ସୂଚନାଧିକାର କର୍ମୀ ରଞ୍ଜନ ଦାସ ହତ୍ୟା ମାମଲା, ତଦନ୍ତ କରିବ କ୍ରାଇମବ୍ରାଞ୍ଚ

author img

By

Published : Jan 31, 2023, 11:56 AM IST

rti worker Ranjan Das murder case

ସୂଚନାଧିକାର କର୍ମୀ ରଞ୍ଜନ ଦାସ ହତ୍ୟା ମାମଲାରେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଅଧିକ ପଢନ୍ତୁ

କଟକ: କେନ୍ଦ୍ରାପଡା ସୂଚନାଧିକାର କର୍ମୀ ରଞ୍ଜନ ଦାସଙ୍କ ମୃତ୍ୟୁ ଘଟଣା । ଏହି ଘଟଣାରେ ତଦନ୍ତ କରିବା ପାଇଁ କ୍ରାଇବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ । ସୂଚନାଧିକାର କର୍ମୀଙ୍କ ହତ୍ୟା ଘଟଣାରେ ପୋଲିସର ତଦନ୍ତ ପ୍ରକ୍ରିୟାରେ କୋର୍ଟ ଅସେନ୍ତାଷ ଜାହିର କରିଛନ୍ତି । ସଠିକ ଭାବରେ ମାମଲାର ତଦନ୍ତ ହେଉନଥିବା କୋର୍ଟ ଅନୁଭବ କରିଥିଲେ। ତେଣୁ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ତଦନ୍ତ ବିଳମ୍ବ ହେଉଥିବା ଏବଂ ସଠିକ ଭାବରେ କରାଯାଉନଥିବାରୁ ରଞ୍ଜନଙ୍କ ବାପା ଲକ୍ଷ୍ମୀଧର ଦାସ ଓ ଅନ୍ୟ ଜଣେ ବ୍ୟକ୍ତି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । କୋର୍ଟରେ ଏହି ମାମଲାର ଶୁଣାଣି ସମୟରେ ରଞ୍ଜନଙ୍କ ମୃତ୍ୟୁ ଘଟଣା ସଂପର୍କିତ ଭିଡିଓ କ୍ଲିପରୁ ପୋଲିସ ତଦନ୍ତ ଠିକ ଭାବେ କରି ନଥିବା ସ୍ପଷ୍ଟ ହୋଇଥିଲା । ରଞ୍ଜନଙ୍କ ମୃତ୍ୟୁ ଘଟଣାର ତଦନ୍ତ ଗୋପନୀୟ ଢଙ୍ଗରେ ତଥା ସମସ୍ତ ଦିଗକୁ ପରିସରଭୁକ୍ତ ନକରି ପୋଲିସ ସମ୍ପୂର୍ଣ୍ଣ କରି ଥିବା ସ୍ପଷ୍ଟ ହୋଇଥିଲା ।

ଏଭଳି ପ୍ରସଙ୍ଗକୁ ହାଇକୋର୍ଟ ବିଚାରକୁ ନେଇ ଏହି ମୃତ୍ୟୁ ଘଟଣାର ତଦନ୍ତ କରିବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି । କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ବ ହସ୍ତାନ୍ତର ପାଇଁ ବର୍ତ୍ତମାନର ତଦନ୍ତକାରୀ ଅଧିକାରୀଙ୍କୁ ହାଇକୋର୍ଟ କହିଛନ୍ତି। ତିନି ମାସ ଭିତରେ ତଦନ୍ତ ଶେଷ କରିବା ପାଇଁ କ୍ରାଇମବ୍ରାଞ୍ଚକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଡକ୍ଟର ଜଷ୍ଟିସ ସଞ୍ଜିବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସମ୍ପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ।

ରଞ୍ଜନଙ୍କ ମୃତ୍ୟୁ ଘଟଣାର ତଦନ୍ତ ଏସଆଇଟି କରିବା ନେଇ ହାଇକୋର୍ଟରେ ଏକ ମାମଲା ଦାୟର ହୋଇଥିଲା । ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହିତ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ତଦନ୍ତ ଶେଷ କରାଯାଉ ବୋଲି ଆବେଦନରେ ଦର୍ଶାଯାଇଥିଲା । ଯାହାର ଶୁଣାଣି ଗତକାଲି ହୋଇଥିଲା । 2020 ଫେବୃଆରୀ 1 ତାରିଖରେ ରଞ୍ଜନଙ୍କ ମୃତଦେହ ମାର୍ଶାଘାଇ ଥାନା ଅନ୍ତର୍ଗତ ବରୁହାଁ ରାସ୍ତାକଡରେ ପଡିଥିବା ସ୍ଥାନୀୟ ଲୋକ ଦେଖିଥିଲେ । ତାଙ୍କୁ କିଛି ଦୁର୍ବୃତ୍ତ ନିର୍ମମ ଭାବେ ହତ୍ୟା କରି ଏହାକୁ ଦୁର୍ଘଟଣାର ରୂପ ଦେବା ପାଇଁ ତାଙ୍କ ଉପରେ ମଟର ସାଇକେଲ୍ ପକାଇ ଚାଲିଯାଇଥିଲେ । ମୃତକଙ୍କ ଭିଣୋଇ ବଳରାମ ଦାସ ଅଭିଯୋଗ କରିବା ପରେ ପୋଲିସ୍ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ କଟକ ବଡ଼ ଡାକ୍ତରଖାନାକୁ ପଠାଇଥିଲା । ଏହିଘଟଣାକୁ ନେଇ ସମଗ୍ର ରାଜ୍ୟରେ ଉତ୍ତେଜନା ଓ ଅସନ୍ତୋଷ ସୃଷ୍ଟି ହୋଇଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.