ଘଣ୍ଟ ବାଡେଇ ପଞ୍ଚାୟତ ସମିତି ବୈଠକରେ ପ୍ରତିବାଦ: ସଭା ଛାଡ଼ି ପଳାଇଲେ ବିଧାୟକ
Published: May 25, 2023, 3:51 PM

ଘଣ୍ଟ ବାଡେଇ ପଞ୍ଚାୟତ ସମିତି ବୈଠକରେ ପ୍ରତିବାଦ: ସଭା ଛାଡ଼ି ପଳାଇଲେ ବିଧାୟକ
Published: May 25, 2023, 3:51 PM
କଟକ ଜିଲ୍ଲା ବାରଙ୍ଗ ବ୍ଲକ ପରିସରରେ ପଞ୍ଚାୟତ ସମିତିର ଷଷ୍ଠତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ
ନିଆଳି: ବିଧାନସଭାର ଦୃଶ୍ୟ ଭଳି ପଞ୍ଚାୟତ ସମିତି ବୈଠକରେ ସୃଷ୍ଟି ହୋଇଛି ହଟ୍ଟଗୋଳ ଏବଂ ହଙ୍ଗାମା । ହୋହଲ୍ଲା ଓ ପ୍ରତିବାଦରେ ଶେଷ ହେଲା ବାରଙ୍ଗ ବ୍ଲକର ଷଷ୍ଠତମ ପଞ୍ଚାୟତ ସମିତି ବୈଠକ । କଟକ ଜିଲ୍ଲା ବାରଙ୍ଗ ବ୍ଲକ ପରିସରରେ ପଞ୍ଚାୟତ ସମିତିର ଷଷ୍ଠତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସମିତି ଅଧ୍ୟକ୍ଷା ସାବିତ୍ରୀ ଦଳେଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ମୋଟ ୭ ଗୋଟି ପ୍ରସ୍ତାବ ଉପରେ ଆଲୋଚନା ହେବା ପାଇଁ ସ୍ଥିର ହୋଇଥିଲା ।
ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ପ୍ରଥମ କାର୍ଯ୍ୟ ସୂଚୀର ପୂର୍ବ ବୈଠକ ବିବରଣୀ ସଭାରେ ପାଠ କରୁଥିଲେ । ସେହି ସମୟରେ କହ୍ନେଇପଡା ସରପଞ୍ଚ ରୀତାଞ୍ଜଳୀ ସାମଲ, ମଧୁପୁର ସମିତି ସଭ୍ୟ କିଶନ କୁମାର ଜେନା ଅଧ୍ୟକ୍ଷା ମହୋଦୟାଙ୍କୁ କିଛି ପ୍ରଶ୍ନ କରିଥିଲେ । ଗତ ପଞ୍ଚମ ସାଧାରଣ ବୈଠକରେ ବେଲଗଚ୍ଛିଆ, ଜୟପୁର ମୁଖ୍ୟ ରାସ୍ତା ନିର୍ମାଣକୁ କେନ୍ଦ୍ର କରି କହ୍ନେଇପଡା ସରପଞ୍ଚ, ବେଲଗଚ୍ଛିଆ ସରପଞ୍ଚ ଓ ସମିତି ସଭ୍ଯଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହାକୁ ସମର୍ଥନ କରି ବାଙ୍କୀ ବିଧାୟକ କହ୍ନେଇପଡ଼ା ସରପଞ୍ଚଙ୍କୁ ଚୁପ୍ ବସିବା ପାଇଁ ଧମକ ଦେଇଥିଲେ । ଏହି ସମୟରେ ସମିତି ଅଧ୍ୟକ୍ଷା ନିଜ ସିଟ୍ରୁ ଉଠି ଆସି ଉଚ୍ଚ ସ୍ଵରରେ କହ୍ନେଇପଡ଼ା ସରପଞ୍ଚଙ୍କୁ ତାଗିଦ୍ କରିଥିଲେ। ଏହାକୁ କେନ୍ଦ୍ର କରି ବୈଠକରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏସବୁ ସତ୍ତ୍ୱେ ଗତ ସଭାରେ ଅଭଦ୍ରୋଚିତ ବ୍ୟବହାର ପାଇଁ ଜିଲ୍ଲା ପରିଷଦ 32 ନମ୍ବର ସଭ୍ୟ, କହ୍ନେଇପଡ଼ା ସରପଞ୍ଚ, ଉଷୁମା, ମୁଣ୍ଡୁଳି ଓ ଶ୍ରୀବନ୍ତ ପୁର, ସମିତି ସଭ୍ୟ ଶ୍ରୀବନ୍ତ ପୁର ଦାଢାପାଟଣା ଓ ମଧୁପୁରଙ୍କ ବିରୋଧରେ କିପରି ନିନ୍ଦା ପ୍ରସ୍ତାବ ଗୃହିତ କରାଗଲା ଏବଂ କଣ ପାଇଁ ଅଭଦ୍ରୋଚିତ ଏକ ଅପ ଶବ୍ଦକୁ ସଂକଳ୍ପରେ ସ୍ଥାନ ଦିଆଗଲା ସେଥିପାଇଁ ଦୃଢ଼ ପ୍ରତିବାଦ ଜଣାଇ ତାହାକୁ ପ୍ରତ୍ୟାହାର ପାଇଁ ଦାବି କରା ଯାଇଥିଲା ।
କିନ୍ତୁ ଅଧ୍ୟକ୍ଷା ସେଥିପ୍ରତି ଗୁରୁତ୍ୱ ନଦେଇ ସଭା ବିବରଣୀ ପୁନର୍ବାର ପାଠ କରିବାକୁ ଜିପିଓଙ୍କୁ ନିର୍ଦ୍ଦେଶ ଦେଇ ଥିଲେ । କିନ୍ତୁ ପ୍ରତିବାଦକାରୀ ସରପଞ୍ଚ ଓ ସମିତି ସଭ୍ୟ ଓ ସଭ୍ୟାମାନେ ପଞ୍ଚାୟତ ସମିତିର ଗାରିମା ଅକ୍ଷୂର୍ଣ୍ଣ ରଖିବା ପାଇଁ ଉପରୋକ୍ତ ଅପଶଦ୍ଦ ପ୍ରତ୍ୟାହାର ନିମନ୍ତେ ପୁନର୍ବାର ଅଧ୍ୟକ୍ଷାଙ୍କୁ ଅନୁରୋଧ କରିଥିଲେ । ଅଧ୍ୟକ୍ଷା ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ଜିପିଓଙ୍କୁ ପୂର୍ବ ବିବରଣୀ ପାଠ କରିବାକୁ କହିଥିଲେ । ତେଣୁ ଉପସ୍ଥିତ ପ୍ରତିବାଦକାରୀ ସରପଞ୍ଚ, ସମିତି ସଭ୍ୟ ଓ ସଭ୍ୟା ମାନେ ଶେଷରେ ଘଣ୍ଟ ବଜାଇ ଏହାର ପ୍ରତିବାଦ କରିଥିଲେ। ଯେପର୍ଯ୍ୟନ୍ତ ଅପଶବ୍ଦ ପ୍ରତ୍ୟାହାର କରା ନଯାଇଛି ସେ ପର୍ଯ୍ୟନ୍ତ ଏହିପରି ପ୍ରତିବାଦ ଚାଲୁ ରହିବ ବୋଲି ପ୍ରତିବାଦକାରୀମାନେ କହିଥିଲେ । ଏହା ସଭା ଛାଡ଼ି ଚାଲି ଯାଇଥିଲେ ଦୁଇ ବିଧାୟକ ।
ତେବେ ପଞ୍ଚାୟତ ସମିତି ବୈଠକରେ ଘଣ୍ଟ ମାଡ଼ ଦେଖିବାକୁ ମିଳିଥିବା ବେଳେ ଏହାକୁ ନେଇ ପ୍ରତିବାଦକାରୀ ସରପଞ୍ଚ ସମିତି ସଭ୍ୟ ଓ ସଭ୍ୟାମାନେ ସଭାଗୃହରେ ନ୍ୟାୟ ପାଇଁ ଅପେକ୍ଷ କରିଥିଲେ । ହେଲେ ଅଧ୍ୟକ୍ଷାଙ୍କ ସମେତ ଦୁଇ ବିଧାୟକ ଓ ବିଡିଓ ସଭା ସ୍ଥଳରୁ ଉଠି ଚାଲିଯିବା ଫଳରେ ସଭା କାର୍ଯ୍ୟ ବନ୍ଦ ହୋଇଥିଲା । ଏନେଇ ବାରଙ୍ଗ ବିଡିଓ ବିଶ୍ୱ ରଞ୍ଜନ ବିଶ୍ବାସଙ୍କୁ ଯୋଗଯୋଗ କରିବାରୁ ସେ କହିଥିଲେ ଯେ ୬ ଗୋଟି ପ୍ରସ୍ତାବ ଉପରେ ଆଲୋଚନା ହୋଇ ଠିକ୍ ସମୟରେ ସଭା କାର୍ଯ୍ୟ ଆରମ୍ଭ ହୋଇ ଶେଷ ହୋଇଛି ବୋଲି କହିଥିଲେ । ସେହିଭଳି ଭାବେ ନିଆଳି ବିଧାୟକ ଡାକ୍ତର ପ୍ରମୋଦ କୁମାର ମଲ୍ଲିକଙ୍କ ମତାମତ ନେବାରୁ ସଭାରେ ଯାହା ଆଲୋଚନା ହେବା କଥା ଆଲୋଚନା ହୋଇ ଠିକ୍ ସମୟରେ ସଭା କାର୍ଯ୍ୟ ବାଦ ବିବାଦ ମଧ୍ୟରେ ଶେଷ ହୋଇଛି ବୋଲି ସେ କହିଥିଲେ ।
ଇଟିଭି ଭାରତ, ନିଆଳି
