ଗୋପପୁର ଛାଡି ମଥୁରା ଚାଲିଗଲେ ବେନି ଭାଇ, କଳାକାହ୍ନୁକୁ ଝୁରୁଛି ଗୋପପୁର

author img

By

Published : Jan 6, 2023, 7:44 AM IST

Updated : Jan 6, 2023, 7:55 AM IST

dhanu yatra

କୃଷ୍ଣବଳରାମ ବେନି ଭାଇଙ୍କୁ ସାଙ୍ଗରେ ଘେନି ମନ୍ତ୍ରୀ ଅକ୍ରୁର ମଥୁରା ଅଭିମୁଖେ ଯାତ୍ରା କରିଛନ୍ତି । ଅଧିକ ପଢନ୍ତୁ

dhanu yatra

ବରଗଡ:ଚାଲିଛି ବରଗଡର ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ( baragarh dhanu yatra) । ଏହି ଧନୁଯାତ୍ରାରେ ଗତକାଲି କୃଷ୍ଣବଳରାମ ବେନି ଭାଇଙ୍କୁ ସାଙ୍ଗରେ ଘେନି ମନ୍ତ୍ରୀ ଅକ୍ରୁର ମଥୁରା ଅଭିମୁଖେ ଯାତ୍ରା କରିଛନ୍ତି । ଗୋପପୁରରେ ଶୋକାକୂଳ ପରିବେଶ ଶ୍ରୀକୃଷ୍ଣ ବଳରାମଙ୍କୁ ଛାଡ଼ିବା ପାଇଁ ନନ୍ଦରାଜା, ଯଶୋଦା, ଗୋପୀ ଓ ରାଧା ବାଟ ଓଗାଳି ବା ସହ ଅଶ୍ରୁଳ ବିଦାୟ ଦେଇଛନ୍ତି । କୃଷ୍ଣବଳରାମଙ୍କୁ ହତ୍ୟା କରିବା ପାଇଁ ମହାରାଜା କଂସଙ୍କ ଆୟୋଜିତ ଛଳନାର ଯାତ୍ରା ଧନୁଯାତ୍ରା, ଦେଖିବା ପାଇଁ ନିମନ୍ତ୍ରଣ ଧରି ପହଞ୍ଚିଥିବା ମନ୍ତ୍ରୀ ଅକ୍ରୁରଙ୍କ ସହ ବାହାରି ପଡ଼ିଛନ୍ତି କୃଷ୍ଣ ବଳରାମ ବେନି ଭାଇ । ହେଲେ ନନ୍ଦ, ଯଶୋଦାକୁ ବୁଝାଇବ କିଏ ? ପୁତ୍ର ପ୍ରେମରେ ଅନ୍ଧ ହୋଇପଡ଼ିଛନ୍ତି ମାତା ଯଶୋଦା, କୃଷ୍ଣବଳରାମ ଧନୁଯାତ୍ରା ଦେଖି ଫେରି ଆସିବାକୁ କଥା ଦେଇଛନ୍ତି ।

ଏପଟେ ବାଟରେ ରାଧା ସମେତ ଗୋପାଙ୍ଗନା ମାନେ କୃଷ୍ଣଙ୍କ ବାଟ ଓଗାଳିଛନ୍ତି । ଯାହା ହେଉ ପଛେ କୃଷ୍ଣଙ୍କୁ ମଥୁରା ଯିବାକୁ ଦେବୁ ନାହିଁ ଏହି ଭାବନାରେ ରାଧା ମୁର୍ଚ୍ଛିତ ହୋଇ ପଡ଼ିଛନ୍ତି । ଗୋପାଙ୍ଗନାଙ୍କ କ୍ରନ୍ଦନ ରୋଳରେ ଗୋପଦାଣ୍ଡ ଫାଟି ଉଠୁଛି। ଧନୁଯାତ୍ରା ଦେଖି 4ଦିନରେ ଫେରିଆସିବାକୁ କଥା ଦେଉଛନ୍ତି କୃଷ୍ଣ । ଏହାପରେ ଗୋପୀ ଗୋପାଙ୍ଗନା ମାନେ ଅଶ୍ରୁଳ ବିଦାୟ ଦେଉଛନ୍ତି ଶ୍ରୀକୃଷ୍ଣଙ୍କୁ । କୃଷ୍ଣବଳରାମଙ୍କ ବିଦାୟ ପରେ ସାରା ଗୋପପୁର ଲାଗୁଛି ଖାଁ ଖାଁ । ସମସ୍ତ ଗୋପି ଗୋପାଙ୍ଗନା ମାନଙ୍କ ଆଖିରୁ ଅଜସ୍ର ଲୁହ ଝରି ପଡ଼ୁଥିବା ବେଳେ ଏହାକୁ ସ୍ବଚକ୍ଷୁରେ ଦେଖି ଭାବବିହ୍ବଳ ହୋଇପଡ଼ିଛନ୍ତି ଦର୍ଶକ ।

ସୂଚନା ଥାଉକି, ଗତ ଡିସେମ୍ବର ୨୮ ତାରିଖରେ ବରଗଡ଼ ଜିଲ୍ଲାରେ ଏହି ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ଆରମ୍ଭ ହୋଇଥିଲା । ଏହି ଧନୁଯାତ୍ରା ଜାରି ରହିଥିବା ବେଳେ ଜିଲ୍ଲାର ଚାଲିଛି ମହାରାଜା କଂସଙ୍କ ରାଜୁତି । ନାଟକ ପାଇଁ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପାଲଟିଛି ଦ୍ବାପର ଯୁଗର ଭୂଇଁ । ବରଗଡ଼ ମଥୁରା ନଗରୀ ପାଲଟିଥିବା ବେଳେ ଆମ୍ବପାଲି ପାଲଟିଛି ଗୋପପୁର । ସେପଟେ ବରଗଡ଼ ଓ ଅମ୍ବାପାଲି ଦେଇ ବହି ଯାଉଥିବା ଜୀରାନଦୀ ପାଲଟିଛି ଯମୁନା ନଦୀ । ଏହି ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ଲାଗି ସାରା ଜିଲ୍ଲା ଉତ୍ସବମୁଖର ହୋଇ ପଡ଼ିଛି । ଏହି ଯାତ୍ରା ଦେଖିବା ଲାଗି ରାଜ୍ୟ ତଥା ପଡୋଶୀ ରାଜ୍ୟରୁ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି । ଚଳିତ ବର୍ଷ ଧନୁଯାତ୍ରାକୁ ୭୫ବର୍ଷ ପୁରୁଥିବା ବେଳେ ଉତ୍ସବକୁ ଧୁମଧାମରେ ପାଳନ କରାଯାଉଛି ।

ଇଟିଭି ଭାରତ, ବରଗଡ

Last Updated :Jan 6, 2023, 7:55 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.