ସ୍କୁଲ ପରିଚାଳନା କମିଟି ସଭାପତିଙ୍କୁ ବିଡିଓଙ୍କ ମାଡ଼, ଜିଲ୍ଲାପାଳଙ୍କୁ ଭେଟି ବିଜେପିର କାର୍ଯ୍ୟାନୁଷ୍ଠାନ ଦାବି

author img

By

Published : Mar 18, 2023, 9:53 PM IST

BJP met Bhadrak collector

ଭଦ୍ରକ ବନ୍ତ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସର୍ବସମ୍ମୁଖରେ ପରିଚାଳନା କମିଟିର ସଭାପତିଙ୍କୁ ମାଡ଼ ଘଟଣା । ଏହାକୁ ବିଜେପି ତୀବ୍ର ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛି । ଅଧିକ ପଢନ୍ତୁ

ଜିଲ୍ଲାପାଳଙ୍କୁ ଭେଟି ବିଜେପିର କାର୍ଯ୍ୟାନୁଷ୍ଠାନ ଦାବି

ଭଦ୍ରକ: ଜିଲ୍ଲାର ଶିଆଳିଆ ନୋଡ଼ାଉ ଉଚ୍ଚ ବିଦ୍ୟାଳୟ ପରିସରରେ ବନ୍ତ ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ ସେଠୀ ପରିଚାଳନା କମିଟିର ସଭାପତି ରଞ୍ଜନ ବାରିକଙ୍କୁ ସର୍ବସାଧାରଣରେ ମାଡ଼ ମାରିବା ଘଟଣା । ଏହାକୁ ତୀବ୍ର ନିନ୍ଦା କରିଛି ବିଜେପି । ଏ ନେଇ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।

ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ନିଲମ୍ବନ କରି ନିରପେକ୍ଷ ତଦନ୍ତ କରିବାକୁ ମଧ୍ୟ ଦାବି ହୋଇଛି । ଜିଲ୍ଲା ପୋଲିସ ଆରକ୍ଷୀ ଅଧୀକ୍ଷକଙ୍କୁ ମଧ୍ୟ ଏ ବିଷୟରେ ଅବଗତ କରାଯାଇଛି । ଏହି ପ୍ରସଙ୍ଗରେ ଦଳ ପକ୍ଷରୁ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଦଳର ବରିଷ୍ଠ ନେତା ଡ଼ ପ୍ରଦୀପ ନାୟକ, ବ୍ରଦୀନାରାୟଣ ଧଳ, ଅଭିମନ୍ୟୁ ସେଠୀ ଏବଂ ଜିଲ୍ଲା ସଭାପତି ହେମନ୍ତ ପାଢ଼ୀ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାର ‘ମୋ ସରକାର’ ଏବଂ 5T କଥା କହୁଥିବା ବେଳେ ଏବେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିର ଅଧୋଗତି ହେବା ସହିତ ସରକାରୀ ଅଧିକାରୀମାନଙ୍କର ସ୍ବେଚ୍ଛାଚାରିତା ବୃଦ୍ଧି ପାଇଛି ବୋଲି ଅଭିଯୋଗ କରିଛନ୍ତି।

ଏହା ବି ପଢନ୍ତୁ- ରାସନ ପାଇଁ ହିତାଧିକାରୀଙ୍କ ଆମରଣ ଅନଶନ, ପ୍ରତିଶୃତି ଦେଲେ ବିଡିଓ

ବିଦ୍ୟାଳୟଗୁଡ଼ିକରେ ଶିକ୍ଷକଙ୍କ ଅଭାବ ଯୋଗୁଁ ଶିକ୍ଷାଦାନ ବ୍ୟବସ୍ଥା ବ୍ୟାହତ ହେଉଥିବା ବେଳେ ସରକାର 5T ନାମରେ ବିଦ୍ୟାଳୟ କାନ୍ଥର ରଙ୍ଗ ବଦଳାଇ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେବା ପାଇଁ ସରକାରୀ ଅଧିକାରୀ ଏବଂ ବିଜେଡ଼ି କର୍ମକର୍ତ୍ତାମାନଙ୍କୁ ସୁଯୋଗ ଦେଉଛନ୍ତି ବୋଲି କହିଥିଲେ ଦଳର ବରିଷ୍ଠ ନେତା ବ୍ରଦୀ ନାରାୟଣ ଧଳ। ସରକାରଙ୍କ ଦ୍ବାରା ନିଯୁକ୍ତି ପ୍ରାପ୍ତ ଅଧିକାରୀମାନେ ସାଧାରଣ ଜନତାଙ୍କର ସେବା କରିବା ପ୍ରସଙ୍ଗକୁ ଭୁଲିଯାଇ ଏବେ ଫିରଙ୍ଗି ଶାସନ ସମୟ ଭଳି ଅତ୍ୟାଚାର ଏବଂ ଶୋଷଣ କରି ସାଧାରଣ ଲୋକଙ୍କୁ ମାନସିକ ନିର୍ଯାତନା ଦେଉଥିବା ଦଳ ଅଭିଯୋଗ କରାଯାଇଛି ।

ପରିଚାଳନା କମିଟିର ସଭାପତି ରଞ୍ଜନ ବାରିକଙ୍କୁ ସର୍ବସାଧାରଣରେ ମାଡ଼ ମାରିବା ଘଟଣା ଏହାର ସ୍ପଷ୍ଟ ଉଦାହରଣ ବୋଲି କହିଛନ୍ତି ବଦ୍ରି। ଏନେଇ ସାମ୍ବାଦିକ ସମ୍ମିଳନୀରେ ଦଳ ପକ୍ଷରୁ ପ୍ରମୁଖ ୩ଟି ଦାବି ରଖାଯାଇଛି । ପ୍ରଥମତଃ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ନିଲମ୍ବନ କରାଯାଇ ଘଟଣାର ତଦନ୍ତ କରାଯାଉ। କାରଣ ଗୋଷ୍ଠୀ ଉନ୍ନୟନ ଅଧିକାରୀ କାର୍ଯ୍ୟରେ ରହିଲେ ତଦନ୍ତ ପ୍ରଭାବିତ ହେବାର ଆଶଙ୍କା ରହିଛି । ଦ୍ଵିତୀୟରେ 5T ଯୋଜନା ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରେ କରାଯାଉଥିବା ଅନିୟମିତତାର ତଦନ୍ତ କରିବା ସହ ସଂପୃକ୍ତ ଅଧିକାରୀମାନଙ୍କ ବିରୁଦ୍ଧରେ ଦୃଢ ଏବଂ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

ଏତତ୍ ବ୍ୟତୀତ ସରକାରୀ ଅଧିକାରୀମାନେ ଜନସାଧାରଣଙ୍କ ପ୍ରତି ଉତ୍ତମ ବ୍ୟବହାର ଏବଂ ଆଚରଣ ପ୍ରଦର୍ଶନ କରିବା ସହ କାର୍ଯ୍ୟାଳୟରେ ‘ମୋ ସରକାରଙ୍କ ନିୟମାବଳୀକୁ କାର୍ଯ୍ୟକାରୀ କରନ୍ତୁ । କେବଳ ପ୍ରଚାର ଓ ଫଳକରେ ରାଜ୍ୟ ସରକାରଙ୍କ ଶାସନ ବ୍ୟବସ୍ଥା କାର୍ଯ୍ୟକାରୀ ନହେଉ ବୋଲି ଦଳ ପକ୍ଷରୁ ଦାବି କରାଯାଇଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.