ଦେବଗଡ଼ରେ ସକ୍ରିୟ ନକଲି ନୋଟ କାରବାର, ତଦନ୍ତକୁ ଜୋରଦାର କଲା STF

author img

By

Published : Dec 18, 2022, 3:59 PM IST

ନକଲି ନୋଟ କାରବାରରେ ଦୁଇ ଅଟକ

ନକଲି ନୋଟ କାରବାରରେ ତଦନ୍ତକୁ ଜୋରଦାର କଲା ଏସଟିଏଫ । ଦେବଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ସହ ପୂର୍ବରୁ ଏହି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତର ସହଯୋଗୀଙ୍କୁ ଉଠାଇ ଆଣି ପଚରାଉଚରା ଚଳାଇଛି ପୋଲିସ । ଅଧିକ ପଢ଼ନ୍ତୁ

ଦେବଗଡ଼ରେ STF ଚଢ଼ାଉ

ଦେବଗଡ଼: ନକଲି ନୋଟ କାରବାରରେ ଏସଟିଏଫ (Special Task Force) ଦ୍ୱାରା ଦେବଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାଲିଛି ଜୋରଦାର ଚଢ଼ାଉ । ଶୁକ୍ରବାର ଏହି କାରବାରରେ ସମ୍ପୃକ୍ତ ଥିବା ଦେବଗଡ଼ ସହରାଞ୍ଚଳର ତୁଷାର ବିଶ୍ୱାଳ ନାମକ ଯୁବକ ଗିରଫ ହେବାପରେ ଆଜି ପୁଣି ଏହି କାରବାରରେ ସମ୍ପୃକ୍ତ ଥିବା ସହରାଞ୍ଚଳର ୨ ଅଭିଯୁକ୍ତଙ୍କୁ ଉଠାଇ ଏସଟିଏଫ ତଦନ୍ତ ଜାରି ରଖିଛି ।

ସୂଚନା ଅନୁଯାୟୀ, ଏସଟିଏଫ ଦ୍ଵାରା ଢେଙ୍କାନାଳ ସଦର ଥାନା ଅଞ୍ଚଳରୁ ନକଲି ନୋଟ ଜବତ ମାମଲାରେ ପୋଲିସ ପକ୍ଷରୁ ତଦନ୍ତକୁ ଜୋରଦାର କରାଯାଇଛି । ଦେବଗଡ ସହରରେ ଢେଙ୍କାନାଳ ସଦର ଥାନା ପୋଲିସ ପହଞ୍ଚି ମାରାଥନ ଚଢାଉ କରିଛି । ଦେବଗଡ ସହରର ବିଭିନ୍ନ ସନ୍ଦେହଜନକ ସ୍ଥାନରେ ପୋଲିସ ପକ୍ଷରୁ ଚଢାଉ କରାଯାଇଛି । ଏହି ଘଟଣାରେ ଏସଟିଏଫ ଦ୍ଵାରା ଗତ ୧୬ ତାରିଖ ଶୁକ୍ରବାର ଗିରଫ ହୋଇଥିବା ଅଭିଯୁକ୍ତ ତୁଷାର ବିଶ୍ବାଳଙ୍କୁ ଦେବଗଡ ଆଣି ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି । ତୁଷାରଙ୍କୁ ସହାୟତା କରୁଥିବା ଅଭିଯୋଗରେ ଅନ୍ୟ ୨ ଜଣଙ୍କୁ ଢେଙ୍କାନାଳ ସଦର ଥାନା ପୋଲିସ ଉଠାଇ ଆଣି ଜେରା କରିଛି । ତୁଷାରଙ୍କ ସହଯୋଗୀ ଦେବଗଡ ସହର ବରପାଲି ସାହିର କହ୍ନେଇ ଓରଫ ଅମରନାଥ ଆଚାର୍ଯ୍ୟ ଓ ତ୍ରୀନାଥ ଦାସଙ୍କୁ ମୁହାଁମୁହିଁ କରି ପଚରାଉଚରା ଚାଲିଛି ।

ଏହା ମଧ୍ୟ ପଢ଼ନ୍ତୁ...ନକଲି ନୋଟ କାରବାର: ଲକ୍ଷାଧିକ ଟଙ୍କାର ନକଲି ନୋଟ ଜବତ, NIAକୁ ଜଣାଇବ STF

ସେହିପରି ଢେଙ୍କାନାଳ ସଦର ଥାନା ଆଇଆଇସିଙ୍କ ନେତୃତ୍ଵରେ ସହର ଭିତରେ ତଥା ସହର ବାହାର ବିଭିନ୍ନ ସନ୍ଦିଗ୍ଧ ସ୍ଥାନରେ ଚଢାଉ ଜାରି ରହିଛି । ଏହି ନକଲି ନୋଟ କାରବାରରେ ଦେବଗଡ଼ ସହରର ଆଉ କିଛି ପ୍ରଭାବଶାଳୀ ଲୋକଙ୍କ ହାତଥିବା ସନ୍ଦେହ କରାଯାଉଛି । ଏସଟିଏଫ ଦ୍ଵାରା ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ରଥପଡା ଅଞ୍ଚଳରୁ ତୁଷାରଙ୍କୁ ଗିରଫ କରି ତାଙ୍କ ଠାରୁ ୧ ଲକ୍ଷ ୯୦ ହଜାର ୬ ଶହ ଟଙ୍କାର ନକଲି ପାଞ୍ଚ ଶହ ଓ ଏକ ଶହ ଟଙ୍କିଆ ନୋଟ ଜବତ କରାଯାଇଥିବାବେଳେ ଏହାର ମାଷ୍ଟରମାଇଣ୍ଡ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ପୋଲିସ ତଦନ୍ତକୁ ଜୋରଦାର କରିଛି ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.