ନିରାଶ୍ରୟ ପଶୁକୁ ଆପଣାଇ ପ୍ରାଣୀ ସେବାର ବାର୍ତ୍ତା ଦେଇଥିଲେ, ପ୍ରିୟ ଓଟକୁ ହରାଇ ମ୍ରିୟମାଣ ମାଲିକ
ନିରାଶ୍ରୟ ପଶୁକୁ ଆପଣାଇ ପ୍ରାଣୀ ସେବାର ବାର୍ତ୍ତା ଦେଇଥିଲେ, ପ୍ରିୟ ଓଟକୁ ହରାଇ ମ୍ରିୟମାଣ ମାଲିକ
ମଣିଷ ଓ ପଶୁଙ୍କ ମଧ୍ୟରେ ସମ୍ପର୍କର ଭିନ୍ନ ଉଦାହରଣ ସୃଷ୍ଟି କରି ଚର୍ଚ୍ଚାରେ ରହିଥିବା ଓଟଟିର ମୃତ୍ୟୁ ହୋଇଥିଲା । ବହୁ ଦୁଃଖ କଷ୍ଟରେ ଏହାକୁ ଦୀର୍ଘ ଦିନ ଧରି ପାଳି ଆସିଥିବା ବୈରାଗୀ ଦୁଃଖରେ ଭାଙ୍ଗି ପଡିଛନ୍ତି । ଅଧିକ ପଢ଼ନ୍ତୁ
ବୌଦ୍ଧ: ମଣିଷ ଓ ପଶୁଙ୍କ ମଧ୍ୟରେ ସମ୍ପର୍କର ଭିନ୍ନ ଉଦାହରଣ ସୃଷ୍ଟି କରି ଚର୍ଚ୍ଚାରେ ରହିଥିବା ଓଟଟି ମୃତ୍ୟୁ ବରଣ କରିଛି । ତେବେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିଲେ ବି ନିଜେ ନଖାଇ ନ ପିଇ ଅନ୍ୟଠାରୁ ମାଡ ଗାଳି ଖାଇ ଓଟର ଅତ୍ୟନ୍ତ ନିକଟ ବନ୍ଧୁ ସାଜିଥିଲେ ବୈରାଗୀ । ବର୍ତ୍ତମାନ ଓଟର ମୃତ୍ୟୁ ପରେ ସେ ଦୁଃଖରେ ଭାଙ୍ଗି ପଡିଛନ୍ତି । ମଣିଷ ଓ ପଶୁଙ୍କ ମଧ୍ୟରେ ଅନାବିଳ ସ୍ନେହର ଅନେକ ଉଦାହରଣ ରହିଛି । ଏଭଳି ଏକ ଘଟଣା ଲକଡାଉନ ସମୟରେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ମଣିଷ ଓ ଏକ ବେସାହାରା ଓଟ ମଧ୍ୟରେ ଗଢ଼ି ଉଠିଥିଲା ନିଆରା ସମ୍ପର୍କ । ତେବେ ବର୍ତ୍ତମାନ ଏହି ଓଟଟିର ମୃତ୍ୟୁ ହୋଇଥିବାବେଳେ ତାକୁ ଆପଣେଇ ନେଇଥିବା ବୈରାଗୀ ବର୍ତ୍ତମାନ ଦୁଃଖରେ ଭାଙ୍ଗି ପଡିଛନ୍ତି ।
ଓଟ ପଛରେ ଥିବା ରୋଚକ କାହାଣୀ ଯୋଗୁଁ ତା'ର ମୃତ୍ୟୁ ପରେ ସମସ୍ତଙ୍କୁ ବ୍ୟଥିତ କରିଛି । ମଣିଷ ଓ ପଶୁଙ୍କ ମଧ୍ୟରେ ଅନାବିଳ ସ୍ନେହ ପ୍ରେମର ଅନେକ କାହାଣୀ ରହିଛି । ସୂଚନା ଅନୁସାରେ, ୨୦୧୯ ମସିହାରେ ସାରା ବିଶ୍ବରେ କୋରୋନା ମହାମାରୀ ଆତଙ୍କ ସୃଷ୍ଟି କରିଥିବାବେଳେ ଭାରତରେ ଓ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଏହି ମହାମାରୀ କାୟା ବିସ୍ତାର କରିବାରେ ଲାଗିଥିଲା । ଏଣୁ ସରକାର ଲକଡାଉନ ଭଳି କଠୋର ପଦକ୍ଷେପ ଗ୍ରହଣ କରିଥିଲେ । ଏହି ସମୟରେ ସୁଦୂର ରାଜସ୍ଥାନରୁ ଗୋଟିଏ ଓଟକୁ ନିଜ ସହିତ ନେଇ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଜୀବିକା ନିର୍ବାହ କରୁଥିବା ଓଟ ମାଲିକ ଓଟକୁ ଛାଡ଼ି ଦେଇ ନିଜ ରାଜ୍ୟକୁ ଚାଲିଗଲା ।
ଆଉ ତା'ପରେ ଓଟଟି ନିଜ ମାଲିକକୁ ଖୋଜି ଖୋଜି ଅସୁସ୍ଥ ହୋଇପଡ଼ିଲା । ଏପରିକି ଖାଦ୍ୟ ଅଭାବରୁ ତା'ର ସ୍ବାସ୍ଥ୍ୟ ମଧ୍ୟ ଅତ୍ୟନ୍ତ ଗୁରୁତର ହୋଇପଡିଥିଲା । ଏଭଳି ସମୟରେ ଦେବଦୂତ ସାଜିଥିଲେ ବୌଦ୍ଧ ଜିଲ୍ଲା ଗୋଦରାବେଣୀ ଗ୍ରାମର ଆଦିବାସୀ ପରିବାରର ବୈରାଗୀ ଭବସାଗର । ବୈରାଗୀ ଓଟକୁ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଉଦ୍ଧାର କରି ନିଜ ଉଦ୍ୟମରେ ଚିକିତ୍ସା କରି ଛାଡ଼ି ଦେଇଥିଲେ । କିନ୍ତୁ ଓଟଟି ବୈରାଗୀଙ୍କ ନିକଟକୁ ଖୋଜି ଖୋଜି ଗୋଦରାବେଣୀ ଗ୍ରାମକୁ ପୁଣି ଫେରିଆସିଥିଲା । କିନ୍ତୁ ନିଜ ପରିବାର ପୋଷଣ ପାଇଁ ଅସମର୍ଥ ବୈରାଗୀ ବାରମ୍ବାର ଓଟକୁ ଅନ୍ୟତ୍ର ଛାଡ଼ିଲେ ମଧ୍ୟ ଓଟଟି ବୈରାଗୀଙ୍କ ନିକଟକୁ ଫେରିଆସୁଥିଲା । ଶେଷରେ ଓଟକୁ ଆପଣାର କରିନେଇଥିଲେ ବୈରାଗୀ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ବୈରାଗୀ ନିଜ ପରିବାର ପ୍ରତିପୋଷଣ ପାଇଁ ଅସମର୍ଥ ଥିବାବେଳେ ଓଟଟିର ଆହାର ପାଇଁ ଶେଷରେ ନିଜେ ଭିକ୍ଷା ବୃତ୍ତି କରିଥିଲେ ।
ଦ୍ବାର ଦ୍ବାର ବୁଲି ଓଟ ପାଇଁ ଭିକ୍ଷା ବୃତ୍ତି କରିବା ସହିତ ଓଟଟି ଅନ୍ୟର ବାଡ଼ିରୁ ଡାଳପତ୍ର ଖାଇବା ଦ୍ବାରା ବୈରାଗୀ ଅନ୍ୟଠାରୁ ମାଡ ଗାଳି ଖାଇ ମଧ୍ୟ ଖାଇଥିଲେ । ଏପରିକି ଏକାଧିକ ଥର ଓଟ ପାଇଁ ବୈରାଗୀଙ୍କୁ ଥାନାରେ ହାଜର ହେବାକୁ ପଡ଼ିଥିଲା । ବୈରାଗୀଙ୍କ ପରିବାରର ସଦସ୍ୟ ପାଲଟି ଯାଇଥିଲା ମରୁଭୂମି ରାଜ୍ୟର ଓଟ । ଗୋଟିଏ ମୁହୂର୍ତ୍ତ ପାଇଁ ବୈରାଗୀ କିମ୍ବା ଓଟ ପରସ୍ପରଠାରୁ ଅଲଗା ହୋଇ ରହି ପାରୁନଥିଲେ । ହେଲେ ବର୍ତ୍ତମାନ ଓଟଟିର ହଠାତ୍ ମୃତ୍ୟୁ ପରେ ବୈରାଗୀ ଦୁଃଖରେ ଭାଙ୍ଗି ପଡିଛନ୍ତି । ଲକ୍ଡାଉନ ସମୟରେ ଏକ ଅସହାୟ ଓଟକୁ ଆପଣାଇଥିବା ବୈରାଗୀଙ୍କ ପ୍ରାଣୀ ସେବା ପାଇଁ ଉତ୍ସର୍ଗୀକୃତ କାର୍ଯ୍ୟ ଉଦାହରଣ ସୃଷ୍ଟି କରିଛି ।
ଇଟିଭି ଭାରତ, ବୌଦ୍ଧ
