Citizen Sentinel App: ହେଲମେଟ୍ ନପିନ୍ଧିଲେ ଫଟୋ ଉଠାଇବେ ସାଧାରଣ ଜନତା
Citizen Sentinel App: ହେଲମେଟ୍ ନପିନ୍ଧିଲେ ଫଟୋ ଉଠାଇବେ ସାଧାରଣ ଜନତା
ହେଲମେଟ୍ ନପିନ୍ଧିଲେ ଆଉ ନାହିଁ ତ୍ରାହି । ଆଉ କେବଳ ପୋଲିସ ନୁହେଁ, ଏଣିକି ହେଲମେଟ ପିନ୍ଧିନଥିବା ଲୋକଙ୍କୁ ଜଗିବେ ସାଧାରଣ ଜନତା । ଅଧିକ ପଢନ୍ତୁ
କଟକ: ବିନା ହେଲମେଟରେ ଗାଡି ଚଳାଉଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ ! କାରଣ ପୋଲିସ ଅନୁପସ୍ଥିତରେ ବି କଟିବ ଚାଲାଣ । ଆପଣଙ୍କ ମନକୁ ପ୍ରଶ୍ନ ଆସୁଥିବ ଯେ, କେମିତି ଚାଲାଣ କଟିବ, ଆଉ କିଏ ଚାଲାଣ କାଟିବ ? କିନ୍ତୁ ହଁ ! ଆପଣ ବିନା ହେଲମେଟରେ ଗାଡି ଚଳାଉଥିଲେ କେଉଁଠି ବି ଚାଲାଣ କଟିଯିବ । ତାହା ପୁଣି ୧୦୦ କି ୫୦୦ ନୁହେଁ, ବରଂ ଆହୁରି ଅଧିକ ରାଶିର ଚାଲାଣ କଟିବ । କାରଣ ଏଣିକି ହେଲମେଟ ନପିନ୍ଧି ଗାଡି ଚଳାଉଥିବା ଲୋକଙ୍କୁ କେବଳ ପୋଲିସ ନୁହେଁ, ସାଧାରଣ ଲୋକେ ବି ସାବାଡ଼ କରିବେ । ଅମାନିଆ ଗାଡ଼ି ଚାଳକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସିଟିଜେନ୍ ସେଣ୍ଟିନେଲ ନାମକ ଏକ ପୋର୍ଟାଲକୁ କାର୍ଯ୍ୟକ୍ଷମ କରିଛି ରାଜ୍ୟ ପରିବହନ ବିଭାଗ ।
ଜଣେ ସାଧାରଣ ଲୋକଟିଏ ହେଲମେଟ ନ ପିନ୍ଧି ଗାଡ଼ି ଚଳାଉଥିବା ଲୋକଙ୍କ ଫଟୋ ଓ ଭିଡିଓ ଉଠାଇ ଏହି ପୋର୍ଟାଲରେ ପଠାଇ ପାରିବେ । ତାପରେ ଏହି ଭିଡ଼ିଓ ବା ଫଟୋରୁ ତଥ୍ୟ ସଂଗ୍ରହ କରି ଏହାକୁ ଅନୁଧ୍ୟାନ କରିବା ପରେ ପରିବହନ ବିଭାଗ ସମ୍ପୃକ୍ତ ଟ୍ରାଫିକ ନିୟମ ଖିଲାପିକାରୀଙ୍କ ବିରୁଦ୍ଧରେ ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଜରିମାନା ମଧ୍ୟ ଆଦାୟ କରିବ । ପ୍ରାଥମିକ ପର୍ଯ୍ୟାୟରେ କେବଳ ହେଲମେଟ ପିନ୍ଧା ଉପରେ ଗୁରୁତ୍ବ ଦିଆଯାଉଥିବା ବେଳେ ଆଗକୁ ଟ୍ରିପଲ ରାଇଡିଂ, ଦୃତଗତିରେ ଗାଡ଼ି ଚାଳନା, ବିନା ସିଟ ବେଲ୍ଟରେ କାର ଚଳାଇବା ଭଳି ଟ୍ରାଫିକ ନିୟମର ଖିଲାପିକୁ ମଧ୍ୟ ଏଥିରେ ଯୋଡ଼ା ଯିବ ବୋଲି କହିଛି ଏସଟିଏ । ତେବେ ଏହାଦ୍ବାରା ଖିଲାପିକାରୀମାନେ ଟ୍ରାଫିକ ନିୟମକୁ କଡାକଡ଼ି ଭାବେ ପାଳନ କରିବେ ବୋଲି ଆଶା ରଖିଛି ବିଭାଗ । ଏନେଇ ଏସଟିଏର ଅତିରିକ୍ତ କମିଶନର ଲାଲମୋହନ ସେଠୀ ‘ଇଟିଭି ଭାରତ’କୁ ସୂଚନା ଦେଇଛନ୍ତି ।
ବଡ଼କଥା ହେଉଛି ରାଜ୍ୟରେ ଦୁର୍ଘଟଣା ହାରକୁ ଦେଖିଲେ, କେବଳ ବିନା ହେଲମେଟରେ ଗାଡି ଚାଳକଙ୍କ ସଂଖ୍ୟା ଅଧିକ ରହୁଛି । ତଥ୍ୟ ଅନୁସାରେ, ବିଶେଷକରି ଯେଉଁମାନେ ହେଲମେଟ ନପିନ୍ଧି ଗାଡି ଚଳାଉଛନ୍ତି ସେମାନଙ୍କର ଦୁର୍ଘଟଣାରେ ମୃତୁ ଘଟିଛି । ଏହାକୁ କିପରି ରୋକା ଯାଇପାରିବ ସେନେଇ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛି ଏସଟିଏ ।
ଇଟିଭି ଭାରତ, କଟକ
