ରଙ୍ଗମାଟିଆ ଗାଁରେ ବ୍ୟାପୁଛି କିଡନୀ ରୋଗ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପାଖରେ ନାହିଁ ଖବର

author img

By

Published : Sep 22, 2022, 1:49 PM IST

e

ଦେବଗଡ଼ ଜିଲ୍ଲାର ତିଳେଇବଣି ବ୍ଲକ ଅନ୍ତର୍ଗତ ରଙ୍ଗମାଟିଆ ଗ୍ରାମରେ ଅଣାୟତ୍ତ କିଡନୀ ରୋଗ । ୧୨ରୁ ଅଧିକ ଲୋକ ଏହି ରୋଗରେ ମୃତ୍ୟୁବରଣ କରିଥିବା ବେଳେ ବର୍ତ୍ତମାନ ୧୭ ଜଣରୁ ଅଧିକ ଲୋକ ଏହି ରୋଗରେ ଆକ୍ରାନ୍ତ ଅଛନ୍ତି । କିନ୍ତୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପାଖରେ ନାହିଁ ଖବର । ଏନେଇ ସରକାର ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି । ଅଧିକ ପଢ଼ନ୍ତୁ

ଦେବଗଡ଼: ଅଣାୟତ୍ତ ହେବାରେ ଲାଗିଛି କିଡନୀ ରୋଗ । ଜିଲ୍ଲାର ତିଳେଇବଣି ବ୍ଲକ ଅନ୍ତର୍ଗତ ରଙ୍ଗମାଟିଆ ଗ୍ରାମରେ କିଡନୀ ରୋଗକୁ ନେଇ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ବିଗତ କିଛି ବର୍ଷ ମଧ୍ୟରେ ଏହି ଗାଁର ୧୨ରୁ ଅଧିକ ଲୋକ କିଡନୀ ରୋଗରେ ମୃତ୍ୟୁବରଣ କରିଥିବା ବେଳେ ବର୍ତ୍ତମାନ ୧୭ ଜଣରୁ ଅଧିକ ଲୋକ ଏହି ରୋଗରେ ଆକ୍ରାନ୍ତ ଅଛନ୍ତି । ତେବେ ଏଦିଗରେ ଜିଲ୍ଲା ପ୍ରଶାସନ ଓ ସରକାର ତୁରନ୍ତ ଦୃଷ୍ଟି ନଦେଲେ ଆଗାମୀ ଦିନରେ ଆହୁରି କେତେ ମୂଲ୍ୟବାନ ଜୀବନ ଅକାଳରେ ଝଡ଼ିଯିବ, ତାହା କହିବା ମୁସ୍କିଲ ।

ରଙ୍ଗମାଟିଆ ଗାଁରେ ବ୍ୟାପୁଛି କିଡନୀ ରୋଗ

ସୂଚନା ଅନୁସାରେ ଦେବଗଡ଼ ଜିଲ୍ଲାର ତିଳେଇବଣି ବ୍ଲକ ଅନ୍ତର୍ଗତ ରଙ୍ଗମାଟିଆ ଗ୍ରାମରେ ମାରାତ୍ମକ କିଡ୍‌ନୀ ରୋଗ ଆତଙ୍କ ଖେଳାଇଛି । ଗାଁର ଜଣେ ପରେ ଜଣେ ଏହି ମାରାତ୍ମକ ରୋଗରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି । ଅକାଳରେ ଗୋଟିଏ ପରେ ଗୋଟିଏ ଜୀବନ ଝଡି ଯାଉଛି । ତେବେ ବେସରକାରୀ ସୂତ୍ର ଅନୁଯାୟୀ, ବିଗତ ଆଠ ବର୍ଷ ମଧ୍ୟରେ ଏହି ଗାଁରେ କିଡ୍‌ନୀ ରୋଗରେ ପୀଡିତ ହୋଇ ୧୨ ଜଣରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି । ବର୍ତ୍ତମାନ ମଧ୍ୟ ଏହି ରୋଗରେ ୧୭ ଜଣରୁ ଅଧିକ ଲୋକ ପୀଡିତ ଅଛନ୍ତି । ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଂକଟାପର୍ଣ୍ଣ ଥିବା ଜଣାଯାଇଛି । ତେବେ ଏନେଇ ଜିଲ୍ଲା ପ୍ରଶାସନ କିମ୍ବା ସ୍ବାସ୍ଥ୍ୟ ବିଭାଗ ପାଖରେ କୌଣସି ଖବର ନାହିଁ ।

ରଙ୍ଗମାଟିଆ ଗ୍ରାମରେ ବସବାସ କରୁଥିବା ଅଧିକାଂଶ ଗରିବ ଶ୍ରେଣୀ ଲୋକେ ଅର୍ଥାଭାବରୁ ଅଧିକ ଚିକିତ୍ସା କରାଇ ନପାରି ନର୍କ ଯନ୍ତ୍ରଣା ଭୋଗ କରୁଛନ୍ତି । କେଉଁ କାରଣରୁ ଗାଁରେ ଏହି ମାରାତ୍ମକ କିଡ୍‌ନୀ ରୋଗ ବ୍ୟାପିଛି, ତାହାର ସଠିକ ତଥ୍ୟ ଏପର୍ଯ୍ୟନ୍ତ ଜଣାପଡିନାହିଁ । ତେବେ ଦୂଷିତ ପାନୀୟ ଜଳ ବ୍ୟବହାର କରି ଲୋକେ ଏହି ରୋଗରେ ଆକ୍ରାନ୍ତ ହେଉଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି । କିନ୍ତୁ ବିଡ଼ମ୍ବନାର ବିଷୟ ହେଉଛି ରଙ୍ଗମାଟିଆ ଗ୍ରାମରେ କିଡ୍‌ନୀ ରୋଗ ଅଣାୟତ୍ତ ହେବାକୁ ବସିଥିବା ବେଳେ, ଏନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପାଖରେ କୌଣସି ଖବର ନାହିଁ । ଏ ଦିଗରେ ଜିଲ୍ଲା ପ୍ରଶାସନ ଓ ସରକାର ତୁରନ୍ତ ଦୃଷ୍ଟି ନଦେଲେ ଆଗାମୀ ଦିନରେ ଆଉ କେତେ ମୂଲ୍ୟବାନ ଜୀବନ ଅକାଳରେ ଝଡ଼ିଯିବ, ତାହା କହିବା କଷ୍ଟକର ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.