ଠାକୁର ଘର ଟ୍ରଙ୍କ ଭିତରୁ ନାଗ-ନାଗୁଣୀ ଉଦ୍ଧାର, ଭୟଭୀତ ପରିବାର

author img

By

Published : Sep 23, 2022, 10:54 PM IST

ଠାକୁର ଘର ଟ୍ରଙ୍କ ଭିତରୁ ନାଗ ନାଗୁଣୀ ଉଦ୍ଧାର, ଭୟଭୀତ ପରିବାର

ଦୀର୍ଘ ୫ ବର୍ଷ ଧରି ଠାକୁର ଘରେ ଥିବା ଟ୍ରଙ୍କ ଭିତରୁ ବାହାରିଲେ ନାଗ ନାଗୁଣୀ । ଏହି ବିଷଧର ସାପକୁ ଦେଖି ଭୟଭୀତ ହୋଇପଡିଛନ୍ତି ପରିବାର । ଭଦ୍ରକ ଜିଲ୍ଲା ଭଣ୍ଡାରପୋଖରୀ ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି ଏହି ଘଟଣା । ଅଧିକ ପଢନ୍ତୁ

ଭଦ୍ରକ: ଟ୍ରଙ୍କ ଭିତରୁ ବାହାରିଲେ ନାଗ-ନାଗୁଣୀ । ଦୀର୍ଘ ୫ ବର୍ଷ ଧରି ଠାକୁର ଘରେ ଥିବା ଟ୍ରଙ୍କରୁ ଏହି ବିରଳ ପ୍ରଜାତିର ସାପକୁ ଉଦ୍ଧାର କରିଛନ୍ତି ସାପ ଧରାଳୀ । ଜିଲ୍ଲାର ଭଣ୍ଡାରୀପୋଖରୀ ବ୍ଲକ ଅନ୍ତର୍ଗତ ସରପଦା ଗ୍ରାମବାସୀ ରତ୍ନାକର ଜେନାଙ୍କ ଘରୁ ଏହି ସର୍ପ ଯୁଗଳକୁ ଉଦ୍ଧାର କରାଯାଇଛି ।

ଗ୍ରାମର ଶେଷ ମୁଣ୍ଡରେ ଏକ ଧାନ ବିଲକୁ ଲାଗି ରତ୍ନାକର ଜେନାଙ୍କ ନୂଆଣିଆ ଚାଳ ଛପର ଘର। ଆଉ ସେହି ଘର ଭିତରେ ରହିଛି ଏକ ଠାକୁର ଘର। ଆଉ ତାରି ପାଖରେ ରହିଥିଲା ଚାବି ନ ଥିବା ପୁରୁଣା ଲୁଗାପଟା ଭର୍ତ୍ତି ଏକ ଟିଣ ବାକ୍ସ । ଆଉ ସେହି ଟିଣ ବାକ୍ସ ଆଜକୁ ୫ବର୍ଷ ହେଲା ନାଗ ନାଗୁଣୀଙ୍କ ବାସଗୃହ ପାଲଟିଥିଲା । ଠାକୁର ଘରୁ ବାହାରକୁ ଯିବା ଆସିବା କରିବା ପାଇଁ ଏକ ସୁଡ଼ଙ୍ଗ ଗାତ ରହିଥିଲା । ଆଉ ସେଇ ବାଟ ଦେଇ ନିୟମିତ ଯିବା ଆସିବ କରୁଥିଲେ ଏହି ନାଗ ନାଗୁଣୀ ।

ଠାକୁର ଘର ଟ୍ରଙ୍କ ଭିତରୁ ନାଗ ନାଗୁଣୀ ଉଦ୍ଧାର, ଭୟଭୀତ ପରିବାର

ହେଲେ ଏକଥା ରତ୍ନାକରଙ୍କ ପରିବାର ଲୋକେ ଜାଣିପାରି ନ ଥିଲେ । ଦୀର୍ଘ ୫ ବର୍ଷ ହେବ ପ୍ରାୟ ସମୟରେ ବାଡ଼ି ବଗିଚାରେ ଆଉ ଚାଳ ଛପର ଉପରେ ଗୋଟିଏ ସାପ ଦେଖନ୍ତି ହେଲେ ସାଧାରଣ ସାପ ଭାବି ଗୁରୁତ୍ଵ ଦିଅନ୍ତି ନାହିଁ। ତେବେ ରତ୍ନାକରଙ୍କ ପୁଅ ବାଡ଼ି ପଟକୁ ଯାଇଥିବା ବେଳେ ଏକ ବଡ଼ ନାଗସାପ ଦେଖି ଓ ତାର ଗର୍ଜନ ଶୁଣି ଭୟରେ ଚିତ୍କାର କରିଥିଲା । ଆଉ ପରିବାର ଲୋକଙ୍କୁ ଏ ସମ୍ପର୍କରେ ଜଣାଇଥିଲା ।

ଏହା ବି ପଢନ୍ତୁ- ଦୁଇ ଯୁବକଙ୍କୁ ଅପହରଣ କରି 5 ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ, ଉଦ୍ଧାରକଲା ପୋଲିସ

ଗ୍ରାମବାସୀଙ୍କ ସହଯୋଗରେ ସ୍ନେକ ହେଲ୍ପଲାଇନକୁ ଯୋଗାଯୋଗ କରିଥିଲେ ରତ୍ନାକର । ସ୍ନେକ ହେଲ୍ପଲାଇନର ଅଧିକାରୀ ବିଭିନ୍ନ ସ୍ଥାନ ଖୋଜିବା ପରେ ଶେଷରେ ଘର ବାହାରୁ ଠାକୁର ଘରକୁ ଏକ ଗାତ ଦେଖି ଠାକୁର ଘରେ ଖୋଜିବା ବେଳେ ୫ ବର୍ଷ ହେବ ଖୋଲା ହୋଇ ନ ଥିବା ଭଙ୍ଗା ଟିଣ ବାକ୍ସ ଭିତରୁ ୫ ଫୁଟ ଓ ସାଢେ ୪ ଫୁଟର ଯୁଗଳ ନାଗ ନାଗୁଣୀ ଥିବା ଦେଖି ଉଦ୍ଧାର କରିଥିଲେ । ହେଲେ ସବୁଠୁ ଆଶ୍ଚର୍ଯ୍ୟକର କଥା ଧରା ପଡ଼ିବା ପରେ ଅଲଗା ହୋଇଯିବା ଭୟରେ ନାଗ ନାଗୁଣୀ ଦୁହେଁ ଦୁହିଁଙ୍କ ଶରୀରରେ ଛନ୍ଦି ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା ।

ବାକ୍ସ ଭିତରେ ସାପକୁ ଦେଖି ସ୍ଥାନୀୟ ଲୋକେ ଶଙ୍ଖ ହୁଳହୁଳି ଓ ହରିବୋଲ ପକାଇଲେ। ପୁରୁଣା ଘର ଛାଡ଼ି ଯିବାକୁ ଇଚ୍ଛା କରୁ ନ ଥିବା ନାଗ ନାଗୁଣୀଙ୍କୁ ଭୟରେ ଆଉ ଭକ୍ତିରେ ପୂଜା କରି ବିଦାୟ ଦେଲେ ରତ୍ନାକରଙ୍କ ପରିବାର ଆଉ ସ୍ଥାନୀୟ ବାସିନ୍ଦା । ଶେଷରେ ସ୍ନେକ ହେଲ୍ପ ଲାଇନ ଅଧିକାରୀ ଏଭଳି ବିରଳ ହଳଦିଆ ରଙ୍ଗର ନାଗ ନାଗୁଣୀଙ୍କୁ ଉଦ୍ଧାର କରି ଔପଦା ଜଙ୍ଗଲରେ ଛାଡିଥିବା ସୂଚନା ମିଳିଛି। ତେବେ ପୁରୁଣା ଘର ଛାଡ଼ି ଏବେ ନୂତନ ଦୁନିଆରେ ବିଚରଣ କରିବେ ନାଗ ନାଗୁଣୀ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.