Bargarh Dhanu Yatra: ମଥୁରାରେ ବଢୁଛି ମହାରାଜା କଂସଙ୍କ ଅତ୍ୟାଚାର, ଅତିଷ୍ଠ ମୁନିଋଷି

author img

By

Published : Jan 5, 2023, 4:52 PM IST

Bargarh Dhanu Yatra

ବିଶ୍ରପ୍ରସିଦ୍ଧ ଧନୁଯାତ୍ରା (Bargarh Dhanu Yatra)ର ନବମ ଦିନରେ ମଥୁରା ନଗରୀରେ ବଢିଛି ମହାରାଜା କଂସ (Maharaja Kansa)ଙ୍କ ରାଜୁତି । ମଥୁରା ନରେଶ ମୁନିଋଷିଙ୍କ ଉପରେ ଆରମ୍ଭ କରିଦେଇଛନ୍ତି ଅତ୍ୟାଚାର । ନଗର ଭ୍ରମଣ କରି ସେମାନଙ୍କୁ ବନ୍ଦୀ କରିବା ସହ ଦଣ୍ଡିତ କରିଛନ୍ତି । ଅଧିକ ପଢନ୍ତୁ

ମଥୁରାରେ ବଢୁଛି ମହାରାଜା କଂସଙ୍କ ଅତ୍ୟାଚାର, ଅତିଷ୍ଠ ମୁନିଋଷି

ବରଗଡ଼: ଆଜି ବରଗଡ଼ର ପ୍ରସିଦ୍ଧ ଧନୁଯାତ୍ରା(Bargarh Dhanu Yatra)ର ନବମ ଦିନରେ ମଥୁରା ନଗରୀରେ ବଛୁଛି ମହାରାଜା କଂସ (Maharaja Kansa)ଙ୍କ ଅତ୍ୟାଚାର । ଏଥିରେ ଅତିଷ୍ଠ ହୋଇପଡ଼ିଛନ୍ତି ମୁନିଋଷି ଗଣ । କଂସ ମହାରାଜା ଆଜି ନଗର ଭ୍ରମଣ କରି ଆମ୍ରବନରେ ମୁନିଋଷିମାନଙ୍କୁ ଆକ୍ରମଣ କରି ବନ୍ଦୀ କରିଛନ୍ତି । ମହାରାଜାଙ୍କ ମୃତ୍ୟୁର କାରଣ ସାଜିଥିବା କୃଷ୍ଣଙ୍କୁ ପୂଜା କରୁଥିବାରୁ ମହାରାଜା ମୁନିଋଷିଙ୍କୁ ରାଜ୍ୟଦ୍ରୋହୀ ସଜାଇ ଦଣ୍ଡିତ କରିବା ଲାଗି ଆଦେଶ ଦେଇଛନ୍ତି (Maharaja Kansa punishes saints) ।

ମଥୁରାରେ ମହାରାଜା କଂସ ନଗର ଭ୍ରମଣରେ ବାହାରିଥିବା ବେଳେ ମଥୁରାର ଆମ୍ରବନରେ ଶ୍ରୀକୃଷ୍ଣଙ୍କ ଆରାଧନାରତ ଋଷିମୁନିଙ୍କ ଉପରେ ଅତ୍ୟାଚାର ଚଲାଇଛନ୍ତି । ଯିଏ କଂସର ହେବ ମୃତ୍ୟୁର କାରଣ ତାକୁ ମଥୁରାର ଋଷିମୁନି ଗଣ ପୂଜା କରୁଛନ୍ତି ତେଣୁ ରାଜ୍ୟଦ୍ରୋହି ଭାବରେ ସମସ୍ତ ଋଷିମୁନିମାନଙ୍କୁ ଦଣ୍ଡିତ କରାଯିବ ବୋଲି ମହାରାଜା କଂସ ଆଦେଶ ଦେଇଛନ୍ତି । ଏହାପରେ ମୁନିଋଷିମାନଙ୍କୁ ବନ୍ଦୀ କରି ରାଜଦରବାରକୁ ଅଣାଯାଇଥିବା ବେଳେ ସେମାନଙ୍କୁ ଦଣ୍ଡିତ କରିଛନ୍ତି ମହାରାଜା କଂସ । ଏହି ସମୟରେ ମନ୍ତ୍ରୀ ଅକ୍ରୁର ରାଜଦରବାରକୁ ପ୍ରବେଶ କରି କୃଷ୍ଣବଳରାମଙ୍କ ମଥୁରା ଆଗମନର ସୂଚନା ଦେଇଛନ୍ତି ।

ଏହା ବି ପଢନ୍ତୁ- Dhanu Yatra: ମଥୁରାରେ ରଙ୍ଗସଭା, ଗୋପପୁରରେ ଗୋପୀଙ୍କ ବସ୍ତ୍ରହରଣ

ଏଥିରେ ଆନନ୍ଦିତ ହୋଇ ମହାରାଜା କଂସ ନୃତ୍ୟଗୀତରେ ବିଭୋର ହୋଇଯାଇଛନ୍ତି । କୃଷ୍ଣ ବଳରାମଙ୍କୁ କିପରି ମାରିବେ ପାତ୍ରମନ୍ତ୍ରୀଙ୍କ ସହ ବିଚାର ବିମର୍ଷ କରିଛନ୍ତି । ତେବେ ବିଶ୍ବପ୍ରସିଦ୍ଧ ଧନୁଯାତ୍ରାର ଦଶମଦିନରେ କୃଷ୍ଣବଳରାମଙ୍କୁ ମଥୁରାରେ ସ୍ବାଗତ ସମ୍ବର୍ଦ୍ଧନା ସୁଦାମା ମାଳି, ରଜକଙ୍କ ସହ ସାକ୍ଷାତ, କୁବୁଜା ଉଦ୍ଧାର, ସେପଟେ ରାଜମହଲରେ ମହାରାଜାଙ୍କ ନ୍ୟାୟ ବିଚାର ଏବଂ ଗୋପପୁରରେ କୃଷ୍ଣଙ୍କ ବିରହରେ ଗୋପୀମାନଙ୍କ ବିଳାପ ଦୃଶ୍ୟ ଅଭିନୀତ ହେବ ।

ସୂଚନା ଥାଉ କି ଗତ ଡିସେମ୍ବର ୨୮ ତାରିଖରେ ବରଗଡ଼ ଜିଲ୍ଲାରେ ଆରମ୍ଭ ହୋଇଥିଲା ଏହି ବିଶ୍ବପ୍ରସିଦ୍ଧ ଧନୁଯାତ୍ରା । ଆଜି ନବମ ଦିନରେ ଏହା ଜାରି ରହିଥିବା ବେଳେ ଜିଲ୍ଲାର ଚାଲିଛି ମହାରାଜା କଂସଙ୍କ ରାଜୁତି । ମଥୁରା ନରେଶ କଂସଙ୍କ ଆଦେଶରେ ଶାସନ ଚାଲିଛି । ନାଟକ ପାଇଁ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପାଲଟିଛି ଦ୍ବାପର ଯୁଗର ଭୂଇଁ । ବରଗଡ଼ ମଥୁରା ନଗରୀ ପାଲଟିଥିବା ବେଳେ ଆମ୍ବପାଲି ପାଲଟିଛି ଗୋପପୁର । ସେପଟେ ବରଗଡ଼ ଓ ଅମ୍ବାପାଲି ଦେଇ ବହି ଯାଉଥିବା ଜୀରାନଦୀ ପାଲଟିଛି ଯମୁନା ନଦୀ । ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ଲାଗି ସାରା ଜିଲ୍ଲା ଉତ୍ସବମୁଖର ହୋଇପଡ଼ିଛି । ଏହି ଯାତ୍ରା ଦେଖିବା ଲାଗି ରାଜ୍ୟ ତଥା ପଡୋଶୀ ରାଜ୍ୟରୁ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି । ଚଳିତ ବର୍ଷ ଧନୁଯାତ୍ରାକୁ ୭୫ବର୍ଷ ପୁରୁଥିବା ବେଳେ ଉତ୍ସବକୁ ଧୁମଧାମରେ ପାଳନ କରାଯାଉଛି ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.