ତେଲେଙ୍ଗାନାକୁ ହେଉଥିଲା ଦାଦନ ଚାଲାଣ, 44 ଜଣକୁ ଉଦ୍ଧାର କରିଲା ପୋଲିସ

author img

By

Published : Nov 25, 2022, 2:10 PM IST

ଦାଦନ ଚାଲାଣ

ବେଆଇନ ଭାବେ ବଲାଙ୍ଗୀରରୁ ତେଲେଙ୍ଗାନାକୁ ହେଉଥିଲା ଦାଦନ ଚାଲାଣ । ଚଢାଉ କରି 44ଜଣଙ୍କୁ ଉଦ୍ଧାର କରିଲା ବଲାଙ୍ଗୀର ଟାଉନ ଥାନା ପୋଲିସ । ଅଧିକ ପଢନ୍ତୁ

ବଲାଙ୍ଗୀର: ଜିଲ୍ଲାରେ ନାଁ ଧରୁନି ବେଆଇନ ଦାଦନ ଶ୍ରମିକ ଚାଲାଣ । ବଲାଙ୍ଗୀରରୁ ତେଲେଙ୍ଗାନା ଚାଲାଣ ହେଉଥିବା ବେଳେ 44ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ପୋଲିସ । ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୧୪ ଜଣ ନାବାଳକ ଅଛନ୍ତି । ସମସ୍ତଙ୍କ ଘର ବେଲପଡା ଥାନା ରେଙ୍ଗାଳୀ ଗାଁର ବୋଲି ଜଣାଯାଇଛି । ବସ ଯୋଗେ ବଲାଙ୍ଗୀର ଓ ପରେ ଟ୍ରେନରେ ଚାଲାଣ ଯୋଜନା ଥିବା ବେଳେ ବଲାଙ୍ଗୀର ଟାଉନ ପୋଲିସ ଚଢ଼ାଉ କରି ସମସ୍ତଙ୍କୁ ଉଦ୍ଧାର କରିଛି ।

ଦାଦନ ଚାଲାଣ

44 ଜଣ ଉଦ୍ଧାର ଦାଦନଙ୍କ ମଧ୍ୟରେ 14 ଜଣ ଶିଶୁ ଥିବା ବେଳେ 12 ଜଣ ମହିଳା ଓ 18 ଜଣ ପୁରୁଷ ଅଛନ୍ତି । ଏମାନଙ୍କୁ ବେଲପଡା ଦାଦନ ସରଦାର ଟିକେଲାଲ ନାଗ ପରିବାର ପିଛା ଅଗ୍ରୀମ ଚାଳିଶ ହଜାର ଟଙ୍କା ଦେଇ ତେଲେଙ୍ଗାନା ରାଜ୍ୟର କୌଣସି ଏକ ଇଟା ଭାଟିକୁ ନେବାର ଥିଲା । ତେବେ ଉଦ୍ଧାର ହୋଇଥିବା ଶ୍ରମିକମାନେ ତାଙ୍କ ଅଞ୍ଚଳରେ ରୋଜଗାରର କୌଣସି ସୁବିଧା ନ ଥିବା ଯୋଗୁଁ ଏମାନେ ବାଧ୍ୟ ହୋଇ ଦାଦନ ଖଟି ଯିବାକୁ ବାହାରି ଥିଲେ ବୋଲି କହିଛନ୍ତି । ସେହିପରି ଜମିହୀନ ଏହି ଶ୍ରମିକମାନେ ସରକାରୀ ଯୋଜନାରେ କାମ କଲେ ସୁଦ୍ଧା ମାସ ମାସ ଧରି ଟଙ୍କା ପାଉ ନଥିବା ବେଳେ ପେଟ ପାଟଣା ପାଇଁ ସେମାନେ ଏହି ନିଷ୍ପତ୍ତି ନେଇଥିବାର କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ସ୍ବତନ୍ତ୍ର ଡ୍ରାଇଭ୍ ମିଶନରେ 25 ଦାଦନ ଉଦ୍ଧାର

ସେହିପରି ସେମାନେ ପେଟ ପାଟଣା ପାଇଁ ନିଜ ଶିଶୁ ମାନଙ୍କ ଭବିଷ୍ୟତକୁ ମଧ୍ୟ ଅନ୍ଧାରକୁ ଠେଲି ଏହି ଚରମ ପଦକ୍ଷେପ ନେବା ପାଇଁ ବାଧ୍ୟ ବୋଲି କହିଛନ୍ତି । ସେପଟେ ଶ୍ରମ ବିଭାଗ ଉଦ୍ଧାର ସମସ୍ତ ଶ୍ରମିକଙ୍କୁ ତାଙ୍କ ଗାଁ ପଠାଇବାର ବ୍ୟବସ୍ଥା କରୁଥିବା ବେଳେ ଏମାନଙ୍କ ଥଇଥାନ ବ୍ୟବସ୍ଥା ମଧ୍ୟ କରାଯିବ ବୋଲି କହିଛି । ତେବେ ସୂଚନା ଅନୁସାରେ ବଲାଙ୍ଗୀର ପୋଲିସ ଏବେ ମିଶନ ଉଦ୍ଧାର ଡ୍ରାଇଭ ଜରିଆରେ ବେଆଇନ ଦାଦନ ଚାଲାଣ ଉପରେ କଠୋର ପଦକ୍ଷେପ ନେଉଛି । ଯେଉଁଥିରେ ଏଯାବତ 735 ଜଣ ଦାଦନ ଶ୍ରମିକ ଙ୍କୁ ଉଦ୍ଧାର କରିଥିବା ବେଲେ ମୋଟ 63 ଜଣ ଦାଦନ ସର୍ଦ୍ଦାରଙ୍କୁ ଗିରଫ କରିଛି । ସେହିପରି ଏହି କ୍ରମରେ ପୋଲିସ ଆଜି ଯାଏଁ ମୋଟ 41 ଟି ମାମଲା ବିଭିନ୍ନ ଥାନାରେ ରୁଜୁ କରିଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.