ରାତି ପାହିଲେ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା, ଶେଷ ହୋଇଛି ସମସ୍ତ ପ୍ରସ୍ତୁତି

author img

By

Published : Dec 26, 2022, 10:28 PM IST

Updated : Dec 26, 2022, 10:36 PM IST

ରାତି ପାହିଲେ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା

ଆସନ୍ତାକାଲିଠାରୁ ବିଶ୍ବର ସର୍ବବୃହତ ଖୋଲା ରଙ୍ଗମଞ୍ଚରେ ଏଗାର ଦିନ ଧରି ଚାଲିବ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା । ଦୀର୍ଘ ଦୁଇ ବର୍ଷ ପରେ ପୁଣି ଥରେ ଶୁଣିବାକୁ ମିଳିବ କଂସର ଅଟ୍ଟହାସ୍ୟ । ଅଧିକ ପଢନ୍ତୁ

ରାତି ପାହିଲେ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା, ଶେଷ ହୋଇଛି ସମସ୍ତ ପ୍ରସ୍ତୁତି

ବରଗଡ: ଭାରତ ସ୍ୱାଧୀନତାର ସ୍ମୃତି ବହନ କରୁଥିବା ବରଗଡ଼ର ଏହି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଆସନ୍ତାକାଲିଠୁ ଆରମ୍ଭ ହେବ । ତେବେ ହୀରକ ଜୟନ୍ତୀ ପାଳନ କରୁଥିବା ବିଶ୍ୱର ସର୍ବବୃହତ ଖୋଲା ରଂଗମଂଚ ଭାବେ ପରିଚିତ ବରଗଡ଼ ଧନୁଯାତ୍ରା ଏବର୍ଷ 75ବର୍ଷ ପୂର୍ତ୍ତି ଅବସରରେ ହୀରକ ଜୟନ୍ତୀ ପାଳନ କରିବାକୁ ଯାଉଥିବା ବେଳେ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳୁଛି । ଆସନ୍ତାକାଲିଠାରୁ ଜାନୁୟାରୀ 6 ତାରିଖ 2023 ପର୍ଯ୍ୟନ୍ତ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ଅନୁଷ୍ଠିତ ହେବ ।

ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଞ୍ଚିଛି । ସେପଟେ ଦୁଇ ବର୍ଷ କରୋନା ପାଇଁ ବନ୍ଦ ରହିଥିବା ଧନୁଯାତ୍ରା ପାଇଁ ଲୋକଙ୍କଠାରେ ବେଶ ଉତ୍କଣ୍ଠା ଦେଖିବାକୁ ମିଳିଛି । ବିଶ୍ବର ସର୍ବବୃହତ ଖୋଲା ରଙ୍ଗମଞ୍ଚରେ ଏଗାର ଦିନ ଧରି ଚାଲିବ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା । ଏଥିପାଇଁ ମଥୁରାରେ ଓଟ ହାତୀ ପହଁଞ୍ଚିଛନ୍ତି । ବରଗଡବାସୀଙ୍କ ଦୀର୍ଘ ଦୁଇ ବର୍ଷର ଅପେକ୍ଷାର ଅନ୍ତ ଘଟିବ । ମଥୁରା ପାଲଟିଛି ବରଗଡ ସହର, ଅମ୍ବାପାଲି ପାଲଟିଛି ଗୋପପୁର । ପ୍ରଶାସନ ପକ୍ଷରୁ ହୋଇଥିବା ସାଜସଜ୍ଜା ବରଗଡ ସହରରେ ଏକ ଭକ୍ତିଭାବମୟ ପରିବେଶ ସୃଷ୍ଟି କରିଛି । ପ୍ରଜା ଦେଖିବେ ମହାରାଜ କଂସଙ୍କ ରାଜୁତି । ଗୋପାଙ୍ଗନାଙ୍କ ସହିତ କୃଷ୍ଣଙ୍କ ଲୀଳା । ଏଥିପାଇଁ ମଥୁରା ଓ ଗୋପପୁରରେ ପ୍ରବଳ ଜନସମାଗମ ଘଟିଛି ।

କଂସ ରାଜାଙ୍କ ଦରବାରକୁ ରଙ୍ଗବେରଙ୍ଗର ଆଲୋକମାଳାରେ ସୁସଜ୍ଜିତ କରାଯାଇଛି । ସେପଟେ ମଥୁରାରେ କୃଷ୍ଣଙ୍କ ଲୀଳା ଦେଖିବାକୁ ଆବେଗ ଭରା ହୋଇ ଚାହିଁ ରହିଛନ୍ତି ବରଗଡବାସୀ । ଏଥର ଯାକଜକମରେ ଧନୁଯାତ୍ରା ଆୟୋଜନ କରିବାକୁ ଯୋଜନା କରିଛି ଧନୁଯାତ୍ରା ମହୋତ୍ସବ ସମିତି । ଦୀର୍ଘ ଦୁଇ ବର୍ଷ ପରେ ପୁଣି ଥରେ ଶୁଣିବାକୁ ମିଳିବ କଂସର ଅଟ୍ଟହାସ୍ୟା । ଧନୁଯାତ୍ରା କେବଳ ରାଜ୍ୟ ନୁହେଁ ଦେଶ ଓ ବିଦେଶରେବି ଖ୍ୟାତି ଅର୍ଜନ କରିଛି । ଏଥିପାଇଁ ଏହି ଦିନରେ ରାଜ୍ୟ ବାହାରୁ ଭକ୍ତ ମଧ୍ୟ ଏଠାକୁ ଆସିଥାନ୍ତି । ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଅନ୍ୟପଟେ ପ୍ରଶାସନିକ ସ୍ତରରେ ମଧ୍ୟ ଦର୍ଶକମାନଙ୍କୁ ଆକୃଷ୍ଟ କରିବା ଦିଗରେ ବେଶ ତତ୍ପରତା ପ୍ରକାଶ ପାଇଛି । ତେବେ ରାଜ୍ୟ ତଥା ରାଜ୍ୟ ବାହାର ସଙ୍ଗୀତ ନୃତ୍ୟ ଦଳଗୁଡିକ ଧନୁଯାତ୍ରାରେ ଅଂଶଗ୍ରହଣ କରି ନିଜର କଳା ପ୍ରଦର୍ଶନ କରିବେ । ଆହୁରି ଲେଜର ଶୋ ଦ୍ବାରା ଦର୍ଶକଙ୍କ ମନ ମୋହିବା ଦିଗରେ ପଦକ୍ଷେପ ନିଆଯାଉଥିବା ବେଳେ ପ୍ରବେଶ ଗେଟ୍‌ ସଜେଇବା ପାଇଁ ବିରାଟ ତୋରଣ ସବୁ ପ୍ରସ୍ତୁତ କରାଯାଉଥିବା ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ କହିଛନ୍ତି । ତେବେ ମୀନାବଜାର ସାଙ୍ଗକୁ ରଙ୍ଗୀନ ଆଲୋକର ଶଯ୍ୟାରେ ଆଉ ଦିନ କେତେଟା ପରେ ସଜେଇ ହେବ ବରଗଡ଼ ଓ ଅମ୍ବାପାଲି । ଏହା ଦେଖିବାକୁ ଅଞ୍ଚଳବାସୀ ତଥା ବରଗଡ଼ ଜିଲ୍ଲାବାସୀ ଚାତକ ପରି ଚାହିଁ ବସିଛନ୍ତି ।

ତେବେ ଚଳିତ ବର୍ଷ ଉନ୍ନତ ଧରଣର କଳା ପ୍ରଦର୍ଶନ ପାଇଁ ଦକ୍ଷ କଳାକାରମାନଙ୍କର ଅଡିସନ ଚାଲିଥିଲା । ଧନୁଯାତ୍ରାର ମୁଖ୍ୟ ଆକର୍ଷଣ ପାଲଟିଥିବା କଂସ ଭୂମିକାରେ ଅଭିନୟ ପାଇଁ 56 ଜଣ କଳାକାର ମାନଙ୍କର ଅଡିସନ ହୋଇଥିଲା । ସଭିଁଙ୍କୁ ପଛରେ ପକାଇ ହୃଷୀକେଶ ଭୋଇ କଂସ ଭାବେ ଚୟନ ହୋଇଥିଲେ । ହୃଷୀକେଶ ଭୋଇଙ୍କ ନିଆରା ଅଭିନୟ ପାଇଁ ବିଶ୍ଵ ଦରବାରରେ କଂସ ଭୂମିକା ପାଇଁ ପୁଣି ଥରେ ସେ ସୁଯୋଗ ପାଇଛନ୍ତି ।

ଇଟିଭି ଭାରତ, ବରଗଡ

Last Updated :Dec 26, 2022, 10:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.