ଶହ ଶହ ବର୍ଷ ଧରି ମଜବୁତ ପୁରାତନ କୀର୍ତ୍ତିରାଜି, ନିର୍ମାଣ ଶୈଳୀ ଆପଣାଇଲା ଇନଟାକ୍‌

author img

By

Published : Sep 27, 2022, 9:58 PM IST

ଶହ ଶହ ବର୍ଷ ଧରି ମଜବୁତ ପୁରାତନ କୀର୍ତ୍ତିରାଜି, ନିର୍ମାଣ ଶୈଳୀ ଆପଣାଇଲା ଇନଟାକ୍‌

ଆଜି ବି ଦମ୍ଭ ଭାବେ ଛିଡ଼ା ହୋଇଛି ରାଜା ରାଜୁଡ଼ା ଅମଳର ବିରାଟ ଅଟ୍ଟାଳିକା । ଏହାରି ମଧ୍ୟରେ ଶହ ଶହ ବର୍ଷ ବିତିଲାଣି । ଅନେକ ବାତ୍ୟା, ବର୍ଷାର ମାଡ଼ ଖାଇ ମଧ୍ୟ ମଜବୁତ ରହିଛି ଏହି ପୁରାତନ କୀର୍ତ୍ତିରାଜି । ଯେମିତିକୁ ସେମିତି ରହିଛି । ତେବେ ଏସବୁ ତିଆରି କରିବା ପାଇଁ କଣ ଥିଲା ପଦ୍ଧତି ? କେମିତି ଥିଲା ଐତିହ୍ୟସ୍ଥଳର ନିର୍ମାଣ ଶୈଳୀ ? ମନରେ ଏ ପ୍ରଶ୍ନ ଉଙ୍କିମାରିବା ସ୍ୱାଭାବିକ । ଦେଖନ୍ତୁ ଏହି ରିପୋର୍ଟ

ବଲାଙ୍ଗୀର: ରାଜା ଅମଳରେ ଅର୍ଥାତ ଇଂରେଜ ଆସିବା ପୂର୍ବରୁ ଭାରତରେ ତଥା ଓଡ଼ିଶାରେ ତିଆରି ହୋଇଥିଲା ବଡ ବଡ ଅଟଟାଳିକା ମହଲ । ଯାହା ଏବେ କୀର୍ତ୍ତୀରାଜି ଭାବରେ ଯେମିତିକୁ ସେମିତି ଛିଡା ହୋଇଛି । ବଲାଙ୍ଗୀରରେ ମଧ୍ୟ ଅନେକ କୀର୍ତ୍ତିମାନ ଅଟ୍ଟାଳିକା ରହିଛି । ଶହ ଶହ ବର୍ଷ ପରେ ମଧ୍ୟ ଏହା ଦମ୍ଭ ଭାବେ ଠିଆ ହୋଇଛି । ତେବେ ଏସବୁ ତିଆରି କରିବା ପାଇଁ କଣ ଥିଲା ପଦ୍ଧତି ? କେମିତି ଥିଲା ଆମ ଦେଶର ସେହି ନିର୍ମାଣ ଶୈଳୀ ? ଯାହା ଏବେ ବି ଚର୍ଚ୍ଚାରେ ଥିବା ବେଳେ ଏବେ ବି ତାକୁ ଅନୁସରଣ କରାଯାଉଛି। ବଲାଙ୍ଗୀର ପାଟଣା ମହାରାଜାଙ୍କ ଦ୍ବାରା ସ୍ଥାପିତ ବହୁ ପୁରାତନ ସାହିତ୍ୟ ଓ ସାଂସ୍କୃତିକ କ୍ଳବର ମରାମତି ପାଇଁ ଏହି ପଦ୍ଧତି (Orthodox method of construction) ଆପଣାଇଛି ଇନଟାକ ସଂସ୍ଥା । ପୁରାତନ ପଦ୍ଧତିରେ ସିମେଣ୍ଟ ବ୍ୟବହାର ନହୋଇ ମଧ୍ୟ ଏହା ଦୀର୍ଘସ୍ଥାୟୀ ବୋଲି କହିଛନ୍ତି ସଂସ୍ଥାର ଯନ୍ତ୍ରୀ ।

ଶହ ଶହ ବର୍ଷ ଧରି ମଜବୁତ ପୁରାତନ କୀର୍ତ୍ତିରାଜି, ନିର୍ମାଣ ଶୈଳୀ ଆପଣାଇଲା ଇନଟାକ୍‌

ଆମ ଦେଶରେ ବିଜ୍ଞାନ ଓ ବିଜ୍ଞଙ୍କ ଉପଲବ୍ଧି ସବୁବେଳେ ପୃଥିବୀ ଦେଖି ଆସିଛି । ଏହିଭଳି ରାଜା ଅମଳରେ ଅର୍ଥାତ ଇଂରେଜ ମାନଙ୍କ ଆସିବା ପୂର୍ବଠୁ ଭାରତରେ ଅନେକ ଅଟ୍ଟାଳିକା ଓ ମହଲ ସବୁ ତିଆରି ହୋଇଥିଲା । ଯାହା ଆଜି ବି ଶହ ଶହ ବର୍ଷ ପରେ ମଧ୍ୟ ଯେମିତିକୁ ସେମିତି ଛିଡା ହୋଇଛି । ଏବେ ସେ ସବୁ କୀର୍ତ୍ତିରାଜି ସାଜିଛି । ଏହିଭଳି ଓଡିଶା ତଥା ବଲାଙ୍ଗୀରରେ ମଧ୍ୟ ଅନେକ କୀର୍ତ୍ତିରାଜି ରହିଛି । ଯାହା ଏବେ ବି ସେତେବେଳର ସଂସ୍କୃତି କହି ଆସୁଛି । ୧୬୦୦ରୁ ୧୯୦୦ ମଧ୍ୟରେ ବଲାଙ୍ଗୀରରେ ମଧ୍ୟ ଏଭଳି ଅନେକ କୀର୍ତ୍ତିମାନ ତିଆରି ହୋଇଥିଲା । ଯାହା ଆଜି ବି ସେମିତି ଛିଡା ହୋଇ ଆଜିର ଆଧୁନିକ ଜ୍ଞାନ କୌଶଳକୁ ଖୋଲାଖୋଲି ଆହ୍ୱାନ ଦେଇ ଆସୁଛି ।

ତେବେ ଲୋକଙ୍କ କହିବା ଅନୁସାରେ ପୂର୍ବରୁ ଆମ ଜଙ୍ଗଲରେ ମିଳୁଥିବା ବିଭିନ୍ନ ଫଳ ଓ ଶାମୁକା ଚୂନ ତଥା ବାଲିରେ ତିଆରି ହେଉଥିବା ମିଶ୍ରଣରେ ଏସବୁର ତିଆରି ହୋଇଛି। ବିଶେଷଜ୍ଞଙ୍କ ଅନୁସାରେ ବେଳ, ହରିଡା, ବହାଡ଼ା, ମେଥି, ଗୁଡ଼ ଓ କେନ୍ଦୁକୁ ସଢ଼େଇ ଦିଆଯାଇ ଏକ ସ୍ୱତନ୍ତ୍ର ଅଠା ତିଆରି କରାଯାଉଥିଲା । ସେହିପରି ଏହାକୁ ଶାମୁକାରୁ ତିଆରି ଚୂନ ସହିତ ମିଶ୍ରଣ କରି ବାଲିରୁ ତିଆରି ହେଉଥିଲା ସେ ସମୟର ସିମେଣ୍ଟଠୁ ମଜବୁତ ମିଶ୍ରଣ । ଯାହାକୁ ବ୍ୟବହାର କରି ତିଆରି ହୋଇଥିବା ଘର ମହଲ ଆଜି ବି ଯେମିତିକୁ ସେମିତି ରହିଛି । ତେବେ ବଲାଙ୍ଗୀରରେ ୧୬୦୦ ମସିହାରେ ଚୌହାନ ବଂଶ ରାଜୁତି ଆରମ୍ଭ ହେବା ପରେ ଏଠି ମଧ୍ୟ ୩ଟି ରାଜପ୍ରାସାଦ ପଟଣାଗଡ ଠାରେ ଖମାର, ବଲାଙ୍ଗୀର ପୁରୁଣା ରାଜବାଟିରେ ରାଜାପ୍ରାସାଦ ଇତ୍ୟାଦି ଏହି ପ୍ରକ୍ରିୟାରେ ତିଆରି ହୋଇଥିଲା ।

ଏହା ଛଡ଼ା ଏହି ସମୟରେ ଶତାଧିକ ମନ୍ଦିର ମଠ ମଧ୍ୟ ସମାନ ପ୍ରକ୍ରିୟାରେ ତିଆରି ହୋଇଥିଲା । ଯାହା ଆଜି ବି ଅନେକ ସ୍ଥାନରେ ବ୍ୟବହାର ହେଉଛି । ତେବେ ଏହି ସବୁ ପ୍ରକ୍ରିୟା ତଥା ଜ୍ଞାନକୌଶଳ ଭିନ୍ନ ଓ ପରୀକ୍ଷିତ ଥିଲା । ଯାହାକୁ ଏବେ ବି ଅବଲମ୍ବନ କରାଯିବାର ପ୍ରୟାସ କରିଛି ଓଡିଶା ପର୍ଯ୍ୟଟନ ବିଭାଗ । ତେବେ ବଲାଙ୍ଗୀରରେ ୧୯୨୫ ମସିହାରେ ପାଟଣା ମହାରାଜା ଦ୍ୱାରା ସ୍ଥାପିତ ହୋଇଥିଲା ସାହିତ୍ୟ ଓ ସାଂସ୍କୃତିକ କ୍ଳବ । ଯେଉଁଥିରେ ଓଡ଼ିଶାର ଅନେକ ମହାପୁରୁଷ ମଧ୍ୟ ସଦସ୍ୟ ଥିଲେ । ତେବେ ଏହି କ୍ଳବ ରକ୍ଷାଣବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ହୋଇଥିବା ବେଳେ ନିକଟରେ ସରକାର ଏହାର ଉନ୍ନତି ପାଇଁ ୨ କୋଟି ଟଙ୍କା ଅନୁଦାନ ଦେଇଥିଲେ । ଓଡି଼ଶା ପର୍ଯ୍ୟଟନ ବିଭାଗ ଏହାର କାମକୁ ଇଣ୍ଟାକ ଭାରତୀୟ ଜାତୀୟ କଳା ଓ ସାଂସ୍କୃତିକ ଐତିହ୍ୟ ସଂସ୍ଥାକୁ ଏହାର ମରାମତି କାମ ପ୍ରଦାନ କରିଛି ।

ତେବେ ଏହି ସଂସ୍ଥା ଏହି କ୍ଳବର ଅନୁଧ୍ୟାନ କରିବା ପରେ ସେହି ପୁରୁଣା ପଦ୍ଧତିରେ କାମ କରିବା ଆରମ୍ଭ କରିଛି । ଏ ନେଇ ସଂସ୍ଥାର ଯନ୍ତ୍ରୀ କହିଛନ୍ତି, "ଏହି ପଦ୍ଧତିରେ ସିମେଣ୍ଟର ବ୍ୟବହାର ହେଉନାହିଁ । ତଥାପି ଏହା ମଜବୁତ ଓ ଦୀର୍ଘସ୍ଥାୟୀ । ଏହି ମିଶ୍ରଣ ପ୍ରସ୍ତୁତ ପାଇଁ ଜଙ୍ଗଲରୁ କଞ୍ଚାମାଲ ଅଣାଯାଉଛି । ଏହାପରେ ମିଶ୍ରଣ ପ୍ରସ୍ତୁତ କରାଯାଇ ମରାମତି କାର୍ଯ୍ୟ କରାଯାଉଛି ।" ଯେଉଁଥିରେ ଆଧୁନିକ ସିମେଣ୍ଟର ଵ୍ୟଵହାର କରାଯାଉ ନାହିଁ । ତା ବଦଳରେ ସେହି ପୁରୁଣା ପଦ୍ଧତିରୁ ତିଆରି ମିଶ୍ରଣରେ କାମ କରିବା ଆରମ୍ଭ କରିଛି । ତେବେ ଏଥିପାଇଁ ପୁରୀରୁ ସ୍ୱତନ୍ତ୍ର ଶାମୁକା ଚୂନ ସଂଗ୍ରହ କରାଯାଇଛି । ସମାନ ଭାବରେ ବେଲ, ବାହାଡ଼ା, ଗୁଡ, ହରିଡା, ମେଥି, କେନ୍ଦୁ ସବୁ ପର୍ଯ୍ୟାପ୍ତ ମାତ୍ରାରେ ସଂଗ୍ରହ କରିଛନ୍ତି । ଏହି ସବୁକୁ ପୃଥକ ପୃଥକ ଟାଙ୍କିରେ ସଢ଼େଇବା ପରେ ଉଚିତ ପରିମାଣ ମିଶ୍ରଣ କରି ବାଲି ଓ ଚୂନ ମିଶାଇ ପ୍ରସ୍ତୁତ କରିଛନ୍ତି ସ୍ୱତନ୍ତ୍ର ମିଶ୍ରଣ । ଯାହାକୁ ଏମାନେ ସିମେଣ୍ଟ ଭଳି ବ୍ୟବହାର କରି ମରାମତି କାମ ଆରମ୍ଭ କରିଛନ୍ତି ।

ତେବେ ବୟୋଜ୍ୟେଷ୍ଠ ଲୋକ ତଥା ବିଶେଷଜ୍ଞ ଏହି ମିଶ୍ରଣକୁ ଉତ୍କୃଷ୍ଟ ମାନର ଓ ଏହା ସିମେଣ୍ଟ ଠାରୁ ମଧ୍ୟ ଦୀର୍ଘ ସ୍ଥାୟୀ ବୋଲି କହିଛନ୍ତି । ଯାହାର ଉଦାହାରଣ ଆଜି ବି ଏହି ପଦ୍ଧତ୍ତିରେ ଛିଡା ହୋଇଥିବା ଅନେକ ମହଲ ଓ ଅଟ୍ଟାଳିକା ପ୍ରମାଣ । ସେପଟେ ନିର୍ମାଣକାରୀ ସଂସ୍ଥାରେ ଯନ୍ତ୍ରୀ ମଧ୍ୟ ଏହି ପୁରୁଣା ପଦ୍ଧତିକୁ ଆଜିର ଯୁଗର ସିମେଣ୍ଟ ଠାରୁ ଅଧିକ ଦୀର୍ଘ ସ୍ଥାୟୀ ବୋଲି କହିବା ସହ ଏହା ଅଳ୍ପ ରକ୍ଷାଣବେକ୍ଷଣରେ ମଧ୍ୟ ଯେମିତିକୁ ସେମିତି ରହିବ ବୋଲି କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.