ଧିକ୍ ସେ ସନ୍ତାନ, ରୋଗୀଣା ମା’କୁ ମରଣ ମୁହଁକୁ ଠେଲିଦେଲା ପରିବାର

author img

By

Published : Sep 20, 2021, 2:13 PM IST

ଅସୁସ୍ଥ ବୃଦ୍ଧାଙ୍କ ଦୟନୀୟ ଅବସ୍ଥା, ଚିକିତ୍ସା ପରିବର୍ତ୍ତେ ଜଙ୍ଗଲେ ଏକାକୀ ଛାଡ଼ିଲେ ପରିବାର

ବନ୍ୟଜନ୍ତୁ ଘେରା ଜଙ୍ଗଲରେ ଏକାକୀ କଇଁ କଇଁ ହୋଇ କାନ୍ଦୁଛନ୍ତି ବୃଦ୍ଧା । କାରଣ ଅସୁସ୍ଥ ବୃଦ୍ଧାଙ୍କୁ ଚିକିତ୍ସା କରାଇବା ପରିବର୍ତ୍ତେ ପରିବାର ଲୋକେ ଏକ ପାଲଟଣା ଘରେ ଜଙ୍ଗଲରେ ଛାଡ଼ି ଚାଲିଯାଇଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ବରଗଡ଼: ୧୦ମାସ ୧୦ ଦିନ ଲେଖାଏଁ ଗର୍ଭରେ ଧାରଣ କରି ଏ ମା’ ଜନ୍ମ ଦେଇଥିଲା ୫ ପିଲା । ଭାବିଥିଲା ବୟସର ଅପରାହ୍ନରେ ନିଜ ଲୋକଙ୍କ ଗହଣରେ ହସିଖୁସି ଜୀବନଟା କଟିଯିବ । ନିଜେ ନଖାଇ ପିଲାଙ୍କ ପେଟ ବୁଝେ, ଅସୁସ୍ଥ ହେଲେ ରାତିରାତି ଅନିଦ୍ରା ରହି ଯେଉଁ ପିଲା ପାଖେ ଜଗିବସିଥାଏ ଆଜି ସେହି ପିଲା ବଡ ହୋଇ ଭୁଲାଯାଇଛନ୍ତି ମଣିଷ ପଣିଆ, ସେ ରକ୍ତ ସମ୍ପର୍କ । ବୃଦ୍ଧା ବୟସରେ ଶରୀରରେ ଘା’ ଯୋଗୁଁ ଜନ୍ମକଲା ମା’କୁ ମରିବାକୁ ଜଙ୍ଗଲରେ ଛାଡିଦେଲେ ପିଲାଏ । ଅସୁସ୍ଥ ବୃଦ୍ଧାଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଇବା ପରିବର୍ତ୍ତେ ପରିବାର ବନ୍ୟଜନ୍ତୁଙ୍କ କବଳରେ ଏକ କୁଡିଆ ଘରେ ଛାଡ଼ି ଚାଲିଯାଇଥିବା ଦେଖିବାକୁ ମିଳିଛି । ଦିନରାତି ଏକାକୀ ଲଗାଣ ବର୍ଷାରେ ଘଞ୍ଚ ଜଙ୍ଗଲ ଭିତରେ 15 ଦିନ ଧରି ଜୀବନ ଏବଂ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି ବୃଦ୍ଧା । ତେବେ ଏଭଳି ଘୃଣ୍ୟ, ନିନ୍ଦନୀୟ ଘଟଣା ଜିଲ୍ଲାର ଅତାବିରା ଥାନା ଘନଘାଟି ଗ୍ରାମରେ ଦେଖିବାକୁ ମିଳିଛି ।

ଅସୁସ୍ଥ ବୃଦ୍ଧାଙ୍କ ଦୟନୀୟ ଅବସ୍ଥା, ଚିକିତ୍ସା ପରିବର୍ତ୍ତେ ଜଙ୍ଗଲେ ଏକାକୀ ଛାଡ଼ିଲେ ପରିବାର

80 ବର୍ଷର ବୃଦ୍ଧା କୌଶଲ୍ୟା ବେହେରା ଦୁଇ ପୁଅ ଓ 3 ଝିଅଙ୍କୁ ଜନ୍ମ ଦେବା ପରେ ମଧ୍ୟ ଆଜି ଅସହାୟ ହୋଇପଡିଛନ୍ତି । ଝିଅ ମାନେ ବିବାହ କରିସାରିଥିବା ବେଳେ ବଡ ପୁଅର ମୃତ୍ୟୁ ହୋଇସାରିଛି । ବର୍ତ୍ତମାନ ପରିବାର କହିଲେ କୌଶଲ୍ୟାଙ୍କ ସ୍ଵାମୀ ସହିତ ଘରେ ସାନ ପୁଅ, ବଡ ବୋହୂ ଓ ନାତି ନାତୁଣୀ । କିଛି ଦିନ ତଳେ କୌଶଲ୍ୟାଙ୍କ ମୁଣ୍ଡରେ ଘରଛାତ ସହିତ ପୁରା ପରିବାର ରହିଥିଲା ମାତ୍ର ଆଜି କୌଶଲ୍ୟାଙ୍କୁ ଏକାକୀ କରିଦେଇଛି ସେହି ପରିବାର । ବାରପାହାଡ ଜଙ୍ଗଲ ଭିତରେ ଜରିପାଳର ଘର କରି ବୃଦ୍ଧାଙ୍କୁ ଏକାକୀ ଛାଡି ଚାଲିଯାଇଛନ୍ତି ପରିବାର ଲୋକେ । ଏହି ଜଙ୍ଗଲରେ ବାଘ ଓ ଭାଲୁ ପରି ବନ୍ୟଜନ୍ତୁ ସହିତ ବିଷକ୍ତ ସାପ ଭରିରହିଛନ୍ତି । ତେବେ ବୃଦ୍ଧାଙ୍କ ମୁଣ୍ଡରେ ଘା' ହୋଇ ପୋକ ହୋଇଯାଇଥିବା ସହିତ ହାତରେ ଧଳା ଦାଗ ଦେଖାଯାଇଥିଲା । ଫଳରେ ଘନାପାଲୀ ଗ୍ରାମବାସୀ କୌଶଲ୍ୟାଙ୍କୁ ଅନ୍ୟତ୍ର ସ୍ଥାନରେ ରଖିବାକୁ ବାଧ୍ୟ କରିଥିଲେ ।

ଏହାସହିତ ଗ୍ରାମବାସୀ ଏହି ପରିବାରକୁ ଗ୍ରାମରୁ ବାସନ୍ଦ କରିଥିଲେ ଏବଂ ବୃଦ୍ଧାଙ୍କୁ ଜଙ୍ଗଲରେ ଛାଡିବା ପରେ ଭୋଜି ଭାତର ଆସର କରାଯିବା ପରେ ପୁଣି ଜାତି ଲୋକେ ସେମାନଙ୍କ ସହିତ ମିଶିଥିଲେ । ପରିବାର ଲୋକେ ମଧ୍ୟ ଗ୍ରାମବାସୀଙ୍କ ହୀନ ମାନସିକତାକୁ ସମର୍ଥନ କରି ବୃଦ୍ଧାଙ୍କୁ ଜଙ୍ଗଲ ଭିତରେ ଛାଡ଼ି ଦେଇଥିଲେ । ଲଗାତାର ଲାଗିରହିଥିବା ବର୍ଷାରେ ମଧ୍ୟ ବୃଦ୍ଧା ଜଣକ ଜଙ୍ଗଲ ଭିତରେ ଏକାକୀ 15 ଦିନ ରହିଥିଲେ । ତେବେ ଏ ସମ୍ପର୍କରେ କୌଣସି ମତେ ସେବା ସଂସ୍ଥା ବରଗଡର ସଂକଳ୍ପ ପରିବାର ନିକଟକୁ ଖବର ପହଞ୍ଚିଥିଲା । ତେବେ ସଂକଳ୍ପ ପରିବାର ଏପରି ଏକ ସମ୍ବେଦନଶୀଳ ଘଟଣାର ଖବର ପାଇବା ମାତ୍ରେ ଘଟଣା ସ୍ଥଳକୁ ପହଞ୍ଚି ଆମ୍ବୁଲାନ୍ସ ଡକାଇ ଜଙ୍ଗଲ ଭିତରୁ ବୃଦ୍ଧଙ୍କୁ ଉଦ୍ଧାର କରିଥିଲେ ।

ଦୀର୍ଘ 2 କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧାଙ୍କୁ ଷ୍ଟ୍ରେଚର ସାହାଯ୍ୟରେ ଜଙ୍ଗଲରୁ ବୋହିକି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ ଏହାର ସଦସ୍ୟ । ପରେ ଘନାମାଳଠାରେ ରହୁଥିବା ବୃଦ୍ଧାଙ୍କ ସାନପୁଅ ଧନମାଳି ବେହେରାଙ୍କ ପରିବାର ଲୋକଙ୍କୁ ସଂସ୍ଥାର ସଦସ୍ୟ ବୁଝାସୁଝା କରିଥିଲେ । ବୃଦ୍ଧାଙ୍କ ଚିକିତ୍ସା ପାଇଁ ହସ୍ପିଟାଲକୁ ସାଙ୍ଗରେ ଯିବାକୁ ମଧ୍ୟ ବୁଝାଇଥିଲେ । ମାତ୍ର ତାଙ୍କ ପରିବାରର ବଡ ବୋହୂ କିମ୍ବା ନାତୁଣୀ କେହି ମଧ୍ୟ ସାଙ୍ଗରେ ଯିବାକୁ ରାଜି ହୋଇନଥିଲେ । ଶେଷରେ କୌଶଲ୍ୟାଙ୍କ ସାନପୁଅ ଆମ୍ବୁଲାନ୍ସରେ ଖେଦାପାଳି ସ୍ଥିତ ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ । ସେପଟେ ସଂକଳ୍ପ ପରିବାର ଘଞ୍ଚ ଜଙ୍ଗଲ ଭିତରୁ ବୃଦ୍ଧାଙ୍କୁ ଭୟାବହ ମୃତ୍ୟୁରୁ ଉଦ୍ଧାର କରିଥିବା ବେଳେ 80 ବର୍ଷ ବୟସରେ ନୂତନ ଜୀବନ ପାଇପାରିଛନ୍ତି ବୃଦ୍ଧା ଜଣକ। ସଂକଳ୍ପ ପରିବାରର ଏପରି ନିଃସ୍ବାର୍ଥପର ଓ ମହତ ସେବାକୁ ବରଗଡ଼ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.