କୋମାରେ ଭେଣ୍ଡିଆ ପୁଅ, ଭିକ ମାଗୁଛନ୍ତି ବାପା-ମାଆ

author img

By

Published : Sep 22, 2021, 2:08 PM IST

କୋମାରେ ଭେଣ୍ଡିଆ ପୁଅ, ଭିକ ମାଗୁଛନ୍ତି ବାପା-ମାଆ

ପୁଅର ଜୀବନ ପାଇଁ ବାର ଦୁଆର ବୁଲି ବୁଲି ଭିକ ମାଗୁଛନ୍ତି ଜଣେ ବୃଦ୍ଧ ଦମ୍ପତି । ସଡକ ଦୁର୍ଘଟଣା ପରେ ପୁଅ କୋମାକୁ ଚାଲିଯାଇଛି । ବର୍ତ୍ତମାନ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ସରକାରୀ ସହାୟତା ପାଇଁ ଆକୁଳ ନିବେଦନ । ଅଧିକ ପଢନ୍ତୁ...

ବାଲେଶ୍ବର: କୁହାଯାଏ ଦୁଃଖ ଯେତେବେଳେ ଆସେ ଭାଇ ଭଉଣୀକୁ ସାଙ୍ଗରେ ନେଇ ଆସେ । ସେମିତି ଏକ ପରିବାର ଉପରେ ଏବେ ଦୁଃଖର ପାହାଡ଼ ଲଦି ହୋଇଯାଇଛି । ସଡ଼କ ଦୁର୍ଘଟଣାର ଶିକାର ହେବାପରେ ପୁଅର ଜୀବନ ବଞ୍ଚାଇବା ପାଇଁ ବାପା-ମାଆ ସର୍ବସ୍ବାନ୍ତ ହେବାପରେ ଏବେ ଭିକ୍ଷାବୃତ୍ତିକୁ ଆପଣେଇ ନେଇଛନ୍ତି । ଆମ ପୁଅକୁ ବଞ୍ଚାଇ ଦିଅ, ତାକୁ ଭଲ କରିଦିଅ ବୋଲି ଠାକୁର, ମହାଦେବ ଠୁ ଆରମ୍ଭ କରି କାହିଁ କେତେ ବଡ ବଡିଆଙ୍କ ନିକଟରେ ମୀନତି କରୁଛନ୍ତି ଜଣେ ବୃଦ୍ଧ ଦମ୍ପତି । ଏପରିକି ପୁଅ ପାଇଁ ମଧ୍ୟ ବାର ଦୂଆର ବୁଲି ଭିକ ମାଗୁଛନ୍ତି ଏହି ଅସହାୟ ବାପା-ମାଆ ।

କୋମାରେ ଭେଣ୍ଡିଆ ପୁଅ, ଭିକ ମାଗୁଛନ୍ତି ବାପା-ମାଆ


ଏପରି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ବରୁଣଗଡିଆ ପଞ୍ଚାୟତର ବଡଗଡିଆ ଗ୍ରାମରେ । ଗ୍ରାମର ସୃଷ୍ଟିଧର ବେହେରାଙ୍କ ପୁଅ ଭବେଶ । କଲେଜ ପାଠ ସାରି ବାପାଙ୍କୁ ଘର କାମରେ ସାହାଯ୍ୟ କରୁଥିଲେ । ଘରୁ କ୍ଷୀର ନେଇ ଗାଁ ଗାଁ ବୁଲି ବିକ୍ରି କରନ୍ତି । ସବୁଦିନ ପରି ଗତ ଅଗଷ୍ଟ ମାସ ୧୩ ତାରିଖରେ ମଧ୍ୟ କ୍ଷୀର ବିକ୍ରି କରିବାକୁ ଯାଇଥିଲେ ଭବେଶ । ହେଲେ ୬୦ ନମ୍ବର ଜାତୀୟ ରାଜପଥରେ ଜଗିଥିଲା କାଳ । ହଠାତ୍ ବିପରୀତ ଦିଗରୁ ଆସୁଥିବା ଏକ କାର୍ ମାଡି ଯାଇଥିଲା ଭବେଶଙ୍କ ଉପରେ ।

ଗୁରୁତର ଅବସ୍ଥାରେ ପ୍ରଥମେ ବସ୍ତା ପରେ ବାଲେଶ୍ବର ମେଡିକାଲ୍ ତା ପରେ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବିଭିନ୍ନ ଅସ୍ତ୍ରୋପଚାର ପରେବି ଭବେଶ ଏବେ କୋମାରେ । ଜିଇଁ ଥାଉ ଥାଉ ମୃତ୍ୟୁର ସଜା କାଟୁଛି ପୁଅ । ଏପରି ସ୍ଥିତି ଦେଖି କଉ ବାପା-ମାଆ ବି ସଯ୍ୟ କରିପାରିବ । ଶେଷରେ ବାଧ୍ୟ ହୋଇ ପୁଅର ଦୁର୍ଘଟଣା ସମୟର ଫଟୋ ଧରି ଭିଗ ମାଗୁଛନ୍ତି ଏହି ବୃଦ୍ଧ ଦମ୍ପତି ।

ବର୍ତ୍ତମାନ ସୁଦ୍ଧା ୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ବି ସ୍ୱାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସିନାହିଁ ଭବେଶଙ୍କର । ଡ଼ାକ୍ତରଙ୍କ ପରାମର୍ଶ ଅନୁସାରେ ଆହୁରି ପ୍ରାୟ ୭ ଲକ୍ଷ ଟଙ୍କା ଆବଶ୍ୟକ । ତେବେ ଭବେଶଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର । ସମ୍ବଳ କହିଲେ, ନିଜର ଏକ ଝାଟିମାଟି ଏଜବେଷ୍ଟ ଘର ଓ ମାତ୍ର ୧୫ ଡ଼ିସିମିଲ ଚାଷ ଜମି । ଚାଷ ଜମି ଓ ଗାଈ ଗୋରୁ ବିକ୍ରି କିରିବା ସହିତ ସାଇ ପଡିଶା ଓ ବନ୍ଧୁବାନ୍ଧବଙ୍କ ଠାରୁ ଲକ୍ଷାଧିକ ଟଙ୍କା ଧାର କରଜ କରିବା ପରେ ନିରାଶ ହୋଇ ଭିକ୍ଷାବୃତ୍ତିକୁ ଆପଣେଇଛନ୍ତି ।

ଅନ୍ୟପଟେ ଡାକ୍ତର କହିଛନ୍ତି ଅଧିକ ଚିକିତ୍ସା କଲେ ପୁଅ ଭଲ ହୋଇଯିବ, ସେଥିପାଇଁ ଆଉ ୭ ଲକ୍ଷ ଆବଶ୍ୟକ । ତେବେ ଚିକିତ୍ସା ପାଇଁ ସର୍ବଶ୍ବ ହରାଇଥିବା ଏହି ବୃଦ୍ଧ ଦମ୍ପତି ଏବେ ତଳି ତଳାନ୍ତ । ପାଖରେ ଦି ଓଳି ଦାନା ପାଇଁ ବି ସମ୍ବଳ ନାହିଁ । ଏତେ ଟଙ୍କା କେଉଁଠୁ ଆଣିବେ । ଯଦି ସରକାର ଭବେଶଙ୍କ ଚିକିତ୍ସା ପାଇଁ ସାହାଯ୍ୟରେ ହାତ ବଢାନ୍ତେ ତେବେ ସେ ନୂଆ ଜୀବନ ପାଇପାରନ୍ତେ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.