ବର୍ଷେ ହେଲାଣି ଶେଷ ହୋଇ ପାରୁନି 8 କିମି ରାସ୍ତା କାମ, 10 ମିନିଟର ରାସ୍ତା ଅତିକ୍ରମ କରିବାକୁ ଲାଗୁଛି ଘଣ୍ଟାଏ

author img

By

Published : Mar 15, 2023, 6:05 PM IST

Updated : Mar 15, 2023, 9:46 PM IST

road problem in balangir

ବଲାଙ୍ଗାର ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜାମ ଗାଁଠାରୁ ଶଙ୍କରଭୋଜି ରାସ୍ତା ଅବସ୍ଥା କହିଲେ ନସରେ । କାମ ଆରମ୍ଭ ହୋଇ ବର୍ଷେ ପୁରିବାକୁ ବସିଥିଲେ ମଧ୍ୟ କାର୍ଯ୍ୟ ସମାପ୍ତ ହୋଇନାହିଁ । ନିମ୍ନମାନର କାମ ହେଉଥିବା ନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଅଧିକ ପଢନ୍ତୁ

10 ମିନିଟର ରାସ୍ତା ଅତିକ୍ରମ କରିବାକୁ ଲାଗୁଛି ଘଣ୍ଟାଏ

ବଲାଙ୍ଗୀର: ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ଚାଲିଥିବା କୋଟିକୋଟି ଟଙ୍କାର ରାସ୍ତା କାମ ଅଧପାନ୍ତରିଆ ହୋଇ ପଡ଼ି ରହିଛି । ଆଠ କିମି ରାସ୍ତା କାମକୁ ବର୍ଷେ ବିତିଥିଲେ ଏଯାଏଁ କାମ ଶେଷ ହୋଇନାହିଁ । ବିଧାନସଭାରେ ଆର୍‌ଡି ବିଭାଗର ଅବହେଳାକୁ ନେଇ ପ୍ରଶ୍ନ ଉଠିବ କହିଲେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ।

ବଲାଙ୍ଗାର ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜାମ ଗାଁଠାରୁ ଶଙ୍କରଭୋଜି ରାସ୍ତା କାମ ଗତବର୍ଷ ଆରମ୍ଭ ହୋଇଥିଲା । ଏହି ରାସ୍ତା ମୋଟ ସାଢେ ୮ କିଲୋମିଟର ଲମ୍ବ ଅଟେ । ରାସ୍ତା ଚଉଡା ପାଇଁ ୬ କୋଟି ୧୨ ଲକ୍ଷ ୧୨ ହଜାର ଟଙ୍କା ଅନୁଦାନ ମିଳିଥିଲା । ୨୦୨୨ ମାର୍ଚ୍ଚ ମାସରୁ ଏହି କାମ ଆରମ୍ଭ ହୋଇଥିବା ବେଳେ ନିୟମ ଅନୁସାରେ ଚଳିତ ବର୍ଷ ଫେବୃଆରୀ ମାସରେ କାମ ସରିବା କଥା । କିନ୍ତୁ ବର୍ଷେ ବିତିଯାଇଥିଲେ ସୁଦ୍ଧା କାମ ଶେଷ ହୋଇପାରି ନାହିଁ । ଯେଉଁ ରାସ୍ତା ଅତିକ୍ରମ କରିବା ପାଇଁ ୧୦ ମିନିଟ ସମୟ ଲାଗିବା କଥା ଏବେ ସେହି ରାସ୍ତା ପାଇଁ ପ୍ରାୟ ଘଣ୍ଟାଏ ସମୟ ଲାଗୁଛି । ସେପଟେ ରାସ୍ତାକୁ ସବୁଠି ଖୋଳି ଦିଆ ଯାଇଥିବାରୁ ଏହି ରାସ୍ତା ଉପରେ ନିର୍ଭର କରୁଥିବା ହଜାରହଜାର ଲୋକ ଓ ଦଶରୁ ଊର୍ଦ୍ଧ୍ବ ଗ୍ରାମ ଏବେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗାଡିଟିଏ ଗଲେ ଧୂଆଁମୟ ହେଉଛି ଅଞ୍ଚଳ । ରାସ୍ତାକଡ ଗଛ, ଘର ଉପରେ ଜମୁଛି ବହଳବହଳ ଧୂଳି ।

ତେବେ ଏନେଇ ଜଣେ ଗ୍ରାମବାସୀ କହିଛନ୍ତି, "ଜାମ ଗାଁଠୁ ଶଙ୍କରଭୋଜି ଗ୍ରାମକୁ ଯାଉଥିବା ଏହି ରାସ୍ତା ଆଗରୁ ପିଚୁ ଥିଲା । ହେଲେ ଏହାର ପ୍ରଶସ୍ତିକରଣ ନାଁରେ ଏହାକୁ ସବୁଠି ଖୋଳି ଦିଆଯାଇଛି । ବର୍ଷେ ହେବ ଏମିତି ଅବସ୍ଥାରେ ଛାଡି ଦିଆଯାଇଛି । ଯାହା ଫଳରେ ଗୋଡି ମାଟି ଉପରେ ଯିବା ଆସିବା ବହୁ କଷ୍ଟକର ହେଉଛି । ଏନେଇ ଅଭିଯୋଗ କଲେ ସୁଦ୍ଧା କୌଣସି ସୁଫଳ ମିଳୁନାହିଁ ।"

ଅନ୍ୟପଟେ ଏହି ଘଟଣାକୁୁ ନେଇ ଲୋଇସିଂହା ବିଧାୟକଙ୍କୁ ପଚାରିବାରୁ ସେ କହିଛନ୍ତି, "ମୁଁ ଏହି ରାସ୍ତାରେ ମୁଁ ସବୁବେଳ ଯିବା ଆସିବା କରେ । ଏହାର କାମ ଅତି ନିମ୍ନ ମାନର ହୋଇଛି । ଏହି ଖବରକୁ ସାମ୍ନାକୁ ଆଣିଥିବାରୁ ମୁଁ ଇଟିଭିକୁ ଧନ୍ୟବାଦ ଦେଉଛି । ଆର୍‌ଡି ବିଭାଗ ଅବହେଳା ଏବଂ ଅନିୟମିତା କରିଛି । ମୁଁ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇବି ।"

ସେପଟେ ଏହାକୁ ନେଇ ବଲାଙ୍ଗୀର ଆରଡି ବିଭାଗ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । କେବେ ଏହି ରାସ୍ତା କାମ ସରିବ ଏବଂ ଏହି ସମସ୍ୟାରୁ ମୁକୁଳିବେ ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ବଲାଙ୍ଗୀର

Last Updated :Mar 15, 2023, 9:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.