ସଦର ବ୍ଲକରେ ବ୍ୟାପକ ଅନିୟମିତତା ଅଭିଯୋଗ, ବିଜେପିର ବିକ୍ଷୋଭ

author img

By

Published : Sep 23, 2022, 7:25 PM IST

Updated : Sep 23, 2022, 9:57 PM IST

ସଦର ବ୍ଲକରେ ବ୍ୟାପକ ଅନିୟମିତତା ଅଭିଯୋଗ, ବିଜେପିର ବିକ୍ଷୋଭ

ବାଲେଶ୍ଵର ବ୍ଲକରେ ବ୍ୟାପକ ଅନିୟମିତତା ଅଭିଯୋଗ । ବିରୋଧରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଜେପିର ବିକ୍ଷୋଭ । ଅଧିକ ପଢ଼ନ୍ତୁ

ବାଲେଶ୍ଵର: ବାଲେଶ୍ଵର ସଦର ବ୍ଲକରେ ଚାଲିଛି ମନମୁଖୀ କାର୍ଯ୍ୟ । ବିଡ଼ିଓ ସରକାରୀ ଦଳର ହାତବାରିସୀ ସାଜି ପ୍ରକୃତ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନରେ ଅବହେଳା କରୁଛନ୍ତି । ଏମିତି କିଛି ଅଭିଯୋଗ କରି ବିଜେପି ପକ୍ଷରୁ ସଦର ବ୍ଲକ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସେହିପରି ବନ୍ୟା କ୍ଷୟକ୍ଷତି ଆକଳନରେ ସଦର ବ୍ଲକକୁ ଉପେକ୍ଷିତ କରାଯାଇଥିବା ବିଜେପି ଅଭିଯୋଗ କରିଛି । ଏନେଇ ବାଲେଶ୍ଵର ବ୍ଲକରେ ବିଡ଼ିଓଙ୍କ ମନମୁଖୀ କାର୍ଯ୍ୟ ଚାଲିଥିବା ଅଭିଯୋଗ କରିବା ସହ ୭ ଦଫା ଦାବିରେ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ବିଜେପିର ଅଭିଯୋଗ ଅନୁସାରେ, ଚଳିତ ବର୍ଷ ବନ୍ୟା ଆସିଥିବାବେଳେ ସଦର ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଅନ୍ୟ ୪ଟି ବ୍ଲକକୁ ବନ୍ୟା ପ୍ରଭାବିତ ବ୍ଳକ ଭାବେ ଘୋଷଣା କରାଯାଇଥିବାବେଳେ କ୍ଷୟକ୍ଷତି ଆକଳନ ରିପୋର୍ଟ ଅନୁସାରେ ସଦର ବନ୍ୟା ପ୍ରଭାବିତ ବ୍ଳକ ଘୋଷଣା କରାଗଲା ନାହିଁ । ଏପରିକି ବନ୍ୟା ଯୋଗୁଁ କ୍ଷତି ସହିଥିବା ଲୋକଙ୍କୁ କୌଣସି ସରକାରୀ ସହାୟତା ଯୋଗାଇ ଦିଆଯାଇନାହିଁ । ଏ ସମ୍ପର୍କରେ ପୂର୍ବରୁ ବିଜେପିର ପ୍ରତିନିଧି ଦଳ ଜିଲ୍ଲା ପ୍ରଶାସନ ପାଖରେ ମଧ୍ୟ ଦାବି ରଖିଥିଲେ । କିନ୍ତୁ ଏହାପରେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ କରିଛି ଦଳ ।

ସଦର ବ୍ଲକରେ ବ୍ୟାପକ ଅନିୟମିତତା ଅଭିଯୋଗ, ବିଜେପିର ବିକ୍ଷୋଭ

ସେହିପରି ସଦର ବ୍ଲକରେ ଭତ୍ତା ପ୍ରଦାନରେ ଅନିୟମିତତା ହେଉଥିବା ବିଜେପି ଅଭିଯୋଗ କରିଛି । ବୟସାଧିକ ଓ ପ୍ରକୃତ ହିତାଧିକାରୀ ଭତ୍ତା ପାଉନଥିବାବେଳେ, ଅଳ୍ପ ବୟସର ଲୋକମାନେ ଭତ୍ତା ପାଉଥିବା ଅଭିଯୋଗ ହୋଇଛି । ଏନେଇ ବିଡିଓ ସରକାରୀ ଦଳର ହାତବାରିସୀ ସାଜି ଏଭଳି ଅନିୟମିତତା କରିଥିବା କହିଛି ବିଜେପି । ଏହା ସହିତ ୭ ଦଫା ଦାବି ନେଇ ବିଜେପି ପକ୍ଷରୁ ଆଜି (ଶୁକ୍ରବାର) ସଦର ବ୍ଲକ ସମ୍ମୁଖରେ ରାଜ୍ୟ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଏନେଇ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପସଭାପତି ମାନସ ଦତ୍ତ କହିଛନ୍ତି, "ବାଲେଶ୍ବର ସଦର ବ୍ଲକ ବିଡିଓ ଓ ରାଜ୍ୟ ସରକାରଙ୍କ ଜନ ମାରଣା ନୀତି ଗୁଡ଼ିକ ବିରୋଧରେ ଆଜି ଭାରତୀୟ ଜନତା ପାର୍ଟି ତରଫରୁ ଏହି ଆନ୍ଦୋଳନର ଡାକରା ଦିଆଯାଇଛି । ଗତ ମାସରେ ଆସିଥିବା ଭତ୍ତା ଲିଷ୍ଟରେ ୬୦ ବର୍ଷରୁ କମ ବୟସର ଲୋକମାନଙ୍କର ଭତ୍ତା ହେଇଥିବାବେଳେ, ୭୫-୮୦ ବର୍ଷ ବୟସ୍କ ମାନଙ୍କୁ ଉପେକ୍ଷା କରାଯାଇଛି । ସେହିଭଳି ଜିଲ୍ଲାର ଅନ୍ୟ ୪ ବ୍ଲକକୁ ବନ୍ୟା କ୍ଷତିଗ୍ରସ୍ତ ବ୍ଲକ ଭାବରେ ଘୋଷଣା କରାଯାଇଥିଲେ ମଧ୍ୟ ସଦର ବ୍ଲକକୁ ଘଷଣା କରାଯାଇନାହିଁ ।" ତେବେ ବିଜେପିର ୭ ଦଫା ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଦଳ ଚେତାବନୀ ଦେଇଛି ।

ଇଟିଭି ଭାରତ, ବାଲେଶ୍ବର

Last Updated :Sep 23, 2022, 9:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.