ଓଡିଶାର ପ୍ରଥମ ଟସର ସିଲ୍କ ସୂତା ଉତ୍ପାଦନ କେନ୍ଦ୍ର, ସୃଷ୍ଟି ହେବ ନିଯୁକ୍ତି

author img

By

Published : Sep 25, 2021, 8:23 AM IST

ପ୍ରତିଷ୍ଠା ହେବ ଓଡିଶାର ପ୍ରଥମ ଟସର ସିଲ୍କ ସୂତା ଉତ୍ପାଦନ କେନ୍ଦ୍ର, ସୃଷ୍ଟି ହେବ ନିଯୁକ୍ତି

ଖଦୀ ଗ୍ରାମଦ୍ୟୋଗ ଆୟୋଗ ଉଦ୍ୟମକ୍ରମେ କଟକର ଚୌଦ୍ବାରଠାରେ ଉଦଘାଟିତ ହୋଇଛି ଓଡିଶାର ପ୍ରଥମ ଟସର ସିଲ୍କ ସୂତା ଉତ୍ପାଦନ କେନ୍ଦ୍ର । ଯାହା ଟସର ସିଲ୍କ ସୂତାର ସ୍ଥାନୀୟ ଉପଲବ୍ଧତା ସୁନିଶ୍ଚିତ କରିବା ସଙ୍ଗେ ସଙ୍ଗେ ବହୁ ନିଯୁକ୍ତି ସୃଷ୍ଟି କରିବ । ଅଧିକ ପଢନ୍ତୁ...

ହାଇଦ୍ରାବାଦ: ଶହ ଶହ ବର୍ଷ ଧରି ଓଡିଶା ରାଜ୍ୟ ନିଜର ଉତ୍କୃଷ୍ଟ ସିଲ୍କ ପାଇଁ ପ୍ରସିଦ୍ଧି ଲାଭ କରିଛି । ବିଶେଷକରି ଟସର କିସମର ସିଲ୍କ ରାଜ୍ୟକୁ ଦେଇଛି ଅନନ୍ୟ ପରିଚୟ । ଓଡିଶାର ହଜାର ହଜାର ଆଦିବାସୀ ଜନସାଧାରଣଙ୍କୁ ରୋଜଗାର ଦେଇଛି ଟସର ସିଲ୍କ । ମୁଖ୍ୟତଃ ଆଦିବାସୀ ମହିଳାଙ୍କ ପାଇଁ ଅଧିକ କର୍ମନିଯୁକ୍ତି ସୃଷ୍ଟି କରିଛି । ମାତ୍ର ରାଜ୍ୟର ସିଲ୍କ ବୁଣାକାରମାନେ ସିଲ୍କ ସୂତା ବା କଞ୍ଚାମାଲ ପାଇଁ ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ କର୍ଣ୍ଣାଟକ ଭଳି ରାଜ୍ୟ ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଛନ୍ତି । ଫଳସୂରୁପ ସିଲ୍କ ଫାବ୍ରିକର ଦାମ୍ ବୃଦ୍ଧି ପାଉଛି । ଏହି ଦୃଷ୍ଟିରୁ ଖଦୀ ଗ୍ରାମଦ୍ୟୋଗ ଆୟୋଗ(KVIC) ଏକ ଐତିହାସିକ ନିଷ୍ପତ୍ତି ନେଇଛି । କଟକର ଚୌଦ୍ବାରଠାରେ ଓଡିଶାର ପ୍ରଥମ ଟସର ସିଲ୍କ ସୂତା ଉତ୍ପାଦନ କେନ୍ଦ୍ର ସ୍ଥାପନ କରିଛି KVIC । KVIC ଚେୟାରମ୍ୟାନ ବିନୟ କୁମାର ସକ୍ସେନା ଶୁକ୍ରବାର ଏହି ସିଲ୍କ ସୂତା ଉତ୍ପାଦନ କେନ୍ଦ୍ରକୁ ଉଦଘାଟନ କରିଛନ୍ତି ।

ସୃଷ୍ଟି ହେବ ନିଯୁକ୍ତି:

ଏହି କେନ୍ଦ୍ର ଟସର ସିଲ୍କ ସୂତାର ସ୍ଥାନୀୟ ଉପଲବ୍ଧତା ସୁନିଶ୍ଚିତ କରିବା ସଙ୍ଗେ ସଙ୍ଗେ ନିଯୁକ୍ତି ସୃଷ୍ଟି କରିବ ଏବଂ ସିଲ୍କ ଉତ୍ପାଦନ ବ୍ୟୟ ମଧ୍ୟ ହ୍ରାସ କରିପାରିବ । ଟସର ହେଉଛି ସର୍ବୋକୃଷ୍ଟ କିଷମର ସିଲ୍କ । ଏହାର ଘନତା ଏବଂ ଛିଦ୍ର ବୁଣା ଏହାକୁ ଅନ୍ୟ କିସମ ଠାରୁ ପୃଥକ୍ କରେ ।

ଏହି ଟସର ସିଲ୍କ ସୂତା ଉତ୍ପାଦନ କେନ୍ଦ୍ର ଅନେକ ଗୁରୁତ୍ବ ବହନ କରୁଛି । କାରଣ ସିଲ୍କ ଓଡିଶାର ମୋଟ ଖଦୀ କପଡା ଉତ୍ପାଦନର ପାଖାପାଖି ୭୫ ପ୍ରତିଶତ ଅଟେ । ଏହି ସିଲ୍କ ସୂତା କେନ୍ଦ୍ର ୩୪ ଜଣ ମହିଳାଙ୍କ ସମେତ ୫୦ ଜଣ କାରିଗରଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ପ୍ରଦାନ କରିବ । ଏହାସହିତ କୋକୁନ ଚାଷ କରୁଥିବା ରାଜ୍ୟର ୩୦୦ ଆଦିବାସୀ କୃଷକଙ୍କ ପାଇଁ ରୋଜଗାର ସୃଷ୍ଟି କରିବ । ଯଦ୍ବାରା ରାଜ୍ୟର ବୁଣାକାର ଏବଂ ରିଲରଙ୍କୁ ମଧ୍ୟ ପରୋକ୍ଷ ନିଯୁକ୍ତି ଦେବ । ଗୋଟିଏ କିଲୋ କଞ୍ଚା ସିଲ୍କ ଉତ୍ପାଦନ, ୧୧ ଜଣ କାରିଗରଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରୁଥିବାବେଳେ ସେମାନଙ୍କ ମଧ୍ୟରୁ ୬ ଜଣ କାରିଗର ମହିଳା ଅଟନ୍ତି ।

ସମୃଦ୍ଧ ହେବ ସିଲ୍କ ଶିଳ୍ପ:

କେନ୍ଦ୍ରର ଉଦଘାଟନୀ ଅବସରରେ ସକ୍ସେନା କହିଛନ୍ତି, ସିଲ୍କ ଦେଶର ଐତିହ୍ୟ ଭାବେ ବହୁ ବର୍ଷ ଧରି ପରିଚିତ । ଭାରତୀୟ ସଂସ୍କୃତି ଓ ପରମ୍ପରାର ଏହା ଅଭିନ୍ନ ଅଙ୍ଗ । ସିଲ୍କ ଭାରତୀୟ ବୟନ ଶିଳ୍ପ ବିଶେଷକରି ଖଦୀର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ । ଏହି ସୂତା ଉତ୍ପାଦନ କେନ୍ଦ୍ର ଚାଲୁ ହେଲେ ସ୍ଥାନୀୟ ସ୍ତରରେ ସିଲ୍କ ସୂତା ଉତ୍ପାଦନ ହେବ ଏବଂ ଯଦ୍ବାରା ସୂତା ଦର ହ୍ରାସ ପାଇବ । ଏହାବ୍ୟତୀତ ଓଡିଶାର ପ୍ରସିଦ୍ଧ ଟସର ସିଲ୍କ ବିକ୍ରିକୁ ପ୍ରୋତ୍ସାହନ ମିଳିବା ସହ ରାଜ୍ୟ ପାରମ୍ପରିକ ସିଲ୍କ ଶିଳ୍ପ ସମୃଦ୍ଧ ହେବ ।

ଏହି ସିଲ୍କ ସୂତା ଉତ୍ପାଦନ କେନ୍ଦ୍ର ୭୫ ଲକ୍ଷ ଟଙ୍କା ବ୍ୟୟରେ ପ୍ରତିଷ୍ଠା ହେବାକୁ ଥିବାବେଳେ ଏହା ବାର୍ଷିକ ପ୍ରାୟ ୯୪ ଲକ୍ଷ ଟଙ୍କାର ୨୦୦ କିଲୋଗ୍ରାମ ପର୍ଯ୍ୟନ୍ତ ସିଲ୍କ ସୂତା ଉତ୍ପାଦନ କରିପାରିବ । ଯଦ୍ବାରା ଚାହିଦା ବୃଦ୍ଧି ପାଇବା ସହ ଉତ୍ପାଦନ କ୍ଷମତା ମଧ୍ୟ ବଢିବ । ଏହି କେନ୍ଦ୍ର ସିଲ୍କ ରେଲିଂ ମେସିନ, ରି ରେଲିଂ ମେସିନ, ସ୍ପିନିଂ ମେସିନ ଓ ଅନ୍ୟାନ୍ୟ ଅତ୍ୟାଧୁନିକ ଯନ୍ତ୍ରପାତି ସହ ସଜ୍ଜିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.