କମଲଙ୍କ କମାଲ, ତିଆରି କଲେ ମିନି ରେଫ୍ରିଜେରେଟର

author img

By

Published : Sep 22, 2021, 4:42 PM IST

କମଲଙ୍କ କମାଲ, ତିଆରି କଲେ ମିନି ରେଫ୍ରିଜିରେଟର

ଭଦ୍ରକର ବିଟେକ ଛାତ୍ର କମଲ କିଶୋର ମାଝୀଙ୍କ କମାଲ । କମ୍ ବ୍ୟୟରେ ତିଆରି କଲେ ଦେଶର ସବୁଠୁ ଛୋଟ ରେଫ୍ରିଜେରେଟର । ଯାହା ଦୁର୍ଗମ ଅଞ୍ଚଳରେ ଟିକା ସଂରକ୍ଷଣରେ ସୃଷ୍ଟି ହେଉଥିବା ସମସ୍ୟା ସମାଧାନ ଦିଗରେ ସହାୟକ ହେବ । ଅଧିକ ପଢନ୍ତୁ...

ଭଦ୍ରକ: କୋରୋନା କାଳରେ ବଦଳି ଯାଇଛି ଜୀବନ ପରିଭାଷା । ଭାଇରସର ଭୟାବହତା ଭିତରେ ରୁନ୍ଧି ହୋଇଗଲାଣି ମଣିଷ ସମାଜ । ବର୍ତ୍ତମାନ ମହାମାରୀକୁ ମାତ୍ ଦେବାକୁ ବଳିଷ୍ଠ ମାଧ୍ୟମ ସାଜିଛି ଟିକା । ସରକାର ଲୋକଙ୍କୁ ଟିକା ନେବା ପାଇଁ ସଚେତନ କରୁଛନ୍ତି । ଦିନକୁ ଦିନ ଟୀକାକରଣ ସଂଖ୍ୟା ମଧ୍ୟ ବଢୁଛି । ହେଲେ ଏ ସବୁ ଭିତରେ କେଉଁଠି ନା କେଉଁଠି ସମସ୍ୟା ସୃଷ୍ଟି କରୁଛି ଟିକା ସଂରକ୍ଷଣ । ଦୁର୍ଗମ ଅଞ୍ଚଳରେ ଟିକା ପାଇଁ ଅନୁପଯୁକ୍ତ ତାପମାତ୍ରା ଟୀକାକରଣରେ ପ୍ରତିବନ୍ଧକ ସାଜିଛି । ଯାହାର ସମାଧାନ ପାଇଁ ଦେଶର ସ୍ମଲେଷ୍ଟ ଫଙ୍କସନାଲ ରେଫ୍ରିଜେରେଟର ବା ସବୁଠୁ ଛୋଟ ରେଫ୍ରିଜେରେଟର ତିଆରି କରିଛନ୍ତି ଭଦ୍ରକର ଜଣେ ବିଟେକ୍ ଛାତ୍ର ।

କମଲଙ୍କ କମାଲ, ତିଆରି କଲେ ମିନି ରେଫ୍ରିଜେରେଟର

ଭଦ୍ରକ ସହର ଅନ୍ତର୍ଗତ ଜଗନ୍ନାଥପୁର ଅଞ୍ଚଳର କମଲ କିଶୋର ମାଝୀ କମ୍ ଟଙ୍କା ବ୍ୟୟରେ ଏହି ମିନି ରେଫ୍ରିଜେରେଟର ତିଆରି କରିଛନ୍ତି । ଏହି ରେଫ୍ରିଜେରେଟରଟିର ଆକାର ଖୁବ୍ ଛୋଟ । ତେଣୁ ଏହାର ବ୍ୟବହାର, ପରିବହନ ଓ ରକ୍ଷଣାବେକ୍ଷଣ ପାଇଁ ସହଜ । କମ୍ ଟଙ୍କା ବ୍ୟୟରେ ଛାତ୍ର ଜଣକ ତିଆରି କରିଥିବା ଏହି ସର୍ବକ୍ଷୁଦ୍ର ଶୀତଳୀକରଣ ପ୍ରକ୍ରିୟାକରଣ ବିଶେଷ ରୂପେ ଦୁର୍ଗମ ଅଞ୍ଚଳରେ ଟିକାର ସୁରକ୍ଷିତ ସଂରକ୍ଷଣରେ ସହାୟକ ହୋଇପାରିବ ।

କୃଷ୍ଣଚନ୍ଦ୍ର ମାଝୀ ଓ କୁନ୍ତଳା ମାଝୀଙ୍କ ବଡ ପୁଅ କମଲ କିଶୋର । ବିଟେକ ଦ୍ବିତୀୟ ବର୍ଷରେ ପାଠ ପଢନ୍ତି । କୋରୋନା କାଳରେ ଟିକା ସଂରକ୍ଷଣ ପ୍ରମୁଖ ସମସ୍ୟା ସାଜିଥିବାବେଳେ ଏହାକୁ ଦୃଷ୍ଟିରେ ରଖି କମଲ ଆରମ୍ଭ କରିଥିଲେ ସମାଧାନର ସୂତ୍ର । ଯାହାକି ଏବେ ସଫଳ ହୋଇଛି । କମ୍ ଟଙ୍କାରେ ମିନି ରେଫ୍ରିଜେରେଟର ତିଆରି କରି ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ସେ । ଅପହଞ୍ଚ ତଥା ବିଦ୍ୟୁତ ସେବା ବିଚ୍ଛିନ୍ନ ଅଞ୍ଚଳରେ ବ୍ୟାଟେରୀ ମାଧ୍ୟମରେ ରେଫ୍ରିଜିରିଟେରଟିକୁ ଚାର୍ଜ କରି ହେବ । ଯାହା କୋଭିଡ ଟିକାକୁ ଠିକ୍ ତାପମାତ୍ରା ସହ ଦୁର୍ଗମ ଅଞ୍ଚଳରେ ସଂରକ୍ଷଣ କରିବା ପାଇଁ ଉତ୍କୃଷ୍ଟ ମାଧ୍ୟମ ହୋଇପାରିବ । ଏହି ଛୋଟ ଫଙ୍କସନାଲର ରେଫ୍ରିଜିରେଟର ତିଆରି ପାଇଁ କମଲ ଆଲୁମିନିୟମ ସିଟ୍, ଥର୍ମକୋଲ, ହିଟ୍ ସିଙ୍କ, 12 ଭୋଲ୍ଟ ଏମ୍ପଲିଫାୟାର, ଥର୍ମ ଇଲେକ୍ଟ୍ରିକାଲ୍ ମଡ୍ୟୁଲ୍, ବ୍ରସଲେସ କୁଲିଙ୍ଗ ଫ୍ୟାନ, ସେଫ୍ଟି ଗ୍ରୀଲ, ସକେଟ, ଡବଲ ସାଇଡ ଟେପ୍, ଏଲିଡି ଆଦି ଉପକରଣ ବ୍ୟବହାର କରିଛନ୍ତି । ତେବେ ଏହି ରେଫ୍ରିଜେରେଟରଟି ମାତ୍ର ୧୦୦୦ ରୁ ୧୫୦୦ ଟଙ୍କାରେ ଉପଲବ୍ଧ ହୋଇପାରିବ ବୋଲି କହିଛନ୍ତି ଛାତ୍ର।

ପୁଅର ଏହି ଉଦ୍ଭବାନକୁ ନେଇ ପିତାମାତା ଖୁବ୍ ଖୁସି ଥିବାବେଳେ ନବମ ଶ୍ରେଣୀରେ ବଢୁଥିବା ତାଙ୍କ ସାନ ଭାଇ ମଧ୍ୟ ନିଜର ଖୁସି ଜାହିର କରିଛନ୍ତି । ମେସିନ ମାଧ୍ୟମରେ ତ୍ଵରିତ ଏବଂ ନିରାପଦ ଭାବେ କୋଭିଡ ଟୀକାକରଣ ସହ ଏହାକୁ ବିଭିନ୍ନ ଆବଶ୍ୟକ କାର୍ଯ୍ୟ କ୍ଷେତ୍ରରେ ବ୍ୟବହାର କରି ହେବ । କେବଳ ସରକାର ଏଥିପ୍ରତି ଗୁରୁତ୍ବ ଦେଲେ ତାହା ସର୍ବଆଦୃତ ହେଇପାରିବ ବୋଲି କମଲଙ୍କ ମାଆ କହିଛନ୍ତି ।

ଲକଡାଉନ କମଲଙ୍କ ଭଳି ପ୍ରତିଭାଙ୍କ ପାଇଁ ସୃଷ୍ଟି କରିଛି ସୁଯୋଗ ସମ୍ଭାର । କମଲ ପୂର୍ବରୁ ମିନି ଭାକ୍ୟୁମ କ୍ଲିନର, ଫୁଟ ସାନିଟାଇଜର, ମନି ସାନିଟାଇଜର ଆଦି ତିଆରି କରି ଚର୍ଚ୍ଚାରେ ଥିବାବେଳେ ଏବେ ମିନି ରେଫ୍ରିଜିରେଟର ତାଙ୍କୁ ପୁଣିଥରେ ଚର୍ଚ୍ଚାକୁ ଆଣିଛି । ଭବିଷ୍ୟତରେ ଇସ୍ରୋରେ କାର୍ଯ୍ୟ କରିବା ନେଇ ଛାତ୍ର ଜଣକ ଲକ୍ଷ୍ୟ ରଖିଥିବାବେଳେ ସରକାରୀ ସ୍ତରରେ କମଲ କିଶୋରଙ୍କୁ ପ୍ରୋତ୍ସାହନ ମିଳିପାରିଲେ ସେ ଯେ ଆହୁରି ଅନେକ ମଙ୍ଗଳକାରୀ ସାମଗ୍ରୀ ବିକଶିତ କରିପାରିବେ ତାହା ନିସନ୍ଦେହ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.