ବକ୍ସି ଜଗବନ୍ଧୁଙ୍କ ସ୍ମୃତିକୁ ସାଇତିବାକୁ ଏକାଠି ସବୁ ଦଳ, ବକ୍ସି ବଜାର ଛକରେ ମୂର୍ତ୍ତି କାମ ସାରିବାକୁ ଉଠିଲା ସ୍ୱର

ବକ୍ସି ଜଗବନ୍ଧୁଙ୍କ ସ୍ମୃତିକୁ ସାଇତିବାକୁ ଏକାଠି ସବୁ ଦଳ, ବକ୍ସି ବଜାର ଛକରେ ମୂର୍ତ୍ତି କାମ ସାରିବାକୁ ଉଠିଲା ସ୍ୱର
ଆଜିର ଦିନରେ କଟକର ବକ୍ସି ବଜାର ନିକଟରେ ଥିବା ଅସ୍ଥାୟୀ ଜେଲରେ ସହିଦ ହୋଇଥିଲେ ପାଇକ ବିଦ୍ରୋହର କର୍ଣ୍ଣଧାର ବକ୍ସି ଜଗବନ୍ଧୁ । ତେବେ ତାଙ୍କର କଟକ ସହ ରହିଥିବା ସ୍ମୃତିକୁ ସାଇତି ରଖିବା ପାଇଁ ସବୁ ଦଳର ନେତା ଏକାଠି ହୋଇଛନ୍ତି । ସେପଟେ ବକ୍ସି ବଜାର ନିକଟରେ ହେଉଥିବା ବକ୍ସି ଜଗବନ୍ଧୁଙ୍କ ମୂର୍ତ୍ତି କାମ ୩ ବର୍ଷ ଭିତରେ ସରିନଥିବାରୁ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ବଢ଼ୁଛି । ଅଧିକ ପଢ଼ନ୍ତୁ
କଟକ: ପାଇକ ବିଦ୍ରୋହର କର୍ଣ୍ଣଧାର ବକ୍ସି ଜଗବନ୍ଧୁଙ୍କର କଟକ ସହରରେ ଅନେକ ସ୍ମୃତି ରହିଛି । କଟକରେ ବକ୍ସି ଜଗବନ୍ଧୁଙ୍କୁ ନଜର ବନ୍ଦୀ ଭାବେ ରଖାଯାଇଥିଲା । କଟକରେ ହିଁ ଜେଲରେ ଥିବା ଅବସ୍ଥାରେ ସେ ସହିଦ ହୋଇଥିଲେ । ତେଣୁ ମଙ୍ଗଳବାର ବକ୍ସି ଜଗବନ୍ଧୁଙ୍କ ତିରୋଧାନ ଦିବସ ଅବସରରେ କଟକରେ ବକ୍ସି ଜଗବନ୍ଧୁଙ୍କ ସ୍ମୃତି ରକ୍ଷା ପାଇଁ ଦଳ ମତ ନିର୍ବିଶେଷରେ ଏକାଠି ହେଇଛନ୍ତି ସବୁ ଦଳର ନେତା । ସେପଟେ ବକ୍ସି ଜଗବନ୍ଧୁଙ୍କ ଏକ ଦଶ ଫୁଟର ପ୍ରତିମୂର୍ତ୍ତି ବକ୍ସି ବଜାରରେ ସ୍ଥାପନ କରିବା ପାଇଁ ନିର୍ମାଣ କାମ ଚାଲିଛି । କିନ୍ତୁ ସିଏମସିର ଅବହେଳା ଯୋଗୁଁ ନିର୍ଦ୍ଧାରିତ ସମୟ ଭିତରେ ସରିପାରୁନି ପ୍ରତିମୂର୍ତ୍ତି କାମ । ଯାହାକୁ ନେଇ କଟକିଆଙ୍କ ମନରେ ବଢିଛି କ୍ଷୋଭ ।
ପାଇକ ବିଦ୍ରୋହର କର୍ଣ୍ଣଧାର ବକ୍ସି ଜଗବନ୍ଧୁ: ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାୟ ହେଉଛନ୍ତି ଇଂରେଜ ଶାସନ ବିରୋଧରେ ୧୮୧୭ ମସିହାରେ ଖୋର୍ଦ୍ଧାରୁ ଆରମ୍ଭ ହୋଇଥିବା ପାଇକ ବିଦ୍ରୋହର କର୍ଣ୍ଣଧାର । ୧୮୫୭ର ସିପାହୀ ବିଦ୍ରୋହର ବହୁ ପୂର୍ବରୁ ବ୍ରିଟିଶ ଶାସନ ବିରୋଧରେ ଆରମ୍ଭ ହୋଇଥିବା ଖୋର୍ଦ୍ଧାର ଏହି ପାଇକ ବିଦ୍ରୋହର ନାୟକ ବକ୍ସି ଜଗବନ୍ଧୁ ମାତ୍ର ୪ ଶହ କନ୍ଧ ସୈନିକଙ୍କ ସହାୟତାରେ ବାଣପୁର ଓ ଘୁମୁସରରୁ ତଡି ଦେଇଥିଲେ ବ୍ରିଟିଶ ସୈନ୍ୟଙ୍କୁ ।
କଟକରେ ସହିଦ ହୋଇଥିଲେ ବକ୍ସି ଜଗବନ୍ଧୁ: ଏହି ମହାନ ଯୋଦ୍ଧାଙ୍କର ଜୀବନର ଶେଷ ସମୟ କଟକ ସହରରେ କଟିଥିଲା । କଟକର ଏଇ ବକ୍ସି ବଜାର ଛକ ନିକଟରେ ଥିବା ଅସ୍ଥାୟୀ ଜେଲରେ ୧୮୨୫ ମସିହାରେ ବ୍ରିଟିଶ ସେନା ବକ୍ସି ଜଗବନ୍ଧୁଙ୍କୁ ଗୃହବନ୍ଦୀ କରି ରଖିଥିଲେ । ତେଣୁ ଏଇ ଛକର ନାଁ ବକ୍ସି ବଜାର । ୧୮୨୯ ମସିହା ଜାନୁଆରୀ ୨୪ ତାରିଖରେ କଟକରେ ଜେଲରେ ଥିବା ସମୟରେ ସହିଦ ହୋଇଥିଲେ ବକ୍ସି ଜଗବନ୍ଧୁ । ଏହି ମହାନ୍ ସ୍ବାଧୀନତା ସଂଗ୍ରାମୀଙ୍କର କଟକ ସହିତ ଏତେ ଗୁଡାଏ ସ୍ମୃତି ରହିଥିବାରୁ ଆଜି ତାଙ୍କର ତିରୋଧାନ ଦିବସରେ ସବୁ ଦଳର ନେତା ଏକାଠି ହୋଇ ତାଙ୍କର ସ୍ମୃତିକୁ ସାଇତି ରଖିବା ପାଇଁ ଅଣ୍ଟା ଭିଡିଛନ୍ତି ।
୩ ବର୍ଷରେ ମଧ୍ୟ ସରି ପାରୁନି ମୂର୍ତ୍ତି କାମ: ବକ୍ସି ବଜାର ଛକରେ ଘୋଡା ସବାର ହୋଇଥିବା ବକ୍ସି ଜଗବନ୍ଧୁଙ୍କର ଏକ ଦଶ ଫୁଟର ବ୍ରୋଞ୍ଜ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ସରକାର ୨୧ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ସିଏମସି ପ୍ରତିମୂର୍ତ୍ତି ତିଆରି ପାଇଁ ବିଶିଷ୍ଟ ସ୍ତପତି ଲକ୍ଷ୍ମୀଧର ରଣାଙ୍କୁ ଟେଣ୍ଡର ଦେଇଛି । ମାତ୍ର ଦୀର୍ଘ ୩ ବର୍ଷ ପରେ ମଧ୍ୟ ପ୍ରତିମୂର୍ତ୍ତି କାମ ସରିପାରୁ ନାହିଁ । ସେପଟେ ଚଳିତ ବର୍ଷ ବକ୍ସି ଜଗବନ୍ଧୁଙ୍କର ୨୫୦ତମ ଜୟନ୍ତୀ ପାଳନ ହେବାକୁ ଅଛି । ତେଣୁ ଏହା ପୂର୍ବରୁ କଟକରେ ବକ୍ସି ଜଗବନ୍ଧୁଙ୍କର ସ୍ମୃତି ସାଇତି ରଖିବା ପାଇଁ ଠୋସ ପଦକ୍ଷେପ ନେବାକୁ ଦାବି କରିଛନ୍ତି ସହରର ବୁଦ୍ଧିଜୀବୀ ଓ ବ୍ୟବସାୟୀ ସଂଘ । ତେବେ କଟକିଆଙ୍କ ଭାବାବେଗକୁ ଆଧାର କରି କେବେ ଏହି ମହାନ ଜନନାୟକଙ୍କ ପ୍ରତିମୂର୍ତ୍ତି ବକ୍ସିବଜାର ଛକରେ ପ୍ରତିଷ୍ଠା ହେବ ତାକୁ ହିଁ ଅପେକ୍ଷା ।
ଇଟିଭି ଭାରତ, କଟକ
