ଭଦ୍ରକରୁ ବାଇକ ଚୋରି ରାକେଟ ଠାବ, 7 ଗିରଫ

author img

By

Published : Sep 14, 2022, 9:38 AM IST

ଭଦ୍ରକରୁ ବାଇକ ଚୋରି ରାକେଟ ଠାବ, 7 ଗିରଫ

ବାଇକ ଚୋରି ରାକେଟ ଠାବ । ବାଇକ ଚୋରି ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କଲା ତିହିଡି ପୋଲିସ । ବାଇକ ଚୋରି ଘଟଣାରେ ୭ ଗିରଫ । ଅଧିକ ପଢନ୍ତୁ

ଭଦ୍ରକ: ତିହିଡି ପୋଲିସକୁ ସଫଳତା । ବିଭିନ୍ନ ସମୟରେ ବାଇକ ଚୋରିକୁ ନେଇ ପୋଲିସ ପକ୍ଷରୁ ଚାଲୁ ରହିଥିବା ତନାଘନାରେ ମଙ୍ଗଳବାର ୭ଜଣ ଚୋରକୁ ଗିରଫ କରିଛି ପୋଲିସ । ଏହି ମାମଲାରେ ଏକାସାଙ୍ଗେ ୭ଜଣଙ୍କୁ ଗିରଫ କରାଯାଇ ମଙ୍ଗଳବାର କୋର୍ଟଚାଲାଣ କରାଯାଇଛି । ଏଥିସହ ଏମାନଙ୍କ ନିକଟରୁ 5ଟି ବାଇକ ସହ ନଗଦ ଟଙ୍କା ଓ ବାଇକର ପାର୍ଟସ ମଧ୍ୟ ଜବତ ହୋଇଛି ।

ସୂଚନା ମୁତାବକ, ଚଳିତ ମାସ 10 ତାରିଖ ରାତିରେ ମୁକୁନ୍ଦପୁର ପଞ୍ଚାୟତ ଅଧୀନ ଝିଙ୍କିରିଆରେ ଏକ ଦୋକାନ ଭଙ୍ଗାଯାଇ ନଗଦ ଟଙ୍କା ସମେତ ସାମଗ୍ରୀ ଚୋରି ହୋଇଥିଲା । ଏନେଇ ଦୋକାନୀ ସୁରେଶ ନାୟକ ଥାନାରେ ଅଭିଯୋଗ କରିଥିଲେ । ଏହାସହ ଉକ୍ତ ଚୋରି ସମୟର ସିସିଟିଭି ଫୁଟେଜ ମଧ୍ୟ ପୋଲିସକୁ ହସ୍ତଗତ କରିଥିଲେ ।

ଭଦ୍ରକରୁ ବାଇକ ଚୋରି ରାକେଟ ଠାବ, 7 ଗିରଫ

ଏହାପରେ ପୋଲିସ ସିସିଟିଭି ଫୁଟେଜକୁ ଆଧାର କରି ରାଢ଼ଙ୍ଗ ଗ୍ରାମର ଚୁଞ୍ଚୁଲା ଓରଫ ପରମେଶ୍ୱର ନାୟକ ସମେତ ତାଳପଦା ଗ୍ରାମର ଚନ୍ଦନ ବେହେରାଙ୍କୁ ଗିରଫ କରିଥିଲା । ସେମାନଙ୍କ ନିକଟରୁ ନଗଦ ଟଙ୍କା ସମେତ ଏକ ଚୋରା ବାଇକ (ଆପାଚି) ଜବତ କରାଯାଇଥିଲା । ପଚରାଉଚରା ସମୟରେ ବାଇକ ଚୋରିର ଏକ ରାକେଟ ସମ୍ପର୍କରେ ଜାଣିପାରିଥିଲା ପୋଲିସ ।

ପରେ ତାଳପଦା ଗ୍ରାମରେ କାଳିଆ ଓରଫ ଦୀପକ ନାୟକଙ୍କ ଘରେ ଅଚାନକ ରାତିଅଧିଆ ଚଢ଼ଉ କରାଯାଇଥିଲା । ସେଠାରେ ଯାଜପୁର ଅଞ୍ଚଳର ରାଜୁ ଓରଫ ରାଜେଶ ମଳିକ, ହିମାଂଶୁ ଶେଖର ମଳିକ ଓ ପପୁନୁ ସେଠୀକୁ ପୋଲିସ କାବୁ କରିଥିଲା । ତଦନ୍ତ ବେଳେ ସେମାନେ ସମସ୍ତେ ମିଳିମିଶି ବାଇକ ଚୋରି କରି ଅନ୍ୟତ୍ର ବିକିଥାନ୍ତି ବୋଲି ସତ ଓଗାଳିଥିଲା କାଳିଆ ।

ଏହାପରେ କାଳିଆ ଘରୁ 5ଟି ଚୋରା ବାଇକ ଜବତ ହୋଇଥିଲା । ଏଥିସହ ସେମାନଙ୍କ ନିକଟରୁ ସୂଚନା ନେଇ ଦୋଳସାହିସ୍ଥିତ କେଦାରପୁର ଗାଁର ବାଇକ ଦୋକାନୀ ସୂର୍ଯ୍ୟକାନ୍ତ ଦାସଙ୍କୁ ଗିରଫ କରାଯାଇଛି । କିଛିଦିନ ତଳେ ଏହି ଚୋରମାନେ ସୂର୍ଯ୍ୟକାନ୍ତଙ୍କୁ 2ଟି ବାଇକ ବିକିଥିଲେ । ସେଗୁଡିକ ସେ ଖୋଲି ଗୋଟି ଗୋଟି ପାର୍ଟସ ବିକୁଥିବା ପୋଲିସ ଜାଣିବାକୁ ପାଇଥିଲା ।

ପୋଲିସ ଏହି ଚଢ଼ଉ ସମୟରେ ଦୁଇଟି ବସ୍ତାରେ ଭର୍ତ୍ତି ହୋଇଥିବା ବାଇକ ପାର୍ଟସ ମଧ୍ୟ ଜବତ କରିଛି । ଏତଦ ବ୍ୟତୀତ ଗିରଫ ହୋଇଥିବା ଅଭିଯୁକ୍ତମାନେ ଭଦ୍ରକ ଜିଲ୍ଲା ସମେତ ଅନ୍ୟ ଜିଲ୍ଲାରେ ଚୋରି ଘଟଣାରେ ସମ୍ପୃକ୍ତ ଥିବା ଜଣାପଡ଼ିଛି । ଏନେଇ ପୋଲିସ ଘଟଣା ଅନୁସାରେ ଦୁଇଟି ମାମଲା ରୁଜୁ କରି ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.