ପାହାଡ଼ ଉପରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ, 2 ଅଭିଯୁକ୍ତ ଗିରଫ

author img

By

Published : Dec 12, 2022, 10:58 AM IST

ପାହାଡ଼ ଉପରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ, ହତ୍ୟାକାଣ୍ଡର ହେଲା ପର୍ଦ୍ଦାଫାସ

ପାହାଡ଼ ଉପରୁ ମିଳିଲା ଯୁବକଙ୍କ ମୃତଦେହ । ମୃତ ଯୁବକ ହେଲେ ଦେବଗଡ଼ ଥାନା ଅନ୍ତର୍ଗତ ଉଟୁଣିଆମୁଣ୍ଡା ଗ୍ରାମର ରମେଶ ମୁଣ୍ଡା । ଅଧିକ ପଢ଼ନ୍ତୁ

ଦେବଗଡ଼: ପାହାଡ଼ ଉପରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ । ମୃତ ଯୁବକ ହେଲେ ଦେବଗଡ଼ ଥାନା ଅନ୍ତର୍ଗତ ଉଟୁଣିଆମୁଣ୍ଡା ଗ୍ରାମର ରମେଶ ମୁଣ୍ଡା । ତାଙ୍କୁ ହତ୍ୟା ପରେ ପାହାଡ଼ ଉପରେ ଫୋପାଡ଼ି ଦିଆଯାଇଥିଲା । ଏହି ଘଟଣାରେ ରମେଶଙ୍କ ଭିଣୋଇ ଓ ସମ୍ପର୍କୀୟ ମାମୁଁକୁ ଗିରଫ କରିଛି ପୋଲିସ ।

ପାହାଡ଼ ଉପରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ, ହତ୍ୟାକାଣ୍ଡର ହେଲା ପର୍ଦ୍ଦାଫାସ


ସୂଚନା ଅନୁଯାୟୀ, ଉଟୁଣିଆମୁଣ୍ଡା ଗ୍ରାମର ରମେଶ ମୁଣ୍ଡା ନାମକ ଜଣେ ଯୁବକଙ୍କ ବଡ ଭଉଣୀ ଜେମା ମୁଣ୍ଡାଙ୍କୁ ସିଙ୍ଗରାଇ ମୁଣ୍ଡା ନାମକ ଜଣେ ବ୍ୟକ୍ତି ତିନି ବର୍ଷ ତଳେ ଭଲପାଇ ଦ୍ବିତୀୟ ସ୍ତ୍ରୀ ଭାବରେ ବିବାହ କରିଥିଲେ । ସେମାନଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ଜନ୍ମ ହୋଇଥିଲା। ବର୍ଷକ ତଳେ ଜେମାଙ୍କ ବାପାର ମୃତ୍ୟୁ ହେବାପରେ ସେ ନିଜ ଘରକୁ ଶୁଦ୍ଧି କ୍ରିୟାରେ ଯୋଗଦାନ କରିବାକୁ ଆସିଥିଲେ । ଶୁଦ୍ଧିକ୍ରିୟା ପରେ ଜେମା ଆଉ ସ୍ବାମୀ ସିଙ୍ଗରାଇ ସହ ନଯାଇ ଅନ୍ୟ ଜଣେ ଯୁବକଙ୍କ ସହ ପୁଅକୁ ସାଙ୍ଗରେ ନେଇ ଫେରାର ହୋଇଯାଇଥିଲେ।

ପରେ ଜେମା ଦ୍ବିତୀୟ ସ୍ବାମୀ ସହିତ ଆସି ଗାଁରେ ରହୁଥିଲେ । ଗତ ୩ ତାରିଖ ଦିନ ଜେମା ଓ ତାଙ୍କ ମାଆ ମିଶି ରମେଶଙ୍କୁ ସିଙ୍ଗରାଇଙ୍କ ଘରକୁ ପଠାଇଥିଲେ । ସିଙ୍ଗରାଇଙ୍କ ଔରସରୁ ଜନ୍ମ ହୋଇଥିବା ଶିଶୁପୁତ୍ରକୁ ସେ ନେଇଯିବା ପାଇଁ ରମେଶ ତାଙ୍କୁ କହିଥିଲେ । ଏହି ଘଟଣାକୁ ନେଇ ରମେଶ ଓ ସିଙ୍ଗରାଇଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ।

ପରେ ସିଙ୍ଗରାଇ ଓ ତାର ସହଯୋଗୀ ତଥା ସମ୍ପର୍କୀୟ ମାମୁଁ କଇରା ଲୁହୁରା ଆପୋଷ ସମାଧାନ କରିବା ବାହାନାରେ ରମେଶଙ୍କୁ ନିକଟସ୍ଥ ପାହାଡ଼ ଉପରକୁ ନେଇ ମଦ ପିଆଇବା ପରେ ଇଟାରେ ଛେଚି ରମେଶଙ୍କୁ ହତ୍ୟା କରିଥିଲେ । ରମେଶଙ୍କୁ ମାରିବା ପରେ ପାହାଡ ଉପରେ ତାର ମୃତଦେହକୁ ଫିଙ୍ଗି ଦେଇ ଡାଳ ପତ୍ର ଘୋଡାଇ ଚାଲିଆସିଥିଲେ ।

ଏପଟେ ପୁଅ ରମେଶ ଘରକୁ ନଫେରିବାରୁ ତାଙ୍କ ମାଆ ଏନେଇ ଦେବଗଡ ଆଦର୍ଶ ଥାନାରେ ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ । ଏନେଇ ପୋଲିସ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସମୟରେ ଜଙ୍ଗଲରେ ଏକ ମୃତଦେହ ପଡ଼ିଥିବା ସମ୍ପର୍କରେ କିଛି ଲୋକଙ୍କ ପାଖରୁ ସୂଚନା ପାଇଥିଲା ପୋଲିସ ।

ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ତେବେ ସେଠାରେ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖି ରମେଶଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ ପୋଲିସ । ଘଟଣାସ୍ଥଳରେ ମୃତ ରମେଶଙ୍କ ପରିବାର ଲୋକେ ପହଞ୍ଚି ମୃତଦେହକୁ ଚିହ୍ନଟ କରିଥିଲେ । ଏହାପରେ ପୋଲିସ ମୃତକଙ୍କ ପରିବାର ବର୍ଗର ଅଭିଯୋଗ ଅନୁସାରେ ନିଖୋଜ ରମେଶଙ୍କୁ ସିଙ୍ଗରାଇ ଓ ତାଙ୍କ ସମ୍ପର୍କୀୟ ମାମୁଁ କଇରା ମିଶି ମାରିଥିବା ଜାଣି ପାରିଥିଲା । ପରେ ଦେବଗଡ ଆଦର୍ଶ ଥାନା ପୋଲିସ ଅଭିଯୁକ୍ତ ସିଙ୍ଗରାଇ ଓ କଇରାକୁ ଗିରଫ କରି ଏକ ମାମଲା ରୁଜୁ କରିଛି ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.