ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଦୟନୀୟ ସ୍ଥିତି: ବିପଦସଂକୁଳ ଅବସ୍ଥାରେ ପାଠ ପଢୁଛନ୍ତି ପିଲା

author img

By

Published : Nov 30, 2022, 9:16 AM IST

dilapidated school building poses danger to students in deogarh

ବିପଦସଂକୁଳ ଅବସ୍ଥାରେ ସ୍କୁଲରେ ଚାଲିଛି ପାଠପଢ଼ା । ବର୍ଷା ହେଲେ ଛାତରୁ ଝରୁଛି ପାଣି । ଛାତରୁ ସିମେଣ୍ଟ ଉଠି ଛଡ଼ ଦିଶିଲାଣି । ଦେବଗଡ଼ ଜିଲ୍ଲାର ବାସୁଦେବପୁରରେ ସରକାରୀ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଦୟନୀୟ ସ୍ଥିତି । ଅଧିକ ପଢ଼ନ୍ତୁ

ଦେବଗଡ଼: କାନ୍ଥ ଫାଟି ଆଁ କଲାଣି, ଛାତରୁ ପ୍ଲାଷ୍ଟର ଛାଡି ପାଣି ଗଳୁଛି । କୋଠା ଉପରେ ରହିଛି ଏକ ବିଶାଳକାୟ ଶୁଖିଲା ଆମ୍ବ ଗଛ । କେଉଁ ମୁହୂର୍ତ୍ତରେ ଯେ କିଛି ଅଘଟଣ ନଘଟିବ ସେକଥା କହିହେଉନାହିଁ । ତଥାପି ଏଭଳି ବିପଦଜନକ ସ୍ଥିତିରେ ଗୋଟିଏ କୋଠରୀରେ ବସି ପାଠ ପଢୁଛନ୍ତି ପାଞ୍ଚଟି ଶ୍ରେଣୀର ଛାତ୍ରଛାତ୍ରୀ । ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଏଭଳି ଦୟନୀୟ ସ୍ଥିତି ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲାର ବାସୁଦେବପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ।

ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଦୟନୀୟ ସ୍ଥିତି

ପ୍ରାଥମିକ ଶିକ୍ଷାର ବିକାଶ ନିମନ୍ତେ ଶିକ୍ଷା ବିଭାଗ ପକ୍ଷରୁ ୧୯୭୨ ମସିହାରେ ତିଲେଇବଣି ବ୍ଲକ ଅନ୍ତର୍ଗତ ବାସୁଦେବପୁର ଗ୍ରାମରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ଥାପନା କରାଯାଇଥିଲା । ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ବର୍ତ୍ତମାନ ୩୨ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ବିଦ୍ୟାଳୟରେ ଶିକ୍ଷାଦାନ ପାଇଁ ରହିଛି ୩ଟି ଶ୍ରେଣୀ କୋଠରୀ । ତେବେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଉକ୍ତ ବିଦ୍ୟାଳୟଟି ଜରାଜୀର୍ଣ୍ଣ ହୋଇପଡିବା ସହିତ ବିଦ୍ୟାଳୟର କାନ୍ଥ ଗୁଡିକ ଫାଟି ବିପଦଜନକ ଅବସ୍ଥାରେ ରହିଛି । ଛାତରୁ ସିମେଣ୍ଟ ଉଠି ଛଡ଼ ଦିଶିଲାଣି । ବର୍ଷା ଦିନେ ବିଦ୍ୟାଳୟର ଛାତରୁ ପାଣି ଗଳୁଛି । ଅନ୍ୟପଟେ ବିଦ୍ୟାଳୟ ନିକଟରେ ଏକ ବିଶାଳ ଶୁଖିଲା ଆମ୍ବ ଗଛ ବିଦପ ସଂଙ୍କୁଳ ଅବସ୍ଥାରେ ରହିଥିବା ବେଳେ ସେଥିରୁ ବିଭିନ୍ନ ସମୟରେ କାଠ ଗଣ୍ଡି ଖସି ପଡୁଛି ।

ଏଭଳି ଅସୁରକ୍ଷିତ ସ୍ଥିତିରେ ପାଞ୍ଚଟି ଶ୍ରେଣୀର ଛାତ୍ରଛାତ୍ରୀମାନେ ଗୋଟିଏ କୋଠରୀରେ ବସି ପାଠ ପଢୁଛନ୍ତି । ତେଣୁ ନିଜ ପିଲାଙ୍କୁ ବିଦ୍ୟାଳୟକୁ ଛାଡିବାକୁ ଅଭିଭାବକମାନେ ଆଉ ସୁରକ୍ଷିତ ମଣୁନାହାନ୍ତି । ଏନେଇ ସ୍କୁଲ ଶୀକ୍ଷୟିତ୍ରୀ କହିଛନ୍ତି, " ସ୍କୁଲର ଏଭଳି ସ୍ଥିତି ପାଇଁ ଛାତ୍ରଛାତ୍ରୀଙ୍କୁ ଗୋଟିଏ ଶ୍ରେଣୀ ଏବଂ ବାରଣ୍ଡାରେ ପାଠ ପଢ଼ାଯାଉଛି । ଯାହା ଫଳରେ ପାଠ ପଢ଼ା ମଧ୍ୟ ଠିକ ଭାବେ ହୋଇପାରୁନାହିଁ ।" ତେଣୁ ପ୍ରଶାସନ ପକ୍ଷରୁ ଏନେଇ ଦୃଷ୍ଟି ଦେବାକୁ ଶିକ୍ଷୟିତ୍ରୀ ଦାବି କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ମାନସିକ ରୋଗୀଙ୍କ ଟ୍ରାଫିକ ନିୟନ୍ତ୍ରଣ ନିଶା, ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ

ଏ ସମ୍ପର୍କରେ ଅଭିଭାବକ ଏବଂ ବିଦ୍ୟାଳୟ ପରିଚାଳନା କମିଟି ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରିଆସୁଥିଲେ ହେଁ କୌଣସି ସୁଫଳ ମିଳି ପାରୁନାହିଁ । ତେଣୁ ଗ୍ରାମବାସୀ ଓ ଅଭିଭାବକଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ବିଦ୍ୟାଳୟ ଭିତ୍ତିଭୂମିର ବିକାଶ ନିମନ୍ତେ ସରକାର ଅଜସ୍ର ଅର୍ଥ ବ୍ୟୟ କରି ଚାଲିଛନ୍ତି ସତ, ହେଲେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳା ଓ ଦାୟିତ୍ୱହୀନତା କାରଣରୁ ଏହାର ସୁଫଳ ଛାତ୍ରଛାତ୍ରୀ ପାଇବାରୁ ବଞ୍ଚିତ ହୋଇ ଆସୁଛନ୍ତି ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.