କଟକରେ ନକଲି ଆକ୍ଵାଗାର୍ଡ ସଂସ୍ଥାରେ ରେଡ, 2 ଗିରଫ

କଟକରେ ନକଲି ଆକ୍ଵାଗାର୍ଡ ସଂସ୍ଥାରେ ରେଡ, 2 ଗିରଫ
ସିଲଭର ସିଟିରେ ନକଲି ଜିନିଷ ଠାବ । ଟାର୍ଗେଟରେ ୟୁରେକା ଫୋର୍ବସ୍ର ଆକ୍ୱା ଗାର୍ଡ । ନକଲି ବ୍ରାଣ୍ଡ କରି କମ୍ପାନୀ ଦରଠାରୁ କମ ଦାମରେ ବିକୁଥିଲା ଅଭିଯୁକ୍ତ । ଅଧିକ ପଢନ୍ତୁ
କଟକ: ବେଶ କିଛି ଦିନର ବ୍ୟବଧାନ ପରେ ପୁଣି ସିଲଭର ସିଟିରେ ନକଲି ଜିନିଷ ଠାବ । ଏଥର ଟାର୍ଗେଟ ରେ ୟୁରେକା ଫୋର୍ବସ ର ଆକ୍ୱା ଗାର୍ଡ । ନକଲି ଯନ୍ତ୍ରାଂଶ, ନକଲି ଫିଲଟର, ନକଲି କାର୍ବନ ସହିତ ନକଲି ଲୋଗୋ ଆଉ ନକଲି ବ୍ରାଣ୍ଡ କରି କମ୍ପାନୀ ଦରଠାରୁ କମ ଦାମରେ ବିକୁଥିଲା ଅଭିଯୁକ୍ତ । ଏଭଳି କଟକ ସହରର ତିନିଟି ଜାଗାରେ ଚାଲିଥିଲା ଏହି କଳା କାରନାମା । ବାଦାମବାଡ଼ି ପୋଲିସ ଏହି ନକଲି ଗୋଦାମକୁ ଠାବ କରିବା ସହିତ ଦୁଇଜଣଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି ।
ତେବେ ଆପଣ ଘରେ ଆକ୍ୱା ଗାର୍ଡ ଲଗାଇବାକୁ ଚିନ୍ତା କରୁଛନ୍ତି କି । ଏଥିସହ ଆପଣଙ୍କ ଘରକୁ ଆସି କିଏ କମଦାମରେ ଆକ୍ୱା ଗାର୍ଡ ଲଗାଇବାକୁ ଆପଣଙ୍କୁ ଯଦି କିଏ ପ୍ରଲୋଭିତ କରିଛନ୍ତି ତାହାଲେ ସାବଧାନ । କାରଣ ମାର୍କେଟରେ ବିକ୍ରି ହେଉଛି ଡୁପ୍ଲିକେଟ ଆକ୍ୱାଗାର୍ଡ । କମ ଟଙ୍କା ଲୋଭରେ ଆପଣ କିଣିଥିବା ଆକ୍ୱା ଗାର୍ଡ ଆପଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ଫେଲ ମାରିବ । ଏଭଳି ନକଲି ଆକ୍ୱା ଗାର୍ଡ କମ୍ପାନୀର ପରଦା ଫାଶ କରିଛି କଟକ କମିଶନରେଟ ପୋଲିସ । ବାଦାମବାଡ଼ି ଅଞ୍ଚଳରେ ୟୁରେକା ଫୋର୍ବସ କମ୍ପାନୀର ଆକ୍ବାଗାର୍ଡ ନକଲି ଯନ୍ତ୍ରାଂଶ ତିଆରି ଓ ବିକ୍ରି ୟୁନିଟ ଠାବ କରିଛି ପୋଲିସ । ଏଥିସହ ଏହି ମାମଲାରେ ଦୁଇଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି ।
ସେହିପରି ନକଲି ହୋଲଗ୍ରାମ, କ୍ୟୁଆର କୋଡ ଓ ବିଭିନ୍ନ ପ୍ରକାର ନକଲି ସାମଗ୍ରୀ ଜବତ କରିଛି ପୋଲିସ । ପୋଲିସର ଏକ ଟିମ୍ ଓ ଆକ୍ବାଗାର୍ଡ କମ୍ପାନୀର ଅଧିକାରୀ ଚଢ଼ାଉରେ ସାମିଲ ହୋଇଛନ୍ତି । ଏଥିସହ କେଉଁ ସବୁ ସ୍ଥାନରେ ଏହି ନକଲି ସାମଗ୍ରୀ ବିକ୍ରି କରାଯାଇଛି ତାହା ମଧ୍ୟ ତଦନ୍ତ କରାଯାଉଛି । ତେବେ ଗତକାଲି ବଦାମବାଡ଼ି ପୋଲିସ ହାଇକୋର୍ଟ କଲୋନୀ ସହ 3ଟି ସ୍ଥାନରେ ଚଢ଼ାଉ କରିଥିଲା । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ 2 ଜଣଙ୍କୁ ଗିରଫ କରିଥିବା ସୂଚନା ଦେଇଛନ୍ତି ଜୋନ୍ 2 ଏସିପି । ପାଖାପାଖି 80 ଲକ୍ଷ ଟଙ୍କାର ସାମଗ୍ରୀ ଜବତ ହେବା ସହ କମ୍ପାନୀ ଲୋଗୋର ଡୁପ୍ଲିକେଟ କରୁଥିବାରୁ ଏହା ଚିନ୍ତାଜନକ ବୋଲି କହିଛନ୍ତି କମ୍ପାନୀ ଅଧିକାରୀ ।
ୟୁରେକା ଫୋର୍ବସ କମ୍ପାନୀ ତରଫରୁ ମଧ୍ୟ ଏନେଇ ଖୋଳ ତାଡ଼ କରୁଥିବା ବେଳେ କମ୍ପାନୀ ଅଧିକାରୀ ଏବଂ କର୍ମଚାରୀ ଏଥିରେ ସମ୍ପୃକ୍ତି ଅଛି ନା ନାହିଁ ସେନେଇ ନଜର ରଖା ଯାଇଛି । ସାଧାରଣ ଲୋକ କମ୍ପାନୀ websiteରୁ ଉତ୍ପାଦ ଉପରେ ଅଧିକ ବିବରଣୀ ଦେଖି କିଣିବାକୁ ଅନୁରୋଧ କରିଛନ୍ତି କମ୍ପାନୀର ଅଧିକୃତ ଅଧିକାରୀ । ତେବେ ଆକ୍ୱା ଗାର୍ଡ ଭଳି ଏକ ନାମୀ ବ୍ରାଣ୍ଡର ନକଲି ପ୍ରଡକ୍ଟକୁ ନେଇ ସାଧାରଣ ଜନତା ଏବେ ହରଡ଼ଘଣାରେ ପଡ଼ିଛନ୍ତି । ନକଲି ଅସଲିର ଫରକ ସାଧାରଣ ଜନତା ଜାଣି ପାରୁନଥିବା ବେଳେ ମୁନଫାଖୋର ବ୍ୟବସାୟୀମାନେ କରୁଛନ୍ତି ଏଭଳି ଜଘନ୍ୟ କାରବାର ।
ଇଟିଭି ଭାରତ, କଟକ
