ବଲାଙ୍ଗୀରରେ ବଢୁଛି କର୍କଟ ରୋଗୀଙ୍କ ସଂଖ୍ୟା, କେମୋ ସୁବିଧା ପାଇଁ ଉଠିଲା ଦାବି

author img

By

Published : Dec 4, 2022, 8:42 PM IST

ବଲାଙ୍ଗୀରରେ ବଢୁଛି କର୍କଟ ରୋଗୀଙ୍କ ସଂଖ୍ୟା, କେମୋ ସୁବିଧା ପାଇଁ ଉଠିଲା ଦାବି

ବଲାଙ୍ଗୀରରେ ବଢିବାରେ ଲାଗିଛି କର୍କଟ ରୋଗୀଙ୍କ ସଂଖ୍ୟା । ମୁଖ, ଗଳା, ଫୁସଫୁସ ଭଳି ଅନ୍ୟାନ୍ୟ କର୍କଟ ରୋଗରେ ରୋଗୀ ପୀଡିତ ହେଉଛନ୍ତି । କେମୋ ପାଇଁ ଏଠାକାର ଲୋକେ କଟକ, ଭୁବନେଶ୍ବର ଦୌଡୁଥିବାରୁ ଜିଲ୍ଲାରେ ହିଁ ସମସ୍ତ ସୁବିଧା ଯୋଗାଇ ଦେବାକୁ ସରକାରଙ୍କୁ ଅପିଲ କରିଛନ୍ତି । ସେପଟେ ଆସନ୍ତା ବର୍ଷ ସୁଦ୍ଧା ଜିଲ୍ଲାରେ ଏହି ସୁବିଧା ରୋଗୀ ପାଇବେ ବୋଲି କହିଛନ୍ତି ଆଚାର୍ଯ୍ୟ ହରିହର କର୍କଟ ରୋଗ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଡ. ପ୍ରଫୁଲ୍ଲ କୁମାର ଦାସ । ଦେଖନ୍ତୁ ଏହି ରିପୋର୍ଟ

ବଲାଙ୍ଗୀର: ବଲାଙ୍ଗୀରରେ ବଢୁଛି କର୍କଟ ରୋଗୀଙ୍କ ସଂଖ୍ୟା । ଜିଲ୍ଲାରେ ଚିନ୍ତାଜନକ ଭାବରେ ବଢି ଚାଲିଛି କର୍କଟ ରୋଗୀଙ୍କ ସଂଖ୍ୟା । ଭୀମ ଭୋଇ ମେଡ଼ିକାଲ କଲେଜର ରିପୋର୍ଟ ଅନୁସାରେ ଗତ ୨୦୨୧ରେ ହସ୍ପିଟାଲରେ ୧,୧୩୮ କର୍କଟ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେଥିରେ ମହିଳା ୭୩୯, ପୁରୁଷ ୩୯୮ ଓ ଜଣେ ଶିଶୁ ରୋଗୀ ରହିଥିଲେ । ପୁରୁଷଙ୍କ ଅପେକ୍ଷା ଅଧିକ ମହିଳା କର୍କଟ ରୋଗରେ ପୀଡିତ ହେଉଛନ୍ତି । କର୍କଟ ରୋଗରେ ପୀଡ଼ିତ ହେବା ପରେ ରୋଗୀ ଓ ପରିବାରର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡୁଛି । ସଚେତନତା ଓ ସଠିକ ସମୟରେ ଚିକିତ୍ସା ହିଁ ଏହାର ଏକମାତ୍ର ଉପାୟ ହୋଇଥିବା ବେଳେ ଲୋକଙ୍କ ଚିକିତ୍ସା ପାଇଁ ଏଠି ଆବଶ୍ୟକ ଭିତ୍ତିଭୂମି ଓ ସୁବିଧା ଦାବି କରିଛନ୍ତି ଲୋକେ ।

ବଲାଙ୍ଗୀରରେ ବଢୁଛି କର୍କଟ ରୋଗୀଙ୍କ ସଂଖ୍ୟା, କେମୋ ସୁବିଧା ପାଇଁ ଉଠିଲା ଦାବି

ସାରା ପୃଥିବୀରେ ଏବେ କର୍କଟ ବା କ୍ୟାନ୍ସର ରୋଗ ଓ ରୋଗୀଙ୍କ ସଂଖ୍ୟା ବଢି ବଢି ଚାଲିଛି । ଏଥିରେ ପୃଥିବୀରେ ୧ ଲକ୍ଷ ଲୋକଙ୍କ ମଧ୍ୟରେ ୨୨୦ରୁ ଅଧିକ ଲୋକ ବିଭିନ୍ନ ପ୍ରକାରର କ୍ୟାନ୍ସରରେ ପୀଡିତ ହେଉଛନ୍ତି । ସେହିପରି ଓଡି଼ଶାରେ ମଧ୍ୟ ଲକ୍ଷେ ଲୋକରେ ପାଖାପାଖି ୧୦୦ ଜଣ କ୍ୟାନ୍ସର ରୋଗୀ ଅଛନ୍ତି । ସମାନ ଭାବରେ ବଲାଙ୍ଗୀର ଭଳି ପଛୁଆ ଜିଲ୍ଲାରେ ମଧ୍ୟ ଏହି ସଂଖ୍ୟା ବିଗତ ୫ ବର୍ଷରେ ବଢିଛି । ତେବେ ଯେଉଁଠି ଲୋକଙ୍କୁ ଖାଇବା ଯୋଗାଡ଼ କରିବା କଷ୍ଟକର ହୋଇଥାଏ ସେଠାରେ ଏହି ମାରାତ୍ମକ ରୋଗରେ ପୀଡ଼ିତ ହେବା ପରେ ରୋଗୀ ଓ ପରିବାର ମେରୁଦଣ୍ଡ ଭାଙ୍ଗି ପଡୁଛି । କେବଳ ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ କଲେଜ ଡାକ୍ତରଖାନାର ରିପୋର୍ଟ ଅନୁସାରେ ଏଠି ଗତ ୨୦୨୧ ରେ ଏକ ହଜାର ୧୩୮ ଜଣ କର୍କଟ ରୋଗୀ ଚିହ୍ନଟ ହୋଇଥିଲେ । ଯେଉଁଥିରେ ମହିଳା ରୋଗୀଙ୍କ ସଂଖ୍ୟା ୭୩୯ ଥିବାବେଳେ ୩୯୮ ଜଣ ପୁରୁଷ ଓ ଜଣେ ଶିଶୁ କର୍କଟ ରୋଗରେ ଆକ୍ରାନ୍ତ ଥିବାର ଜଣାପଡିଥିଲା ।

ସେହିପରି ଏଠି କର୍କଟରେ ପୀଡିତ ମହିଳାଙ୍କ ସଂଖ୍ୟା ଅଧିକ ଥିବାର ଚିନ୍ତାର ବିଷୟ ହୋଇଛି । ଏଥିରେ ସ୍ତନ କର୍କଟରେ ପୀଡିତ ମହିଳାଙ୍କ ସଂଖ୍ୟା ୪୫୦ ଥିବା ବେଳେ ଓଭାରି କର୍କଟରେ ୧୦୨ ଜଣ ମହିଳା ପୀଡିତ ଥିବା ସାମ୍ନାକୁ ଆସିଥିଲା । ସମାନ ଭାବରେ ଉଭୟ ମହିଳା ଓ ପୁରୁଷ ଅନ୍ୟ ପ୍ରକାରର କର୍କଟରେ ପୀଡିତ ଥିବାର ମଧ୍ୟ ମାମଲା ସାମ୍ନାକୁ ଆସିଥିଲା । ଯେଉଁଥିରେ ପାକସ୍ଥଳୀ ବା ପେଟ ଜନିତ କର୍କଟର ମୋଟ ୧୪୧ଟି ମାମଲା ଏଠାକୁ ଆସିଥିଲା । ଏହାଛଡା ମୁଖ, ଗଳା, ଫୁସଫୁସ ଭଳି ଅନ୍ୟାନ୍ୟ କର୍କଟ ମାମଲା ମଧ୍ୟ ଅନେକ ସାମ୍ନାକୁ ଆସିଥିଲା । ୨୦୨୧ରେ ଚିହ୍ନଟ ହୋଇଥିବା ମୋଟ ୧୧୩୮ କର୍କଟ ରୋଗୀଙ୍କ ମଧ୍ୟରୁ ଏଠି ୮୧୨ ଜଣ ଚିକିତ୍ସିତ ହୋଇଥିବାର କୁହାଯାଇଛି । ତେବେ ସମାନ ଭାବରେ ଏ ବର୍ଷର ରିପୋର୍ଟ ମଧ୍ୟ ଚକିତ ଓ ଚିନ୍ତାଜନକ ରହିଛି । ଯେଉଁଥିରେ ଚଳିତ ବର୍ଷ ଅକ୍ଟୋବର ମାସ ଶେଷ ଶୁଦ୍ଧା ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ ଡାକ୍ତରଖାନାରେ ବିଭିନ୍ନ ପ୍ରକାରର ମୋଟ ୯୮୭ କର୍କଟ ରୋଗୀଙ୍କ ମାମଲା ସାମନାକୁ ଆସିଛି । ଏଥର ମଧ୍ୟ ମହିଳାଙ୍କ ସଂଖ୍ୟା ଅଧିକ ଥିବା ବେଳେ ଏହାର ସଂଖ୍ୟା ୫୯୨ ରହିଛି ।

ସମାନ ଭାବରେ ସ୍ତନ କର୍କଟ ପୀଡିତ ମହିଳାଙ୍କ ସଂଖ୍ୟା ଏଥିରେ ୩୫୩ ରହିଛି । ସେହିପରି ଏଥର କର୍କଟ ପୀଡିତ ଶିଶୁଙ୍କ ସଂଖ୍ୟା ବୃଦ୍ଧି ପାଇ ୮ଟି ମାମଲା ସାମ୍ନାକୁ ଆସିଛି । ଏହାଛଡା ଏବର୍ଷ ଗଳା, ମୁଖ, ଫୁସଫୁସ, ପାକସ୍ଥଳୀ, ଓଭାରି, ସର୍ଭିକାଲ ଓ ରକ୍ତ କର୍କଟ ସଂଖ୍ୟା ୫୦୦ ରହିଛି । ସେହିପରି ଏ ବର୍ଷ ବଲାଙ୍ଗୀରରେ ୫୮୪ ଜଣ ଚିକିତ୍ସିତ ହେଉଥିବାର ମେଡ଼ିକାଲ କର୍ତ୍ତୃପକ୍ଷ କହିଛନ୍ତି । ତେବେ ଏଠି ବଢି ଚାଲିଥିବା କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ଚିନ୍ତାଜନକ ଥିବା ବେଳେ ଡାକ୍ତର ମଧ୍ୟ ଏହାକୁ ସ୍ୱୀକାର କରିଛନ୍ତି । ଏ ନେଇ ଜାତୀୟ ଅଙ୍କୋଲୋଜି ସର୍ଜରୀ ସମିତିର ସଭାପତି ଡ. ପ୍ରଫୁଲ୍ଲ କୁମାର ଦାସ କହିଛନ୍ତି, "କର୍କଟ ରୋଗ ପୂର୍ବରୁ ମଧ୍ୟ ଥିଲା । ହେଲେ ଏବେ ଏହି ସଂଖ୍ୟା ବଢିବାର କାରଣ ଲୋକେ ସଚେତନ ହୋଇ ଡାକ୍ତରଖାନାକୁ ଆସୁଛନ୍ତି । ଏହା ଦ୍ୱାରା ହସ୍ପିଟାଲରେ କର୍କଟ ରୋଗୀଙ୍କ ଅଧିକ ଚିହ୍ନଟ ହେଉଛନ୍ତି ।" ସେହିପରି ଏଠି ଆହୁରି ସଚେତନ ଆବଶ୍ୟକ ଅଛି ବୋଲି ଏମାନେ କହିଛନ୍ତି । ତେବେ କେବଳ ଲୋକ ନୁହେଁ ବରଂ ଡାକ୍ତରଙ୍କୁ ମଧ୍ୟ ଏହି ରୋଗ ଓ ନୂଆ ଚିକିତ୍ସା ପଦ୍ଧତି ଜାଣିବା ପାଇଁ ପରିଶ୍ରମ କରିବାକୁ ପଡିବ ବୋଲି ଏମାନେ କହିଛନ୍ତି ।

ତେବେ କର୍କଟ ରୋଗ ପାଇଁ ବର୍ତ୍ତମାନ ଚିକିତ୍ସା ଖର୍ଚ୍ଚ ନିହାତି ଭାବରେ ଅଧିକ ରହିଛି । ବଲାଙ୍ଗୀର ଭଳି ଜିଲ୍ଲାର ଗରିବ ଲୋକଙ୍କ ପାଇଁ ଏହି ସବୁ ଚିକିତ୍ସା ସେତେ ସମ୍ଭବ ହୋଇପାରୁ ନାହିଁ । ବିଶେଷ କରି ବଲାଙ୍ଗୀର ଜିଲ୍ଲାରେ କର୍କଟ ରୋଗ ଚିକିତ୍ସା ପାଇଁ ବିଶେଷ ସୁବିଧା ନ ଥିବା ବେଳେ ରୋଗୀ ବାହାର ଜିଲ୍ଲା କିମ୍ବା ରାଜ୍ୟକୁ ଯାଇ ଖର୍ଚ୍ଚାନ୍ତ ହେଉଥିବାର କହିଛନ୍ତି । ଏପରି ଅନେକ ପରିବାର ଜମିବାଡି ଜମା ପୁଞ୍ଜି ସବୁ ଏଥିରେ ହରାଇ ସର୍ବସ୍ୱାନ୍ତ ହେଉଥିବାର କହିଛନ୍ତି । ତେବେ ଜିଲ୍ଲାରେ କର୍କଟ ରୋଗର ଚିକିତ୍ସା ସହିତ ଵିଭିନ୍ନ ପରୀକ୍ଷଣ ହେବାକୁ ଦାବି କରିଛନ୍ତି । ସେପଟେ ବଢିଥିବା କର୍କଟ ରୋଗୀଙ୍କ ସଂଖ୍ୟା ନିହାତି ଚିନ୍ତାର ବିଷୟ ହୋଇଥିବା ବେଳେ ଏହାର କୌଣସି ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ନ ଥିବାର ବିଶେଷଜ୍ଞ କହିଛନ୍ତି । ତେବେ ଶରୀରରେ କୌଣସି ପରିବର୍ତ୍ତନ ଆସିଲେ ତାର କାରଣ ପରୀକ୍ଷା କରାଇ ନେବା ହିଁ ଉଚିତ ବୋଲି ଡାକ୍ତର କହିଛନ୍ତି । ଯାହା ଫଳରେ କର୍କଟ ରୋଗର ସଠିକ ସମୟରେ ଚିହ୍ନଟ ହେଲେ ତାର ଚିକିତ୍ସା ମଧ୍ୟ କମ ବ୍ୟୟରେ ସମ୍ଭବ ହୋଇ ପାରିବ ବୋଲି କହିଛନ୍ତି ବିଶେଷଜ୍ଞ ।

ସେପଟେ ବଲାଙ୍ଗୀର ଭଳି ପଛୁଆ ଅଞ୍ଚଳରେ ବଢୁଥିବା କର୍କଟ ରୋଗୀଙ୍କ ସଂଖ୍ୟା ପାଇଁ ସରକାର ତଥା ବଲାଙ୍ଗୀର ସ୍ୱାସ୍ଥ୍ୟ ବିଭାଗ ଓ ବଲାଙ୍ଗୀର କର୍କଟ ରୋଗ ଚିକିତ୍ସା ବିଭାଗ ନିୟମିର କର୍କଟ ରୋଗ ନିରୂପଣ ଓ ପରାମର୍ଶ ଶିବିର ଆୟୋଜିତ କରି ଆସୁଛି । ଲୋକ ଯେମିତି ଏହାର ଉଚିତ ସମୟରେ ଚିକିତ୍ସା ପାଇବେ ତାହା ପାଇଁ ପ୍ରଚେଷ୍ଟା ଜାରି ରଖିଛି । ସେହପରି ସରକାର ମଧ୍ୟ ବଲାଙ୍ଗୀରରେ ଏକ ସ୍ୱତନ୍ତ୍ର କର୍କଟ ନିରୂପଣ ଓ ଚିକିତ୍ସା ବିଭାଗ ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲରେ ଖୋଲିବାକୁ ଯାଉଛନ୍ତି । ଚାରି ମହଲା ବିଶିଷ୍ଟ ଏହି ବିଭାଗ ଏବେ ନିର୍ମାଣଧୀନ ଥିବା ବେଳେ ଖୁବଶୀଘ୍ର ତାହା ସମ୍ପୂର୍ଣ୍ଣ ହେବ ଓ ଲୋକେ ଏଠି ସବୁ ପ୍ରକାରର ଚିକିତ୍ସା ପାଇବେ ବୋଲି ଆଚାର୍ଯ୍ୟ ହରିହର କ୍ୟାନ୍ସର ଗବେଷଣା କେନ୍ଦ୍ର ନିର୍ଦ୍ଦେଶକ କହିଛନ୍ତି । କର୍କଟ ରୋଗ ବଲାଙ୍ଗୀର ଭଳି ଜିଲ୍ଲାରେ ଏତେ ସଂଖ୍ୟାରେ ବଢିବା ଚିନ୍ତାର ବିଷୟ ନିହାତି । ତେବେ ସଚେତନତା ସାଙ୍ଗକୁ ଏହାର ନିରୂପଣ ଓ ଚିକିତ୍ସା ସୁବିଧା ମଧ୍ୟ ଏବେ ସେତିକି ମାତ୍ରାରେ ଆବଶ୍ୟକ ରହିଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.