ସ୍କୁଲରେ ମଦ ନିଶାରେ ମାତାଲ ପ୍ରଧାନ ଶିକ୍ଷକ, ଖୁବଶୀଘ୍ର ବିଭାଗୀୟ କାର୍ଯ୍ୟାନୁଷ୍ଠାନ !

author img

By

Published : Nov 30, 2022, 8:52 PM IST

Updated : Nov 30, 2022, 10:55 PM IST

ସ୍କୁଲରେ ମଦ ନିଶାରେ ପ୍ରଧାନ ଶିକ୍ଷକ, ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଖୁବଶୀଘ୍ର

ସ୍କୁଲରେ ମଦ ନିଶାରେ ପ୍ରଧାନ ଶିକ୍ଷକ । ଖବର ପାଇ ଏବିଇଓ ପହଞ୍ଚି ତଦନ୍ତ କରିଥିବା ବେଳେ ପ୍ରଧାନ ଶିକ୍ଷକଙ୍କୁ କାର୍ଯ୍ୟରୁ ନିଲମ୍ବନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଅଧିକ ପଢନ୍ତୁ

ବାଲେଶ୍ବର: ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମ ଉନ୍ନତମାନର କରିବା ସହ ପିଲାମାନେ କିପରି ଭଲ ଭାବରେ ଅଧ୍ୟୟନ କରିପାରିବେ ସେଥିପାଇଁ ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଆସୁଛନ୍ତି । ଅନ୍ୟପଟେ ଶିକ୍ଷକ ଶିକ୍ଷୟିତ୍ରୀମାନେ କିଭଳି ଛାତ୍ରଛାତ୍ରୀଙ୍କୁ ଭଲ ପାଠ ପଢ଼ାଇବେ ସେଥିପାଇଁ ବିଭିନ୍ନ ପ୍ରକାର ସରକାରୀ ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି । ମାତ୍ର ଶିକ୍ଷାଦାନ ପ୍ରକ୍ରିୟାରେ ଅନେକ କିଛି ବ୍ୟତିକ୍ରମ ଦେଖିବାକୁ ମିଳିଛି । ସେମିତି ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ସୋମନାଥପୁର ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ନିଜେ ମାତାଲ ହୋଇ ସ୍କୁଲ ଅଫିସ ଭିତରେ ଶୋଇ ରହିବା ଶିକ୍ଷକଙ୍କ ପ୍ରତି ଅପମାନ ସୂଚକ ବାର୍ତ୍ତା ଦେଉଛି ।

ସ୍କୁଲରେ ମଦ ନିଶାରେ ମାତାଲ ପ୍ରଧାନ ଶିକ୍ଷକ

ସୂଚନା ମୁତାବକ, ପ୍ରଧାନ ଶିକ୍ଷକ କରୁଣାକର ସିଂ ପ୍ରତ୍ୟେକ ଦିନ ମଦ ପିଇ ସ୍କୁଲକୁ ଆସୁଥିବାବେଳେ ମଦ ନିଶାରେ କେତେବେଳେ ବାଟରେ ପଡି ରହନ୍ତି ତ କେତେବେଳେ ସ୍କୁଲରେ ପହଞ୍ଚି ଅଫିସରେ ଶୋଇପଡନ୍ତି । ପିଲାମାନଙ୍କୁ ପାଠ ପଢ଼ାଇବା ପରିବର୍ତ୍ତେ ସେମାନଙ୍କୁ ଗାଳି କରନ୍ତି ଏବଂ ତା ସହିତ ତାଙ୍କ ଇଚ୍ଛା ଅନୁସାରେ ପାଠ ପଢ଼ାନ୍ତି । ଏ ବାବଦରେ ଗ୍ରାମବାସୀମାନେ ବାରମ୍ବାର ସିମୁଳିଆ ବ୍ଲକ ଶିକ୍ଷାଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ପ୍ରଧାନ ଶିକ୍ଷକଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ।

ତେବେ ସେମିତି ପ୍ରଧାନ ଶିକ୍ଷକ କରୁଣାକର ସିଂ ବୁଧବାର ମଦ ପିଇ 10.15 ମିନିଟରେ ସ୍କୁଲକୁ ଆସି ସିଧା ଅଫିସରେ ସପ ପକାଇ ଶୋଇପଡ଼ିଥିଲେ । ସ୍କୁଲରେ କୌଣସି ରୋଷେଇ ସରଞ୍ଜାମ ନ ଥିବାରୁ ରୋଷେୟା ପିଲାଙ୍କ ପାଇଁ କଣ ରନ୍ଧା ଯିବ ବୋଲି ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ ସେ ରୋଷେଇ ସରଞ୍ଜାମ ଆଣିବାକୁ ଭୁଲି ଯାଇଛନ୍ତି ବୋଲି କହି ନିଶାରେ ଶୋଇପଡ଼ିଥିଲେ । ବିଦ୍ୟାଳୟରେ ରୋଷେଇ ହୋଇନଥିବା ବେଳେ ଗ୍ରାମବାସୀମାନେ ଦୋକାନରୁ ବିସ୍କୁଟ କିଣି ପିଲାମାନଙ୍କୁ ଖାଇବାକୁ ଦେଇଥିଲେ ।

ଅନ୍ୟପଟେ ରୋଷେୟାଙ୍କ କହିବା ଅନୁଯାୟୀ, ପ୍ରଧାନ ଶିକ୍ଷକଙ୍କ ଅବହେଳା ଯୋଗୁଁ ପିଲାମାନଙ୍କ ପାଇଁ କେଉଁ ଦିନ ରନ୍ଧା ହେଉଛି ତ କେଉଁ ଦିନ ରନ୍ଧା ଯାଉନି । ପ୍ରଧାନ ଶିକ୍ଷକ ମଦ ନିଶାରେ ଅଫିସରେ ଶୋଇପଡ଼ିଥିବା ବେଳେ ଏହାର ସୁଯୋଗ ନେଇ ସ୍କୁଲରେ ପଢ଼ୁଥିବା ସମସ୍ତ ଛାତ୍ରଛାତ୍ରୀ ଏଣେ ତେଣେ ବୁଲୁଥିବାର ଗାଁ ଲୋକମାନେ ଦେଖିବାକୁ ପାଇଥିଲେ । ଏନେଇ ତତକ୍ଷଣାତ ଏବିଇଓଙ୍କୁ ଖବର ମଧ୍ୟ ଦେଇଥିଲେ । ଏନେଇ ଖବର ପାଇ ଏବିଇଓ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ବେଳେ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି ।

ଇଟିଭି ଭାରତ, ବାଲେଶ୍ୱର

Last Updated :Nov 30, 2022, 10:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.