ୟ ସଙ୍ଗକୁ ସର୍ବେଶ୍ୱର ଭୋଇ ଙ୍କ ସମ୍ବଲପୁରୀ ଲୋକନୃତ୍ୟ, ଭଦ୍ରକ ର ମଗୋଲ ତାମସା , କଲିକତାର କ୍ରିଏଟିଭ ଡ୍ୟାନ୍ସ , ଓଲିଉଡ ସିଙ୍ଗର ହ୍ୟୁମାନ ସାଗର ଓ ସୁନାମଧନ୍ୟ ସମ୍ବଲପୁରୀ ସିଙ୍ଗର ମଣ୍ଟୁ ଛୁରିଆ ଙ୍କ ସଙ୍ଗୀତ ଡ୍ୟାନ୍ସ , କଲିକତା ର ବିହୁ , ଖୋର୍ଦ୍ଧା ପାଇକ ଆଖଡା , ବଲିଉଡ ସିଙ୍ଗର ଭିକ୍ଟର ଦେ ଏବଂ ଶର୍ମିଷ୍ଠା ସରକାର ଙ୍କ ସଙ୍ଗୀତ ଓ ନୃତ୍ୟ ଦର୍ଶକଙ୍କ ମନକୁ ବେଶ ଛୁଇଁପାରିଥିଲା । ମଞ୍ଚରେ ପ୍ରଦର୍ଶିତ ହୋଇଥିବା ବିଭିନ୍ନ ଲୋକ କଳା ଓ ପାରମ୍ପାରିକ ଉଚ୍ଚକୋଟୀର ସଙ୍ଗୀତ ଓ ନୃତ୍ୟ ପରିବେଷଣ ଦର୍ଶକଙ୍କୁ ଆତ୍ମବିଭର କରିଥିଲା । ଏହି କାର୍ଯ୍ୟକ୍ରମ କୁ ହଜାର ହଜାର ସଂଖ୍ୟାରେ ଦର୍ଶକ ବିଳମ୍ବିତ ରାତି ପର୍ଯ୍ୟନ୍ତ ବେସ ଉପଭୋଗ କରିଥିଲେ ।

ଉତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପ୍ରଶାସନ ର ସହଯୋଗରେ ଓରମାସ ପକ୍ଷରୁ ଆୟୋଜିତ ହୋଇଥିଲା ପଲ୍ଲୀଶ୍ରୀ ମେଳା । ଏହି ମେଳାରେ ଶତାଧିକ ଷ୍ଟଲ ଖୋଲାଯାଇଥିଲା । ଏଥିସହ ପ୍ରଶାସନ ସହଯୋଗରେ ଫୁଡ଼ ମେଳା, କୃଷି ମେଳା ଓ ମିନାବଜାର ଆୟୋଜିତ ହୋଇଥିଲା । ପ୍ରତି ସନ୍ଧ୍ୟାରେ ବହୁ ସଂଖ୍ୟାରେ ଦର୍ଶକ ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଉପଭୋଗ କରିବା ସହିତ ପଲ୍ଲୀଶ୍ରୀ ମେଳା ଓ ମିନାବଜାର ବୁଲି ନିଜନିଜ ବ୍ୟବହାର୍ଯ୍ୟ ଉପକରଣ କ୍ରୟ କରିଥିଲେ । ଚଳିତ ବର୍ଷ ଅଧିକ ଜନ ସମାଗମ ହୋଇଥିବାରୁ ଏହି ମେଳାରେ ବ୍ୟବସାୟ ମଧ୍ୟ ଆଶାନୁରୂପ ହୋଇଥିଲା ଓ ଏଠାକୁ ଆସିଥିବା ବିକ୍ରେତା ମଧ୍ୟ ଆତ୍ମସନ୍ତୋଷ ପ୍ରକାଶ କରିଥିଲେ ।


ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ସୋମେଶ ଉପାଧ୍ୟାୟ ଙ୍କ ପ୍ରତକ୍ଷ ତତ୍ୱାବଧାନ ରେ ଆୟୋଜିତ ଏହି ଜିଲ୍ଲା ମହୋତ୍ସବ କୁ ମୁଖ୍ୟ ଅତିଥି ଭାବେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ । ପ୍ରଶାସନ ର ସହଯୋଗରେ ପୂର୍ବବର୍ଷ ତୁଳନାରେ ଚଳିତବର୍ଷ ଏହି ଉତ୍ସବ କୁ ଅଧିକ ମନୋରମ ଓ ଆକର୍ଷଣୀୟ କରାଯାଇଥିବା ଓ ଶାନ୍ତି ଶୃଙ୍ଖଳା ପ୍ରତି ଗୁରୁତ୍ୱ ଦିଆଯାଇଥିବା କାରଣରୁ ଜିଲ୍ଲାବାସୀ ଏହାକୁ ମନଭରି ଉପଭୋଗ କରିଥିଲେ । ପ୍ରବଳ ଜନ ସମାଗମ ସତ୍ତ୍ବେ ଶୃଙ୍ଖଳିତ ଭାବେ ଏହି ଉତ୍ସବ ପାଳନ ହୋଇଥିବା ସମସ୍ତ ଜିଲ୍ଲାବାସୀଙ୍କୁ ଆସ୍ୱସ୍ତି କରିଛି ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.