ସରକାରୀ ଯୋଜନାରେ ବ୍ୟତିକ୍ରମ, ଭିନ୍ନକ୍ଷମ ଭତ୍ତା ପାଇଁ ହନ୍ତସନ୍ତ

ସରକାରୀ ଯୋଜନାରେ ବ୍ୟତିକ୍ରମ, ଭିନ୍ନକ୍ଷମ ଭତ୍ତା ପାଇଁ ହନ୍ତସନ୍ତ
ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅଧିନ ସିମୁଳିପାଳ ଅଞ୍ଚଳର ଦିବ୍ୟାଙ୍ଗ ରବୀନ୍ଦ୍ର ଜେନାଙ୍କ ପାଖରେ ପହଞ୍ଚିପାରିନି ସରକାରୀ ଯୋଜନା । ଅଧିକ ପଢନ୍ତୁ
ବାଲେଶ୍ବର: ରାଜ୍ୟଠାରୁ କେନ୍ଦ୍ର ଯାଏଁ ମାଳମାଳ ସରକାରୀ ଯୋଜନା ପ୍ରଣୟନ କରାଯାଉଛି । ସାଧାରଣ ଲୋକଙ୍କ ଠାରେ ସମସ୍ତ ସରକାରୀ ଯୋଜନା କେମିତି ପହଞ୍ଚି ପାରିବ ସେନେଇ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି । ଏହାରି ଭିତରେ କିନ୍ତୁ ଅନେକ ଗରିବ ଓ ଖଟିଖିଆ ମଣିଷଙ୍କ ପାଖରେ ସରକାରୀ ଯୋଜନା ପହଞ୍ଚିବାରେ ବ୍ୟତିକ୍ରମ ହେଉଥିବା ଦେଖିବାକୁ ମିଳୁଛି । ସରକାରୀ ଯୋଜନା କାର୍ଯ୍ୟକାରୀ ଦିଗରେ ଅନେକ ସମୟରେ ସରକାରୀ ବାବୁ ଓ ରାଜନେତାମାନେ ଆଗ୍ରହ ପ୍ରକାଶ କରୁନଥିବା ଯୋଗୁଁ ସାଧାରଣ ଲୋକଟିଏ ଏଥିରୁ ବଞ୍ଚିତ ହେଉଥିବା ଅଭିଯୋଗ ମଧ୍ୟ ଆସିଥାଏ । ଠିକ ସେହିଭଳି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅଧିନ ସିମୁଳିପାଳ ଅଞ୍ଚଳର ଦିବ୍ୟାଙ୍ଗ ରବୀନ୍ଦ୍ର ଜେନାଙ୍କ ପାଖରେ ସରକାରୀ ଯୋଜନା ପହଞ୍ଚି ନଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, 47 ବର୍ଷୀୟ ରବିନ୍ଦ୍ର ଜେନା 80 ପ୍ରତିଶତ ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ଦୀର୍ଘ ୧୧ବର୍ଷ ଧରି ପଞ୍ଚାୟତ ଅଫିସ ରୁ ବ୍ଲକ ଅଫିସ ଦୌଡ଼ିଦୌଡ଼ି ନୟାନ୍ତ ହେଲେଣି । ମାତ୍ର ତାଙ୍କୁ ଏଯାଏଁ ଭିନ୍ନକ୍ଷମ ଭତ୍ତା ମିଳି ପାରିଲା ନାହିଁ । ବାରମ୍ବାର ଗୁହାରି ପରେ ବି ପରିବାର ଚଳାଇବାର କଷ୍ଟ ସାଙ୍ଗକୁ ସରକାରୀ ଯୋଜନା ନ ପହଞ୍ଚିବା ତାଙ୍କ ମେରୁଦଣ୍ଡ ଭାଙ୍ଗି ପକାଇଲାଣି । ସ୍ତ୍ରୀ କନକଲତା ସ୍କୁଲରେ ରୋଷେଇ କରି ଯେଉଁ କିଛି ଟଙ୍କା ପାଉଛନ୍ତି ସେଥିରେ ଘର ଚଳୁଛି । ସେତିକି ଟଙ୍କାରେ ଘର ଚଳାଇବା କେତେ କଷ୍ଟକର ତାହା ବୟାନ କରିବା କଷ୍ଟ ବୋଲି କନକଲତା କହିଛନ୍ତି ।
ସ୍ୱାମୀ ଭିନ୍ନକ୍ଷମ ହୋଇଥିବା ବେଳେ କୌଣସି ପ୍ରକାର ସେ ରୋଜଗାରର ମାଧ୍ୟମ ପାଉ ନାହାଁନ୍ତି । ପରିବାର ଚଳିବା ଓ ରୋଗ ବୈରାଗ ହେଲେ ବାର ଦୁଆର ହାତ ପତେଇବା କେବଳ ଏ ପରିବାରର ଏକମାତ୍ର ଉପାୟ ହୋଇଛି । ଏହି ପରିବାର ନିରକ୍ଷର ସାଙ୍ଗକୁ ବେସାହାରା ହୋଇଥିବା ବେଳେ ଭିନ୍ନକ୍ଷମ ପ୍ରମାଣ ପତ୍ର କେମିତି ତିଆରି କରିବାକୁ ହୁଏ ସେ ବିଷୟରେ ମଧ୍ୟ ଏମାନେ ଜାଣି ନାହାନ୍ତି । ଏହାରି ଭିତରେ ପ୍ରମାଣ ପତ୍ର ବାହାର କରିବା ପାଇଁ ସେ ଚାରି ଆଡ଼େ ଦୌଡ଼ିଦୌଡ଼ି ଶେଷରେ ପ୍ରମାଣ ପତ୍ର ତ ମିଳିଲା ହେଲେ ଭତ୍ତା ଗଣ୍ଡାକ ମିଳିବାରେ ଅସୁବିଧା ଭୋଗୁଛନ୍ତି ରବିନ୍ଦ୍ର ।
ତେବେ ରବିନ୍ଦ୍ରଙ୍କୁ ଯଦି କିଛି ଟା ଭିନ୍ନକ୍ଷମ ଭତ୍ତା ମିଳି ଯାଇ ପାରନ୍ତା ତେବେ ପରିବାର ଚଳାଇବାରେ କିଛି ମାତ୍ରାରେ ସହାୟକ ହୋଇ ପାରନ୍ତା । ମାତ୍ର ସରକାରୀ ନିୟମ ଓ ସରକାରୀ ବାବୁ ତଥା ରାଜନେତାଙ୍କ ମନମାନି ପାଇଁ ଏ ପରିବାର ଆଜି ହନ୍ତସନ୍ତ ହେଉଛି । ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ଯାଏଁ ଦୌଡ଼ିବା ପରେ ଶେଷରେ ଏହି ପରିବାର ଜିଲ୍ଲାପାଳଙ୍କୁ ଭେଟି ନିଜର ଦୁଃଖ ଜଣାଇଥିଲେ । ଦୁଇ ପୁଅ ଝିଅଙ୍କୁ ନେଇ ଏହି ଦୁଃଖି ପରିବାର ପାଖରେ ସରକାରୀ ଭତ୍ତା ଓ ଅନ୍ୟ ସରକାରୀ ଯୋଜନା ଟିକକ ପହଞ୍ଚି ପାରିଲେ ବୋଧହୁଏ ଏମାନଙ୍କ ବୋଝ ସାମାନ୍ୟ ହାଲୁକା ହୋଇ ପାରନ୍ତା ।
ଇଟିଭି ଭାରତ, ବାଲେଶ୍ବର
