ବିକାଶରେ ବାଧା ଦେଉଛି ପାହାଡି ଝରଣା, ଯାତାୟତ ପାଇଁ ହୀନସ୍ତା ହରଭଙ୍ଗାର ଲୋକେ

author img

By

Published : Sep 19, 2022, 12:46 PM IST

ଅଞ୍ଚଳର ବିକାଶରେ ବାଧକ ସାଜିଛି ପାହାଡି ଝରଣା

ବୌଦ୍ଧ ଜିଲ୍ଲା ବ୍ଲକ ସଦର ମହକୁମାର ଚତୁଃପାର୍ଶ୍ବରେ ଥିବା ଦଶରୁ ଊର୍ଦ୍ଧ୍ବ ଗ୍ରାମରେ ସରକାରଙ୍କ ସୁବିଧା ସୁଯୋଗ ପହଞ୍ଚି ପାରୁନଥିବା କାରଣରୁ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ । ଏଦିଗରେ ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ସରକାରଙ୍କୁ ଦୃଷ୍ଟି ଦେବାକୁ ସ୍ଥାନୀୟ ବାସିନ୍ଦାଙ୍କ ଦାବି । ଅଧିକ ପଢନ୍ତୁ

ବୌଦ୍ଧ: ସ୍ବାଧୀନତାକୁ ୭୫ ବର୍ଷ ବିତିଯାଇଥିଲେ ସୁଦ୍ଧା ଆଜି ମଧ୍ୟ ଅନେକ ଅଞ୍ଚଳ ସୁବିଧା ସୁଯୋଗରୁ ବଞ୍ଚିତ । ଦୀପ ତଳ ଅନ୍ଧାର ଭଳି ଅନେକ ଅଞ୍ଚଳରେ ସରକାରଙ୍କ କଲ୍ୟାଣକାରୀ ଯୋଜନା ଅପହଞ୍ଚ ହୋଇ ପଡିରହିଛି । ବ୍ଲକ ସଦର ମହକୁମାର ଚତୁଃପାର୍ଶ୍ବରେ ଥିବା ଦଶରୁ ଊର୍ଦ୍ଧ୍ବ ଗ୍ରାମର ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅଞ୍ଚଳର ବିକାଶରେ ବାଧକ ସାଜିଛି ପାହାଡି ଝରଣା ।

ଅଞ୍ଚଳର ବିକାଶରେ ବାଧକ ସାଜିଛି ପାହାଡି ଝରଣା

ଗମନାଗମନର ଅବ୍ୟବସ୍ଥା ହେତୁ ଅପହଞ୍ଚ ସରକାରୀ ଯୋଜନା । ବିଶେଷ ଭାବରେ ପାହାଡି ଝରଣା ଏହି ବିକାଶରେ ସାଜିଛି ମୁଖ୍ୟ ପ୍ରତିବନ୍ଧକ । ବ୍ଲକ ସଦର ମହକୁମା ପଞ୍ଚାୟତର ଚତୁଃପାର୍ଶ୍ବରେ ଥିବା ଗ୍ରାମର ଏଭଳି ଅବସ୍ଥା ଦେଖାଦେଇଛି । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଦର ମହକୁମା ବାଣୀଭୁଷଣପୁର ପଞ୍ଚାୟତ ଅଧିନରେ ଆସିଥାଏ ଏହି ଗ୍ରାମ । ତେବେ ଆଶ୍ଚର୍ଯ୍ୟର କଥା ବ୍ଲକ ଠାରୁ ମାତ୍ର କିଛି କିଲୋମିଟର ଦୂରରେ ଅବସ୍ଥିତ ଗ୍ରାମ ଗୁଡିକୁ ସବୁଦିନିଆ ରାସ୍ତା ଖଣ୍ଡେ ନାହିଁ । ବାହାଲି ନାଳ ଅପର ପାର୍ଶ୍ଵରେ ଥିବା ତିନି ଖଣ୍ଡ ଗ୍ରାମକୁ ବର୍ଷ ତମାମ ବିଚ୍ଛିନ୍ନ କରି ରଖୁଥିବାରୁ ଉକ୍ତ ନାଳ ଉପରେ ଏକ ସେତୁ ନିର୍ମାଣ କାର୍ଯ୍ୟ ଦୁଇ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା । କିନ୍ତୁ ବ୍ଲକର ସରକାରୀ ଅଧିକାରୀଙ୍କ ମନମାନି ଯୋଗୁଁ ନିର୍ମାଣ କାର୍ଯ୍ୟ ଆଜି ପର୍ଯ୍ୟନ୍ତ ଶେଷ ହୋଇପାରିଲାନାହିଁ ।

ଏହା ମଧ୍ୟ ପଢନ୍ତୁ:ବୌଦ୍ଧର ଦୁଃଖିନୀ ଅଙ୍ଗନବାଡି ଦିଦି, ଗୁହାଳରେ ବିତୁଛି ଜୀବନ

ସେହିପରି ବ୍ଲକ କାର୍ଯ୍ୟାଳୟ ନିକଟରେ ଥିବା ଡିଗସିରା ଓ ଘୋଡାଡିଆଁ ଗ୍ରାମକୁ ଲକ୍ଷ୍ମୀ ନାଳ ବିଚ୍ଛିନ୍ନ କରି ରଖୁଥିବା ବେଳେ ଏଠାରେ ବିକାଶର ଧାରା ଠିକରେ ପହଞ୍ଚି ପାରୁନାହିଁ । ସେପଟେ ପ୍ରତ୍ୟେକ ଦିନ ଜୀବନକୁ ବାଜି ଲଗାଇ ଅଣ୍ଟେ ମୁଣ୍ଡେ ପାଣିରେ ପାରି ହୋଇ ପିଚୁକୁଡି, କାଲିମାଟିଓ ଡିଗିପଦର ଗ୍ରାମର କୁନି କୁନି ଛାତ୍ରଛାତ୍ରୀ ବାଲିଯୋର ଝରଣାକୁ ପାରି ହୋଇ କରଡାକୋଠା ଓ ଚାରିଛକକୁ ଶିକ୍ଷା ଗ୍ରହଣ ପାଇଁ ଆସୁଛନ୍ତି । ଏଭଳି ସମସ୍ୟାକୁ ନେଇ ଅଞ୍ଚଳବାସୀ ବାରମ୍ବାର ପଞ୍ଚାୟତ ଓ ବ୍ଲକ କର୍ତ୍ତୃପକ୍ଷଙ୍କ ନିକଟରେ ଗୁହାରି କଲେ ମଧ୍ୟ ସରକାରୀ ବାବୁଙ୍କ ଉଦାସୀନତା ଯୋଗୁଁ ବ୍ଲକ ନିକଟରେ ଥିବା ଦଶରୁ ଊର୍ଦ୍ଧ୍ବ ଗ୍ରାମ ବର୍ତ୍ତମାନ ବିଛିନ୍ନାଞ୍ଚଳର ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି । ତୁରନ୍ତ ଏଦିଗରେ ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ସରକାର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.