ବୌଦ୍ଧରେ ଡ୍ରାଇଭର ମହାସଂଘର ଆନ୍ଦୋଳନ, ଚକ ଅଖ ବନ୍ଦ

author img

By

Published : Mar 15, 2023, 12:49 PM IST

boudh driver association protest

10 ଦଫା ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ଷ୍ଟିୟରିଂ ଛାଡ ଆନ୍ଦୋଳନ ଡାକରା ଦେଇଛି ଡ୍ରାଇଭର ଏକତା ମଞ୍ଚ । ବୌଦ୍ଧରେ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇଛି ଡ୍ରାଇଭର ମହାସଂଘ । ଅଧିକ ପଢନ୍ତୁ

ବୌଦ୍ଧରେ ଡ୍ରାଇଭର ମହାସଂଘର ଆନ୍ଦୋଳନ

ବୌଦ୍ଧ: ସରକାର ଦାବି ପୂରଣ ପ୍ରତିଶ୍ରୁତି ପାଳନରେ ବିଫଳ ହୋଇଥିବା ଅଭିଯୋଗ କରି ଆଜି ଠାରୁ ଡ୍ରାଇଭର ମହାସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଷ୍ଟିୟରିଂ ଛାଡ ଆନ୍ଦୋଳନ ହୋଇଛି । ରାଜ୍ୟରେ ବସ ଚଳାଚଳ ବନ୍ଦ ହେବା ସହିତ ରାଜରାସ୍ତାରେ ଚକାଜାମ ଆନ୍ଦୋଳନ କରିଛି ଡ୍ରାଇଭର ସଂଘ । ବୌଦ୍ଧ ଜିଲ୍ଲାରେ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇଛି ଡ୍ରାଇଭର ମହାସଂଘ ।

ଆନ୍ଦୋଳନକୁ ଦୃଷ୍ଟିରେ ରଖି ଉଭୟ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଡ୍ରାଇଭର ମହାସଂଘର ବିଭିନ୍ନ ଦାବିକୁ ନେଇ ସରକାର ତାଙ୍କ ପ୍ରତିଶ୍ରୁତି ପାଳନ କରିନଥିବା ଅଭିଯୋଗ କରି ଆଜି ଠାରୁ 10 ଦଫା ଦାବି ନେଇ ସାରା ରାଜ୍ୟରେ ଡ୍ରାଇଭର ମାନେ ଷ୍ଟିୟରିଂ ଛାଡ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଜିଲ୍ଲା ସଦର ମହକୁମା ମହାନଦୀ ସେତୁଛକ ଠାରେ ଶହ ଶହ ଡ୍ରାଇଭର ଏକତ୍ରିତ ହୋଇ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଏଥିସହିତ ଜିଲ୍ଲାର ମନମୁଣ୍ଡା, ବାଉଁଶୁଣୀ, କଣ୍ଟାମାଳ, ବୀରନରସିଂପୁର, ପୁରୁଣାକଟକ, ଚାରିଛକ, ମାଧପୁର ଠାରେ ମଧ୍ୟ ଡ୍ରାଇଭର ମହାସଂଘର ସଦସ୍ୟମାନେ ଏକତ୍ରୀତ ହୋଇ ଗାଡି ମୋଟର ଚଳାଚଳ ବନ୍ଦ ପାଇଁ ଅନୁରୋଧ କରିଥିଲେ ।

ଏହା ବି ପଢନ୍ତୁ...ଅନୁଗୋଳରେ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ, ଯାତ୍ରୀ ହନ୍ତସନ୍ତ

ଜିଲ୍ଲାରେ 12 ହଜାର 600 ବେସରକାରୀ ଡ୍ରାଇଭର ରହିଥିବା ବେଳେ ଆଜିଠାରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ଆଗକୁ ଜାରି ରହିବ ବୋଲି ସୂଚନା ମିଳିଛି । ବିଶେଷ ଭାବରେ ସେମାନଙ୍କ 10 ଦଫା ଦାବି ମଧ୍ୟରୁ ମୃତ୍ୟୁକାଳୀନ ସହାୟତା, ଦୁର୍ଘଟଣା ଜନିତ ସହାୟତା ଓ ଅନ୍ୟାନ୍ୟ ଦାବିକୁ ନେଇ ଦୀର୍ଘ ଦିନ ହେଲା ସରକାରଙ୍କ ନିକଟରେ ଦାବି କରିଆସୁଥିଲେ । ସରକାର ଏନେଇ ପ୍ରତିଶ୍ରୁତି ଦେଇ ଭୁଲି ଯାଇଥିବା ଅଭିଯୋଗରେ ଆଜି ଠାରୁ ଏହି ଆନ୍ଦୋଳନ ଆରମ୍ଭ ହୋଇଛି । ଆନ୍ଦୋଳନର ପ୍ରଭାବରେ ରାସ୍ତାଘାଟ, ବସଷ୍ଟାଣ୍ଡ ଶୂନଶାନ ହୋଇଛି । ଗାଡି ଚଳାଚଳ ମଧ୍ୟ ବନ୍ଦ ରହିଛି । କେବେଳ ଜରୁରୀ ସେବାକୁ ଏଥିରୁ ବିରତି ଦିଆଯାଇଛି ।

ଜିଲ୍ଲାରେ ସରକାରୀ ବସ ସେବା ସହିତ ଆମ୍ବୁଲାନ୍ସ, ଅଗ୍ନିଶମ, ପୋଲିସ, ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ ଜରୁରୀକାଳୀନ ଗାଡି ମୋଟର ସେବାକୁ ଛାଡିଦେଲେ ଅନ୍ୟ ସମସ୍ତ ବେସରକାରୀ ଗାଡିମୋଟର ବନ୍ଦ ରହିଥିବା ଦେଖିବାକୁ ମିଳିଛି । ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ ପାଇଁ ବୌଦ୍ଧ ଜିଲ୍ଲାପାଳ ଓ ଏସପି ଆହ୍ବାନ ଦେଇଥିବା ବେଳେ ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ପରୀକ୍ଷା ସମୟ ଥିବାରୁ ଏନେଇ ଡ୍ରାଇଭର ମହାସଂଘର କର୍ମକର୍ତ୍ତାଙ୍କ ସହିତ ପ୍ରଶାସନିକ ସ୍ତରରେ ଆଲୋଚନା କରାଯାଇଛି । ମୋଟାମୋଟି ଭାବରେ ବର୍ତ୍ତମାନ ସୁଦ୍ଧା ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବରେ ଜାରି ରହିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.