ବରଗଡ଼ରେ ବୀଭତ୍ସ କାଣ୍ଡ, ଗୋଟିଏ ପରିବାରର 4 ଜଣଙ୍କୁ ହତ୍ୟା

author img

By

Published : May 23, 2023, 10:56 AM IST

Updated : May 23, 2023, 10:00 PM IST

man kills nephew family four members

ବରଗଡ଼ରେ ଚାଞ୍ଚଲ୍ୟ । ଗୋଟିଏ ପରିବାରର 4ଜଣଙ୍କୁ ନିର୍ମମ ହତ୍ୟା । ପୁତୁରା ପରିବାରକୁ ଶେଷକରି ଦେଲା କକା । ଅଧିକ ପଢନ୍ତୁ

ବରଗଡ଼ରେ ବୀଭତ୍ସ ହତ୍ୟାକାଣ୍ଡ

ବରଗଡ଼: ଜମିବାଡି ବିବାଦକୁ ନେଇ ଗଡିଲା ମୁଣ୍ଡ । ଗୋଟିଏ ପରିବାର 4ଜଣଙ୍କୁ ବୀଭତ୍ସ ହତ୍ୟା । ଲୁହା ଛଡରେ ପିଟିପିଟି ପୁତୁରା ପରିବାରକୁ ଶେଷ କରି ଦେଲା କକା । ଏଭଳି ଛାତିଥରା ଘଟଣା ଘଟିଛି ଭଟଲି ଥାନା ଅନ୍ତର୍ଗତ ଝିକଝିକି ଗ୍ରାମରେ । ଏହି ଘଟଣାରେ କକା ଶିବ ବାଗକୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ଚାରି ମୃତକ ହେଉଛନ୍ତି ପୁତୁରା ଗୁରୁଦେବ ବାଗଙ୍କ ପତ୍ନୀ ଶିବାଗ୍ରୀ ବାଗ, 15 ବର୍ଷର ପୁଅ ଚୁଡାମନି ବାଗ ଏବଂ 10 ବର୍ଷର ଝିଅ ଶ୍ରାବଣୀ ବାଗ ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ଭଟଲି ଥାନା ଅନ୍ତର୍ଗତ ଝିକଝିକି ଗ୍ରାମର ଏକ ଘରୁ 4 ଜଣଙ୍କ ମୃତଦେହ ପଡ଼ିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଏହାପରେ ଘଟଣା ସମ୍ପର୍କରେ ଭଟଲି ପୋଲିସକୁ ଖବର ଦେଇଥିଲେ ଗ୍ରାମବାସୀ । ସୂଚନା ପାଇ ଭଟଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି 4 ଜଣଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲା । ଏହାପରେ ଘଟଣାର ତଦନ୍ତ କରିଥିଲା ପୋଲିସ । ଜମିବାଡ଼ି ବିବାଦକୁ ନେଇ କକା ଶିବ ବାଗ ସହିତ ପୁତୁରା ଗୁରୁଦେବ ଗଣ୍ଡଗୋଳ ଲାଗି ରହିଥିବା ପୋଲିସ ଜାଣିବାକୁ ପାଇଥିଲା । ଏହି ଘଟଣାରେ କକା ଶିବ ବାଗକୁ ପୋଲିସ ଅଟକ ରଖିଥିଲା । କିଛି ସମୟ ପରେ ଅଭିଯୁକ୍ତ କକା ଶିବ ବାଗ ନିଜେ ହତ୍ୟା କରିଥିବା ସ୍ବୀକାର କରିଥିଲା । ପୋଲିସ ଏହି ଘଟଣାରେ ତଦନ୍ତ ଜାରି ରଖିଛି ।

କଣ ଥିଲା ପୁରା ଘଟଣା: ତେବେ ଦୁଇ ଦିନ ତଳେ କକା ଶିବ ବାଗ ଏବଂ ପୁତୁରା ଗୁରୁଦେବ ବାଗଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ବେଳେ ସମାଧାନ ପାଇଁ ଗ୍ରାମରେ ବୈଠକ ହୋଇଥିଲା । ସେଠାରେ କୌଣସି ସମାଧାନ ନହେବାରୁ ଉଭୟଙ୍କୁ ଥାନାରେ ସମାଧାନ କରିବାକୁ ଗ୍ରାମବାସୀ କହିଥିଲେ । ମାତ୍ର ଆର ଦିନ ଅର୍ଥାତ ଗତକାଲି 22 ତାରିଖ ସକାଳ 11 ଟା ସମୟରେ ଉଭୟ କାକା ଓ ପୁତୁରାଙ୍କ ମଧ୍ୟରେ ଘରେ ପୁଣି ଗଣ୍ଡଗୋଳ ହୋଇଥିଲା । କାକା ଶିବ ବାଗ କ୍ରୋଧିତ ହୋଇ ପୁତୁରା ଗୁରୁଦେବ ବାଗ ଓ ତାଙ୍କ ସ୍ତ୍ରୀ ଶିବାଗ୍ରୀ ବାଗଙ୍କ ସହିତ 15 ବର୍ଷର ପୁଅ ଚୁଡାମନି ବାଗ ଏବଂ 10 ବର୍ଷର ଝିଅ ଶ୍ରାବଣୀ ବାଗଙ୍କୁ ଏକ ଶାବଳ ସାହାଯ୍ୟରେ ଅତି ନୃଶଂସ ଭାବେ ମୁଣ୍ଡରେ ଆକ୍ରମଣ କରି ସମସ୍ତଙ୍କୁ ହତ୍ୟା କରିଥିଲା । ପୁରା ଘର ରକ୍ତରଞ୍ଜିତ ହୋଇପଡିଥିବା ବେଳେ ଶିବ ବାଗ ଗୋଟିଗୋଟି ମୃତଦେହକୁ ଆଣି ଏକ କୋଠରୀ ଭିତରେ ଭର୍ତ୍ତି କରି ବାହାର ପଟୁ କବାଟ ବନ୍ଦ କରିଦେଇଥିଲା । ଆଶ୍ଚର୍ଯ୍ୟର ବିଷୟ ଯେ, ଗତକାଲି ଠାରୁ ଏହି ବିଭତ୍ସ ହତ୍ୟାକାଣ୍ଡ ଘଟିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଗ୍ରାମବାସୀ କୌଣସି ସୁରାଗ ପାଇପାରିନଥିଲେ । ଏପରିକି ହତ୍ୟାକାରୀ ଚାରି ମୃତଦେହ ସହ ଗୋଟିଏ ରାତି କଟାଇଥିଲା । ସକାଳେ ଶିବ ବାଗ ନିଜେ ଗ୍ରାମବାସୀଙ୍କୁ ପୁତୁରାର ପୁରା ପରିବାରକୁ ହତ୍ୟା କରିଦେଇଥିବା ଘଟଣା ଜଣାଇଥିଲା ଏବଂ ପରେ ଘଟଣାଟି ସାମନାକୁ ଆସିଥିଲା ।


ଏନେଇ ଏସଡିପିଓ କହିଛନ୍ତି, " ସମସ୍ତ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି । ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ଓ ଡଗ ସ୍କ୍ବାର୍ଡ ପହଞ୍ଚି ତଦନ୍ତ ଚଳାଇଛି । ଏହି ହତ୍ୟା ଘଟଣାରେ ଅଭିଯୁକ୍ତ ଶିବ ବାଗ ସହିତ ଅନ୍ୟ ମାନଙ୍କ ସମ୍ପୃକ୍ତ ଥିବା ନେଇ ସନ୍ଦେହ କରାଯାଉଛି । ତେଣୁ ଏହି ଦିଗରେ ମଧ୍ୟ ଭଟଲି ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।"

ଇଟିଭି ଭାରତ, ବରଗଡ଼

Last Updated :May 23, 2023, 10:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.