କଟକ: କଟକ ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ସଫେଇ କର୍ମଚାରୀଙ୍କ ବିକ୍ଷୋଭ ପ୍ରଦର୍ଶନ । ଠିକା ସଂସ୍ଥା ହଠାତ୍ କାମ ବନ୍ଦ କରିଦେବାରୁ ଶତାଧିକ ସଫେଇ କର୍ମଚାରୀ ସିଏମସି ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅନ୍ୟପଟେ ଆଗାମୀ ଦିନରେ ଏହି କର୍ମଚାରୀ ମାନଙ୍କୁ ପୁନଃ ଥଇଥାନ କରିବା ନେଇ ଲକ୍ଷ୍ୟ ରଖିଛି ସିଏମସି ।
ତେବେ ଏମାନେ ଦୀର୍ଘ ୧୫ ବର୍ଷ ଧରି କଟକ ସହରର ବିଭିନ୍ନ ୱାର୍ଡରେ କୁଲି, ମଶା ନିପାତ୍ କରିବା ଭଳି କାର୍ଯ୍ୟ କରୁଥିଲେ । ବିଭିନ୍ନ ଠିକା ସଂସ୍ଥା ଅଧୀନରେ ଏମାନଙ୍କୁ କାମ ମଧ୍ୟ ଦିଆଯାଇଥିଲା । ହେଲେ ହଠାତ୍ ଗତ ୧୦ ଦିନରୁ ସେମାନଙ୍କୁ ଆଉ କାମ ଦିଆଯାଉ ନାହିଁ। ଏଥିସହ ସେମାନଙ୍କୁ କାମରୁ ବାହାର କରି ଦିଆଯାଇଛି ବୋଲି ଖବର ମିଳିଥିଲା । ଏନେଇ ପରେ ସମସ୍ତେ ଏକାଠି ହୋଇ ସିଏମସି କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାଛଡା ତୁରନ୍ତ କାମ ଦେବାକୁ ଦାବି କରିଥିବା ବେଳେ ସେପଟେ ଏନେଇ ଠିକା କର୍ମଚାରୀ ସଂଗଠନ ଓ ଅନେକ କର୍ପୋରେଟର ସିଏମସି କମିସନର ଓ ମେହେରଙ୍କ ସହ ଆଲୋଚନା କରିଛନ୍ତି ।
ଅନ୍ୟପଟେ ଏନେଇ ସେମାନଙ୍କୁ ଥଇଥାନ ଖୁବଶୀଘ୍ର କରାଯିବ ବୋଲି ସିଏମସି କମିସନର ସୂଚନା ଦେଇଛନ୍ତି । ତେବେ କହିବାକୁ ଗଲେ ଠିକା କାର୍ଯ୍ୟ କହିଲେ ଏମାନଙ୍କ ଜୀବନ । ଦିନରେ ଗଲେ ସଞ୍ଜରେ ଜଳେ ଚୁଲି । ଏପରି ସ୍ଥିତିରେ ଏମାନଙ୍କ ଚାକିରିରୁ ବିଦା କରିବା ଏକ ନିନ୍ଦନୀୟ ପ୍ରସଙ୍ଗ ବୋଲି କହିଛନ୍ତି ଆନ୍ଦୋଳନକାରୀ ।
ଇଟିଭି ଭାରତ,କଟକ