Dhanu Yatra: ମଥୁରାରେ ରଙ୍ଗସଭା, ଗୋପପୁରରେ ଗୋପୀଙ୍କ ବସ୍ତ୍ରହରଣ

author img

By

Published : Jan 3, 2023, 9:27 AM IST

bargarh dhanu yatra

ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଷଷ୍ଠ ଦିନରେ ମଥୁରାରେ ରଙ୍ଗସଭା ଆୟୋଜିତ ହୋଇଥିଲା । ଅନ୍ୟପଟେ ଗୋପାଙ୍ଗନାଙ୍କ ବସ୍ତ୍ରହରଣ ଦୃଶ୍ୟ ଅଭିନୀତ ହୋଇଛି । ଅଧିକ ପଢ଼ନ୍ତୁ

ମଥୁରାରେ ରଙ୍ଗସଭା
Dhanu Yatra

ବରଗଡ଼: ବିଶ୍ୱ ପ୍ରସିଦ୍ଧ ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାର ଷଷ୍ଠ ଦିନ ଥିଲା ଅତି ରୋମାଞ୍ଚଭରା । ମଥୁରା ନରେଶ ମହାରାଜ କଂସଙ୍କୁ ବିବ୍ରତ କରି ପକାଉଛି ସେଇ ଦୈବବାଣୀ । "ତତେ ମାରିବ ଯିଏ ଗୋପରେ ବଢ଼ୁଛି ସିଏ" । ଏହାପରେ ମହାରାଜ କଂସ ଭଣଜା କୃଷ୍ଣଙ୍କୁ ମାରିବା ପାଇଁ ରଚିଛନ୍ତି ଷଢ଼ଯନ୍ତ୍ର ଏବଂ ଆୟୋଜନ କରିଛନ୍ତି ରଙ୍ଗସଭା । ପାତ୍ରମନ୍ତ୍ରୀଙ୍କ ସହ ଆଲୋଚନା କରି ଏହି ରଙ୍ଗ ସଭା ଆୟୋଜନ କରିଛନ୍ତି କଂସ । ଏଥିରେ ମହାରାଜଙ୍କ ନିମନ୍ତ୍ରଣ ପାଇ ମିତ୍ରପକ୍ଷ ରାଜ୍ୟର ବହୁ ରାଜା ମଥୁରା ରାଜ ଦରବାରକୁ ଆସିଛନ୍ତି ।

ମଗଧ ରାଜା ଜରାସନ୍ଧଙ୍କ ସହ ଶିଶୁପାଲ , ନରକାସୁର, ପରି ବଡ଼ ବଡ଼ ଯୋଦ୍ଧା ମହାରାଜ କଂସଙ୍କୁ ଆଶ୍ୱାସନା ଦେଇଛନ୍ତି । କୃଷ୍ଣଙ୍କୁ ମାରିବା ପାଇଁ ପ୍ରେରିତ ହୋଇଥିବା ରାକ୍ଷସ ଗୋପପୁରରେ ଶ୍ରୀକୃଷ୍ଣଙ୍କ ହାତରେ ଗୋଟିଏ ପରେ ଗୋଟିଏ ନିହତ ହେବା ଖବର କଂସଙ୍କୁ ଚିନ୍ତାରେ ପକାଇ ଦେଇଛି । ଭଣଜାକୁ କଳେ ବଳେ କୌଶଳେ ମାରିବାକୁ ସେ ଯୋଜନା କରିଛନ୍ତି । ପଡ଼ୋଶୀ ରାଜ୍ୟର ରାଜାମାନେ କଂସଙ୍କୁ ଆଶ୍ୱାସନା ଦେବା ସହ କୃଷ୍ଣଙ୍କୁ ମାରିବାକୁ ପ୍ରତିଶୃତି ଦେଇଛନ୍ତି । ଏମାନଙ୍କ ଆଶ୍ୱାସନାରେ ଉତଫୁଲ୍ଲିତ ହୋଇ ମହାରାଜ କଂସ ରାଜ ଦରବାରରେ ନୃତ୍ୟଗୀତର ଆୟୋଜନ କରିଛନ୍ତି । କୃଷ୍ଣଙ୍କୁ ପରାସ୍ତ ନକରି ଛଳନାରେ ମଥୁରା ନିମନ୍ତ୍ରଣ କରିବା ପ୍ରସ୍ତାବ ଦେବା ପରେ ଧନୁଯାତ୍ରା ଆୟୋଜନ ପାଇଁ ପରିଷଦ ବର୍ଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଛଳନାର ଧନୁଯାତ୍ରାରେ କୃଷ୍ଣ ଏବଂ ବଳରାମ ଦୁଇ ଭାଇଙ୍କୁ ମଲ୍ଲ ଯୁଦ୍ଧରେ ହତ୍ୟା କରିବାର ଯୋଜନା କରିଛନ୍ତି ।

ଧନୁଯାତ୍ରାର ଅନ୍ୟତମ ଆକର୍ଷଣ ଗୋପପୁରରେ କୃଷ୍ଣଲୀଳା ଅଭିନୀତ ହୋଇଛି । ଗୋପପୁରରେ ଭଗବାନ ଶ୍ରୀକୃଷ୍ଣଙ୍କ ରାସଲୀଳା ଓ ଗୋପୀ ଗୋପାଙ୍ଗନାଙ୍କ ବସ୍ତ୍ରହରଣ ଦୃଶ୍ୟ ଦେଖିବାକୁ ମିଳିଥିଲା । ଗୋପୀଙ୍କ ବସ୍ତ୍ରହରଣ ଓ ଶ୍ରୀକୃଷ୍ଣଙ୍କ ବାଣୀ ଜନମାନସରେ କୃଷ୍ଣପ୍ରେମ ଓ କୃଷ୍ଣ ଚେତନା ଭରିଦେଇଥିଲା । ଗୋପପୁରରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ରାସଲୀଳା ଲାଗିଥିବା ବେଳେ ଗୋପୀ ଯମୁନା ପାରି ହୋଇ ମଥୁରାକୁ ଦହି ବିକିବାକୁ ଯାଉଛନ୍ତି । ଏହି ସମୟରେ ଗୋପୀ ଓ ରାଧାଙ୍କ ସହ କୃଷ୍ଣ ନୃତ୍ୟ ଗୀତରେ ବେଶ ମସଗୁଲ ହୋଇଯାଇଥିଲେ । ଯମୁନା ନଈରେ ଗୋପୀମାନେ ବିବସନ ହୋଇ ସ୍ନାନ କରୁଥିବା ବେଳେ ସେମାନଙ୍କ ବସ୍ତ୍ରହରଣ କରିଛନ୍ତି ନଟବର କୃଷ୍ଣ । ପରେ ଗୋପୀମାନେ ବହୁ କାକୁତି ମିନତି ହୋଇ କୃଷ୍ଣଙ୍କୁ ନିବେଦନ କରିବାପରେ ସେ ଗୋପୀଙ୍କ ବସ୍ତ୍ର ଫେରାଇ ଦେଇ ଏପରି ନକରିବାକୁ ଉପଦେଶ ଦେଇଥିଲେ ।

୧୧ ଦିନ ଧରି ଚାଲିଥିବା ଧନୁଯାତ୍ରାର ପ୍ରମୁଖ ଭାଗ ହେଉଛି ଗୋପପୁର ଅମ୍ବାପାଲିରେ ହେଉଥିବା କୃଷ୍ଣଲୀଳା । ଦ୍ୱାପର ଯୁଗର ସେଇ ପୁରାଣ ବଣ୍ଣିତ କୃଷ୍ଣଲୀଳାକୁ ଅଭିନୟ ମାଧ୍ୟରେ ପ୍ରଦର୍ଶିତ କରାଯାଇଥାଏ । ଏଠାରେ ଲୋକଙ୍କ ଶ୍ରଦ୍ଧା, ପ୍ରଭୁଙ୍କ ପ୍ରତି ପ୍ରେମ ଓ ଆସ୍ଥାର ଝଲକ ଦେଖିବାକୁ ମିଳିଥାଏ । ଧରାପୃଷ୍ଠରେ ଶ୍ରୀକୃଷ୍ଣଙ୍କ ବାଣୀ ଜନମାନସରେ କୃଷ୍ଣପ୍ରେମ ଓ କୃଷ୍ଣ ଚେତନା ଆହୁରି ରୁଧିମନ୍ଥ କରିଥାଏ, ଆଉ ଟାଣି ଆଣି ଥାଏ ଦୂର ଦୁରାନ୍ତରୁ ଅନେକ କୃଷ୍ଣପ୍ରେମୀଙ୍କୁ । ବରଗଡ଼ର ଏହି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାରେ ଶ୍ରୀକୃଷ୍ଣଙ୍କୁ ଦେଖିବା ଓ ତାଙ୍କ ବିଷୟରେ ଜାଣିବାକୁ ମିଳୁଥିବାରୁ ଏହା କୃଷ୍ଣଚେତାନକୁ ଆହୁରି ବଳିୟାନ କରୁଛି ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.