ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା, ଚିକିତ୍ସା ଅବହେଳାରୁ ଶିଶୁକନ୍ୟାର ମୃତ୍ୟୁ ଅଭିଯୋଗ

author img

By

Published : Mar 15, 2023, 9:37 PM IST

ଚିକିତ୍ସା ଅବହେଳାରୁ ଶିଶୁକନ୍ୟାର ମୃତ୍ୟୁ ଅଭିଯୋଗ

ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ୭ ମାସର ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ମେଡିକାଲ ପରିସରରେ କିଛି ସମୟ ଉତ୍ତେଜନା ଲାଗି ରହିଥିଲା । ଅଧିକ ପଢ଼ନ୍ତୁ

ଚିକିତ୍ସା ଅବହେଳାରୁ ଶିଶୁକନ୍ୟାର ମୃତ୍ୟୁ ଅଭିଯୋଗ

ବାଲେଶ୍ବର: ଡାକ୍ତରଙ୍କୁ ଦ୍ଵିତୀୟ ଭଗବାନ ବୋଲି କୁହାଯାଏ । ଅନେକ ସମୟରେ ଦ୍ଵିତୀୟ ଭଗବାନଙ୍କ ଉପରେ ଲୋକମାନଙ୍କ ଅଙ୍ଗୁଳି ଉଠେ ଯେ ସେମାନେ ଠିକ ଭାବେ ଚିକିତ୍ସା କରୁନାହାନ୍ତି ବା ଚିକିତ୍ସାରେ ଅବହେଳା ପାଇଁ ରୋଗୀଙ୍କ ଜୀବନ ଚାଲି ଯାଇଛି । ଏହାରି ଭିତରେ କୌଣସି ଡାକ୍ତର କେବେ ଜଣେ ରୋଗୀଙ୍କ ଜୀବନ ସହ ଖେଳିବା ପାଇଁ ଚାହୁଁନଥିବା ବେଳେ କେଉଁଠି ନା କେଉଁଠି ସାମାନ୍ୟ ଅବହେଳା ବି ମୂଲ୍ୟବାନ ଜୀବନ ଯିବାର କାରଣ ପାଲଟୁଛି । ସେଭଳି ଏକ ଘଟଣା ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ସାମ୍ନାକୁ ଆସିଛି । ଚିକିତ୍ସା ଅବହେଳାରୁ ୭ ମାସର ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

ଅନେକ ଘରୋଇ ନର୍ସିଂହୋମରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଥିବା ବେଳେ କେତେବେଳେ ଟଙ୍କା ପାଇଁ ରୋଗୀଙ୍କ ଚିକିତ୍ସା ବନ୍ଦ କରି ଦିଆଗଲାଣି ତ କେତେବେଳେ ପୁଣି ମୃତଦେହ ହସ୍ପିଟାଲ ଛାଡିବାକୁ ନାରାଜ ହେଉଛନ୍ତି । ତେବେ ସରକାରୀ ହସ୍ପିଟାଲରେ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଥିବା ବେଳେ ଲୋକମାନେ ମଧ୍ୟ ସରକାରୀ ମେଡିକାଲ ଉପରେ ନିର୍ଭର କରୁଛନ୍ତି । ମାତ୍ର ଏଠାରେ ମଧ୍ୟ ବ୍ୟତିକ୍ରମ ଦେଖିବାକୁ ମିଳୁଛି । ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ଜଣେ ୭ ମାସର ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ମେଡିକାଲ ପରିସରରେ କିଛି ସମୟ ଉତ୍ତେଜନା ପ୍ରକାଶ ପାଇଥିଲା ।

ସୂଚନା ଅନୁସାରେ, ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ମାଣିକପୁର ଅଞ୍ଚଳର ଜିତେନ୍ଦ୍ର ଗିରି ୩ ଦିନ ତଳେ ତାଙ୍କର ୭ ମାସର ଶିଶୁକୁ ଆଣି ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟର ଶିଶୁ ବିଭାଗରେ ଭର୍ତ୍ତି କରାଇଥିଲେ । ଶିଶୁ କନ୍ୟାର ଭାଇରାଲ ଜନିତ ରୋଗ କାରଣରୁ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାକୁ ଉତ୍ତମ ଚିକିତ୍ସା ପାଇଁ ଡାକ୍ତରଙ୍କୁ ପରିବାର ଲୋକେ ଅନୁରୋଧ କରିଥିଲେ । ଡାକ୍ତର ଓ ନର୍ସମାନେ ଶିଶୁକନ୍ୟାର ଭେନରେ ଇଞ୍ଜେକ୍ସନ ଦେବାସହ ତାର ଚକିତ୍ସା କରିଥିଲେ । ମାତ୍ର ଗତ ରାତିରେ ଶିଶୁକନ୍ୟାର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ପରିବାର ଲୋକେ ଡାକ୍ତର ଓ ନର୍ସଙ୍କୁ ଏ ବିଷୟରେ ଜଣାଇଥିଲେ ମଧ୍ୟ ସେମାନେ କୌଣସି କଥା ଶୁଣି ନଥିବା ଅଭିଯୋଗ ହୋଇଛି । ସକାଳେ ଶିଶୁକନ୍ୟାଟି ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଭୋଗିବାରୁ ପରିବାର ଲୋକେ ଡାକ୍ତରଙ୍କୁ ଜଣାଇଥିଲେ । କିନ୍ତୁ ତାଙ୍କ କଥା କେହି ଶୁଣି ନଥିବା କହିଛନ୍ତି ପରିବାର ଲୋକେ । ପରବର୍ତ୍ତୀ ସମୟରେ ନର୍ସମାନେ ଆସି ଶିଶୁକନ୍ୟାକୁ ଏକ ଇଞ୍ଜେକ୍ସନ ଦେଇଥିଲେ । ଏହାର ମାତ୍ର କିଛି ସମୟ ପରେ ଶିଶୁକନ୍ୟାଟିର ମୃତ୍ୟୁ ଘଟିଥିଲା ।

ଏହାକୁ ନେଇ ମେଡିକାଲ ପରିସରରେ କିଛି ସମୟ ଉତ୍ତେଜନା ଲାଗି ରହିଥିଲା । ତେବେ ସରକାରୀସ୍ତରରେ ସମସ୍ତ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଥିବାର ଡିଣ୍ଡିମ ପିଟା ଯାଉଥିବା ବେଳେ ଏପରି ଅନେକ ଅବ୍ୟବସ୍ଥା କଥା ବାଲେଶ୍ଵର ମେଡିକାଲରେ ଅନେକ ସମୟରେ ଦେଖିବାକୁ ମିଳୁଛି । ଅନେକ ସମୟରେ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରୁ ରୋଗୀମାନଙ୍କୁ ସାମାନ୍ୟ ରୋଗରେ ସ୍ଥାନାନ୍ତର କରାଯାଉଥିବା ଅଭିଯୋଗ ମଧ୍ୟ ଆସୁଛି । ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟ ଉପରେ ୩ଟି ଜିଲ୍ଲାର ଲୋକମାନେ ନିର୍ଭର କରୁଥିବା ବେଳେ ଏଠାକାର ସ୍ବାସ୍ଥ୍ଯସେବା ଉପରେ ପ୍ରଶ୍ନ ଉଠାଇ ମେଡିକାଲ କ୍ରିୟାନୁଷ୍ଠାନ କମିଟି ଗତ କିଛିଦିନ ତଳେ ମୁହଁରେ କଳାପଟି ବାନ୍ଧି ଧାରଣା ଦେଇଥିଲା । ଏହାପରେ ମଧ୍ୟ ଏଭଳି ବ୍ୟତିକ୍ରମ ପାଇଁ କେଉଁମାନେ ଦାୟୀ ତାହା ଖୋଜି ବାହାର କରିବା ଜିଲ୍ଲା ପ୍ରଶାସନର ଦାୟିତ୍ୱ ବୋଲି ବିଭିନ୍ନ ମହଲରେ ଦାବି ଉଠୁଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.