ଏକତାର ପର୍ବ ନୂଆଁଖାଇ, ବରଗଡ଼ରେ ଧୁମଧାମରେ ପାଳିତ

author img

By

Published : Sep 1, 2022, 7:59 PM IST

ଏକତାର ପର୍ବ ନୂଆଁଖାଇ, ବରଗଡ଼ରେ ଧୁମଧାମରେ ପାଳିତ

ଆଜି ହେଉଛି ପଶ୍ଚିମ ଓଡ଼ିଶାର ଗଣପର୍ବ ତଥା ଏକତାର ପର୍ବ ନୂଆଁଖାଇ । ଏହାକୁ ବରଗଡ଼ରେ ଧୁମଧାମରେ ପାଳନ କରାଯାଇଛି । ଅଧିକ ପଢନ୍ତୁ

ବରଗଡ଼: ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ସାରା ପଶ୍ଚିମାଞ୍ଚଳରେ ଏହି ଏକତାର ଗଣପର୍ବ ନୂଆଁଖାଇ ପାଳନ କରାଯାଉଥିବାବେଳେ, ବରଗଡରେ ମଧ୍ୟ ଧୁମଧାମରେ ପାଳନ କରାଯାଉଛି । ପ୍ରଥମେ ଦେବୀ ମା' ସମଲେଶ୍ବରୀଙ୍କ ଠାରେ ନବାନ୍ନ ଲାଗି ହେଲା ପରେ ଜନସାଧାରଣ ନବାନ୍ନ ଭକ୍ଷଣ କରିଛନ୍ତି । ଗତକାଲି ୩୧ ତାରିଖ ନିଶାର୍ଦ୍ଧ ପରେ ଏବଂ ଆଜି ୧ ତାରିଖ ପାହାନ୍ତିଆ ପୂର୍ବରୁ ମା' ସମଲେଇଙ୍କ ପୀଠରେ ନବାନ୍ନ ଲାଗି ହୋଇଥିଲା ।

ଏକତାର ପର୍ବ ନୂଆଁଖାଇ, ବରଗଡ଼ରେ ଧୁମଧାମରେ ପାଳିତ

ନୂଆଁଖାଇ ପାଇଁ ସମଲେଶ୍ବରୀ ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ସହ ନୀତିକାନ୍ତି ଅନୁଷ୍ଠିତ ହୋଇଯାଇଛି । ଆଜି ଭାଦ୍ରବ ଶୁକ୍ଳ ଋଷି ପଞ୍ଚମୀ ସିଂହ ୧୬ ଦିନ ସ୍ଵାତୀ ନକ୍ଷତ୍ରେ ତୁଳ ଚନ୍ଦ୍ରେ, ତୁଳ (ଚର) ଲଗ୍ନେ ମାହେନ୍ଦ୍ର ବେଳାରେ ପୂର୍ବାହ୍ନ ୧୦.୩୩ ଗତେ ୧୧.୦୮ ମଧ୍ୟେ ଜନସାଧାରଣ ନିଜ ନିଜ ଇଷ୍ଟ ଦେବାଦେବୀଙ୍କ ଠାରେ ନବାନ୍ନ ଭୋଗ ଲାଗି କରିବା ସହ ନବାନ୍ନ ଭକ୍ଷଣ କରିଥିଲେ ।

ଏହା ବି ପଢନ୍ତୁ- ଏକାଠି ବସି ସଭିଁଏ ନୂଆ ଖାଇବେ, ସମସ୍ତ ପ୍ରସ୍ତୁତି ଶେଷ

ବହୁ ଭକ୍ତ ଓ ଶ୍ରଦ୍ଧାଳୁ ଦେବୀ ମା'ଙ୍କ ଦର୍ଶନ କରିବା ସହ ନବାନ୍ନ ଅର୍ପଣ କରି ନିଜ ଘରେ ନିଜର ଇଷ୍ଟ ଦେବା ଦେବୀଙ୍କ ପୂଜାର୍ଚ୍ଚନା କରିବା ପରେ ନୂଆଁଖାଇ ପାଳନ କରିଥିଲେ । ନୂଆଁଖାଇ ଅବସରରେ ଆଜି ଘରେ ଘରେ ପିଠାପଣା ଆସର ଜମିଛି । ଯିଏ ଯେଉଁଠି ଥାଉ ନା କାହିଁକି ନୂଆଁଖାଇ ପାଇଁ ସମସ୍ତେ ନିଜ ପରିବାରକୁ ଫେରିଛନ୍ତି ଏବଂ ଏକତ୍ରିତ ହୋଇ ନୂଆଁଖାଇ ପାଳନ କରିଛନ୍ତି l ନୂଆ ଉତ୍ପାଦିତ ଶସ୍ୟକୁ ଇଷ୍ଟ ଦେବୀଙ୍କ ଠାରେ ଭୋଗ ଲଗାଇ ବିଭିନ୍ନ ପିଠାପଣା, ଖିରୀ, ପୁରୀ ଆଦି ରୋଷେଇ କରି ପୂଜା କରିବା ପରେ ଘରର ମୁଖିଆ ପରିବାରର ଅନ୍ୟ ସଦସ୍ୟ ମାନଙ୍କୁ ନବାନ୍ନ ପ୍ରଦାନ କରିଥାନ୍ତି ।

ନବାନ୍ନ ସେବନ କରିବା ପରେ ଛୋଟ ମାନେ ବଡ଼ ମାନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ପ୍ରାପ୍ତ କରିଥାନ୍ତି । ପରେ ପାଖ ପଡ଼ୋଶୀ ନିକଟକୁ ଯାଇ ଭେଟଘାଟ ହୋଇ ନୂଆଁଖାଇ ଜୁହାର କରିଥାନ୍ତି । ପରିବାର ଭିତରେ ହେଉ ବା ପାଖ ପଡ଼ୋଶୀ କାହାରି ସହିତ ରହିଥିବା ପୁରୁଣା ମନୋମାଳିନ୍ୟକୁ ଭୁଲି ଆଜିର ଏହି ନୂଆଁଖାଇରେ ସମସ୍ତେ ଏକ ହୋଇଯାନ୍ତି । ତେଣୁ ଏହି ନୂଆଁଖାଇ ଗଣପର୍ବକୁ ଏକତାର ପର୍ବ କୁହାଯାଏ । ପଶ୍ଚିମ ଓଡ଼ିଶାବାସୀ ଏହି ଅବସରରେ ନୂଆ ଖାଇ ନୂଆଁଖାଇ ତିହାରକୁ ଧୁମଧାମରେ ପାଳନ କରିଛନ୍ତି ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.