ବଲାଙ୍ଗୀରରେ ନିଆରା ନୂଆଁଖାଇ, ଏକତ୍ର ପାଳିଲେ ୫ ହଜାର ଗ୍ରାମବାସୀ

author img

By

Published : Sep 12, 2021, 8:55 PM IST

ବଲାଙ୍ଗୀରରେ ନିଆରା ନୂଆଖାଇ,  ଏକତ୍ର ପାଳିଲେ ୫ ହଜାର ଗ୍ରାମବାସୀ

ବଲାଙ୍ଗୀରରେ ଅତି ଉଲ୍ଲାସରେ ପାଳନ ହୋଇଛି ଗଣପର୍ବ ନୂଆଁଖାଇ । ବେଲପଡ଼ା ବ୍ଲକର ଜଳିଆ ଗ୍ରାମରେ ୫ ହଜାର ଗ୍ରାମବାସୀ ଏକତ୍ର ପାଳିଲେ ନୂଆଁଖାଇ, ବାଣ୍ଟିଲେ ଏକତାର ବାର୍ତ୍ତା । ଅଧିକ ପଢନ୍ତୁ...

ବଲାଙ୍ଗୀର: ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ବଲାଙ୍ଗୀରରେ ଅତି ଆନନ୍ଦ ଉଲ୍ଲାସରେ ପାଳିତ ହୋଇଛି। ତେବେ ଏହି ପର୍ବ କେବଳ ନୂଆ ଅନ୍ନ ଗ୍ରହଣ କରିବାରେ ସୀମିତ ନ ଥାଏ ବରଂ ଲୋକଙ୍କୁ ଏକତାର ସୂତ୍ରରେ ମଧ୍ୟ ବାନ୍ଧି ରଖିଥାଏ। ଏହିପରି ଏକ ଉଦାହରଣ ଦେଖିବାକୁ ମିଳିଛି ବଲଙ୍ଗୀର ଜିଲ୍ଲାର ବଲାଙ୍ଗୀର ବେଲପଡ଼ା ବ୍ଲକର ଜଳିଆ ଗ୍ରାମରେ । ଏଠାରେ ଗାଁର ସମସ୍ତ ଲୋକ ଏକତ୍ରିତ ହୋଇ ଏହାକୁ ଦୀର୍ଘ ବର୍ଷ ହେବ ପାଳନ କରି ଆସିବାର ନିଆରା ପରମ୍ପରା ରହିଛି ।

ବଲାଙ୍ଗୀରରେ ନିଆରା ନୂଆଖାଇ, ଏକତ୍ର ପାଳିଲେ ୫ ହଜାର ଗ୍ରାମବାସୀ

ଜଳିଆ ଗ୍ରାମରେ ବସବାସ କରୁଥିବା ୬ ଶହ ପରିବାର ପ୍ରାୟ ପାଞ୍ଚ ହଜାର ଲୋକ ଏକାଠି ଗୋଟିଏ ସ୍ଥାନରେ ଦୀର୍ଘ ବର୍ଷ ହେବ ନୂଆଁଖାଇ ପାଳନ କରି ଆସୁଛନ୍ତି । ଯାହା ତାଙ୍କର ରୀତିନୀତି ଓ ପରମ୍ପରା ବୋଲି ସେମାନେ କହିଥାନ୍ତି । ଯେଉଁଥିରେ ଛୋଟ ବଡ଼ ଧନୀ ଗରିବ ଜାତିଭେଦ ସବୁକୁ ଭୁଲି ଏମାନେ ଏଥର ମଧ୍ୟ ଏକାଠି ନୂଆ ଖାଇଛନ୍ତି ।

ଏଥିପାଇଁ ନୂଆଁଖାଇର ୧୫ଦିନ ପୂର୍ବରୁ ଗାଆଁ ଲୋକେ ପ୍ରସ୍ତୁତି ଆରମ୍ଭ କରିଥାନ୍ତି। ନୂଆ ଶସ୍ୟ ସଂଗ୍ରହ ସହିତ ଚୁରା ଗୁଣ୍ଡ ଓ ପିଠା ପଣା ପ୍ରସ୍ତୁତି ପାଇଁ ମହିଳାମାନେ ଲାଗି ପଡିଥାନ୍ତି। ନୂଆଖାଇ ଦିନ ଗାଆଁର ଗଉଁନ୍ତିଆ ନିଜେ ଲୋକଙ୍କୁ ନବାନ୍ନ ପରସିଥାନ୍ତି। ପରେ ପରସ୍ପରକୁ ନୂଆଁଖାଇ ଜୁହାର ଶୁଭେଚ୍ଛା ଜଣାନ୍ତି ଗ୍ରାମବାସୀ । ତେବେ ଦୀର୍ଘ ବର୍ଷ ଧରି ଏହି ପରମ୍ପରା ପ୍ରଚଳିତ ହୋଇଆସୁଥିବାବେଳେ ପ୍ରତିବର୍ଷ ନୂଆଁଖାଇକୁ ଗ୍ରାମବାସୀ ଅପେକ୍ଷା କରି ରହିଥାନ୍ତି ।

ବଲାଙ୍ଗୀରରୁ ଏସ କେ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.