ଉଜୁଡି ଯାଉଛି କମଳା ଚାଷ , ମିଳୁନି ସରକାରୀ ପ୍ରୋତ୍ସାହନ

author img

By

Published : Dec 5, 2022, 5:49 PM IST

ଉଜୁଡି ଯାଉଛି କମଳା ଚାଷ , ମିଳୁନି ସରକାରୀ ପ୍ରୋତ୍ସାହନ

ଜଳବାୟୁ ପରିବର୍ତ୍ତନ ସହିତ ରୋଗପୋକ ଆକ୍ରମଣ ଜିଲ୍ଲାର କମଳା ଚାଷକୁ ବେଶ ପ୍ରଭାବିତ କରିଛି । କମଳା ଚାଷକୁ ଜୀବିକା ଭାବେ ଆଦରି ନେଇଥିବା ଦେବଗଡ଼ ଜିଲ୍ଲାର ଶତାଧିକ କମଳା ଚାଷୀ ଏବେ ଚିନ୍ତାରେ । ଅଧିକ ପଢନ୍ତୁ

ଦେବଗଡ: ଜଳବାୟୁ ପରିବର୍ତ୍ତନ ସାଙ୍ଗକୁ ରୋଗପୋକର ଆକ୍ରମଣ ଜିଲ୍ଲାର କମଳା ଚାଷକୁ ବେଶ ପ୍ରଭାବିତ କରିଛି । କମଳା ଚାଷକୁ ଜୀବିକା ଭାବରେ ଆଦରି ନେଇଥିବା ଦେବଗଡ ଶତାଧିକ କମଳା ଚାଷୀ ଏବେ ଚିନ୍ତାରେ ।

ଉଜୁଡି ଯାଉଛି କମଳା ଚାଷ , ମିଳୁନି ସରକାରୀ ପ୍ରୋତ୍ସାହନ

ବନପାହାଡ ପରିବେଷ୍ଟିତ ଦେବଗଡ ଜିଲ୍ଲାର ମୃତ୍ତିକା ଓ ଜଳବାୟୁ କମଳା ଚାଷ ପାଇଁ ବେଶ ଉପଯୋଗୀ । ତେଣୁ ଦେବଗଡ ଜିଲ୍ଲା ରିଆମାଳ ବ୍ଲକର କୁଣ୍ଢେଇଗୋଳା , ବୁଢାପାଳ , ଝରାବେର୍ଣ୍ଣି , ଖିଲବେର୍ଣ୍ଣି , ଚଢେଇମରା ଓ ତୁଙ୍ଗାମାଲ ଆଦି ଦଶଖଣ୍ଡ ଗ୍ରାମର ଶତାଧିକ ଚାଷୀ କମଳା ଚାଷ ଉପରେ ନିର୍ଭର କରି ଚଳି ଆସୁଛନ୍ତି । ଏହି ଅଂଚଳରେ ପ୍ରାୟ 500 ଏକର ରୁ ଅଧିକ ବଗିଚାରେ କମଳା ଚାଷ ହୋଇଥାଏ ।

ତେବେ ଏଠିକାର କମଳା ଅଧିକ ସୁସ୍ବାଦୁ ହୋଇଥିବାରୁ ବଜାରରେ ମଧ୍ୟ ଏହାର ବେଶ ଚାହିଦା ରହିଛି । ଦେବଗଡ ଜିଲ୍ଲାରୁ ଉତ୍ପାଦିତ କମଳା କଟକ , ଭୁବନେଶ୍ବର , ସମ୍ବଲପୁର , ଅନୁଗୁଳ , ରାଉରକେଲା ଆଦି ଅଞ୍ଚଳକୁ ରପ୍ତାନି ହୋଇଥାଏ । କମଳା କିଲୋପ୍ରତି 40 ଟଙ୍କାରୁ 60 ଟଙ୍କା ଦରରେ ବିକ୍ରୟ କରି ଚାଷୀମାନେ ପ୍ରତିବର୍ଷ ବେଶ ଭଲ ଦୁଇ ପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରିଥାନ୍ତି ।

ମାତ୍ର ବିଗତ କିଛିବର୍ଷ ହେଲା ଜଳବାୟୁ ପରିବର୍ତ୍ତନ ସାଙ୍ଗକୁ ରୋଗପୋକ ଆକ୍ରମଣ ଜିଲ୍ଲାର କମଳା ଚାଷୀଙ୍କୁ ଚିନ୍ତାରେ ପକାଇ ଦେଇଛି । ଚାଷ ସମୟରେ ଅଧିକାଂଶ ସମୟ କୋହଳା ପାଗ ଲାଗି ରହୁଥିବାରୁ କମଳା ର ଆକାର ବୃଦ୍ଧି ପାଇନାହିଁ । ଏଥିସହିତ ଏକ ଅଜଣା ପ୍ରଜାତିର କୀଟ ଦଂଶନ ଯୋଗୁଁ କମଳା ଗୁଡିକ ଅମଳ ପୂର୍ବରୁ ଗଛରୁ ଝଡି ପଡୁଛି ।

କୀଟ ଦଂଶନ ଯୋଗୁଁ ପ୍ରତି ବଗିଚାରେ କ୍ବିଣ୍ଟାଲ କ୍ବିଣ୍ଟାଲ କମଳା ଝଡି ନଷ୍ଟ ହୋଇଯାଉଥିବା ଦେଖାଯାଇଛି । କୀଟ ଦଂଶନ ଦାଉରୁ କମଳା ଗୁଡିକୁ ସୁରକ୍ଷିତ ରଖିବା ପାଇଁ ଜିଲ୍ଲା କୃଷି ଉଦ୍ୟାନ ବିଭାଗର ପରାମର୍ଶ ଅନୁଯାୟୀ ଯେତେ ଔଷଧ ସିଞ୍ଚନ କଲେ ସୁଦ୍ଧା କୌଣସି ସୁଫଳ ମିଳିପାରୁ ନାହିଁ । ଫଳରେ ଏହି ଚାଷ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଜିଲ୍ଲାର ଶହ ଶହ ଚାଷୀ ନିରାଶ ହୋଇ ପଡିଛନ୍ତି ।

ଅପରପକ୍ଷରେ , ଜିଲ୍ଲାର କମଳା ଚାଷୀ ଉକ୍ତ କାରଣରୁ ପ୍ରତିବର୍ଷ ଲକ୍ଷାଧିକ ଟଙ୍କାର କ୍ଷତି ସହି ଆସୁଥିଲେ ସୁଦ୍ଧା ସେମାନଙ୍କୁ କୌଣସି ସରକାରୀ ତାଲିମ କିମ୍ବା ପ୍ରୋତ୍ସାହନ ମିଳିପାରୁନାହିଁ । ଏଥିଯୋଗୁଁ କମଳା ଚାଷ ପ୍ରତି ଚାଷୀଙ୍କ ଉତ୍ସାହ କମି ଆସୁଥିବା ପରିଲକ୍ଷିତ ହୋଇଛି ।

ଇଟିଭି ଭାରତ, ଦେବଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.