ଫସଲ ବୀମା ନେଇ ତେଜୁଛି ଆନ୍ଦୋଳନ, ବଲାଙ୍ଗୀରରେ ଚାଷୀଙ୍କ ରେଳ ରୋକ

author img

By

Published : Sep 26, 2022, 5:06 PM IST

farmers protest Against Receive Crop Insurance at rail line in balangir

ବଲାଙ୍ଗୀରରେ ଚାଷୀଙ୍କ ରେଳ ରୋକ । ବଲାଙ୍ଗୀରରେ ଫସଲ ବୀମାକୁ ନେଇ ଚାଷୀ ଅସନ୍ତୋଷ ତେଜିବାରେ ଲାଗିଛି (Farmer Protest Against Receive Crop Insurance) । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ରେଳ ରୋକ କରିଛନ୍ତି ଶହ ଶହ ଚାଷୀ । ଫଳରେ ଏକାଧିକ ଟ୍ରେନ ବାତିଲ ହୋଇଛି । ଅଧିକ ପଢନ୍ତୁ

ବଲାଙ୍ଗୀର: ବଲାଙ୍ଗୀରରେ ଚାଷୀଙ୍କ ରେଳ ରୋକ । ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶହ ଶହ ଚାଷୀ । କୃଷି ସମସ୍ୟା ଏବଂ ଫସଲ ବୀମାକୁ ନେଇ ଦୀର୍ଘ ଦିନ ଧରି ସରକାରଙ୍କ ପାଖରେ ଦାବି କରି ଆସୁଛନ୍ତି ବଲାଙ୍ଗୀର ଜିଲ୍ଲା ଚାଷୀ । ହେଲେ କୌଣସି ସମାଧାନର ବାଟ ନମିଳିଥିବାରୁ ଜିଲ୍ଲାର ଶହ ଶହ ଚାଷୀ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି । ନିଜ ଦାବିକୁ ନେଇ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରେ ରେଳ ରୋକ ଆନ୍ଦୋଳନ କରିଛନ୍ତି ।

ଫସଲ ବୀମା ନେଇ ତେଜୁଛି ଆନ୍ଦୋଳନ

ସୂଚନା ଅନୁଯାୟୀ, ଆଜି (ସୋମବାର) ସକାଳୁ ବଲାଙ୍ଗୀର ଜିଲ୍ଲା ହରିଶଙ୍କର ରୋଡ ରେଳ ଷ୍ଟେସନ, ଟିଟିଲାଗଡ ଜଙ୍କସନ୍ ରେଳ ଷ୍ଟେସନ ଓ ବଲାଙ୍ଗୀର ଜଙ୍କସନ ରେଳ ଷ୍ଟେସନରେ ରେଳ ରୋକ ଆନ୍ଦୋଳନ କରିଛନ୍ତି ଚାଷୀ । ଏଥିରେ ଜିଲ୍ଲାର ବିଭିନ୍ନ ବ୍ଲକର ଶହ ଶହ ଚାଷୀ ସାମିଲ ହୋଇଛନ୍ତି । ପୂର୍ବରୁ ରାଜ୍ୟ ସରକାର ଚାଷୀଙ୍କୁ ପ୍ରତାରଣା କରିବା ପରେ ଏବେ କେନ୍ଦ୍ର ସରକାର ତାଙ୍କୁ ପ୍ରତାରିତ କରିଥିବାର ଏମାନେ ଅଭିଯୋଗ କରିଛନ୍ତି । ତେବେ ଗତ ବର୍ଷ ବଲାଙ୍ଗୀର ଜିଲ୍ଲାରେ ମରୁଡି ପଡ଼ିଥିବା ବେଳେ ଚାଷୀ ଫସଲ ବୀମା ପାଇଁ ସମସ୍ତେ ପ୍ରିମିୟମ ବାନ୍ଧି ଥିଲେ । ହେଲେ ମରୁଡି ସତ୍ତ୍ବେ ଚାଷୀଙ୍କୁ ଏଯାଏଁ ବୀମା ଟଙ୍କା ପ୍ରଦାନ କରି ନାହାନ୍ତି ବୀମା କମ୍ପାନୀ । ସେହିପରି ସାରା ବିଶ୍ବକୁ ଅନ୍ନ ଯୋଗାଉଥିବା ଚାଷୀ ଏବେ ଅନାହାରରେ ଅଛନ୍ତି, ହେଲେ ସରକାର ଏଥିପ୍ରତି ଦୃଷ୍ଟି ଦେଉନଥିବା ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ବଲାଙ୍ଗୀରରେ ଫସଲ ବୀମାକୁ ନେଇ ଅସନ୍ତୋଷ, ଜାତୀୟ ରାଜପଥ ଅବରୋଧ କଲେ ଚାଷୀ

ଏନେଇ ଚାଷୀ ନେତା କହିଛନ୍ତି, " ଗତ ତିନିମାସ ହେବ ବଲାଙ୍ଗୀର କୃଷକ ମହାସଂଘ ଚାଷୀଙ୍କ ସମସ୍ୟା ପାଇଁ ଆନ୍ଦୋଳନ କରିଆସୁଛି । ପୂର୍ବରୁ 4 ଥର ପ୍ରତିବାଦ କରିସାରିଥିଲେ ମଧ୍ୟ କୌଣସି ସମାଧାନ ନହେବାରୁ ପଞ୍ଚମ ଥର ପାଇଁ ଆନ୍ଦୋଳନକୁ ଓହ୍ଲାଇଛୁ । କେନ୍ଦ୍ର ସରକାରଙ୍କ ବିରୋଧରେ ଏହି ରେଳ ରୋକ ଆନ୍ଦୋଳନ ହୋଇଛି । ଅନିର୍ଦ୍ଧିଷ୍ଟ କାଳ ଯାଏଁ ଆନ୍ଦୋଳନ ଜାରି ରହିବ ।" ବୀମା ପ୍ରାପ୍ୟ ନ ମିଳିଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି ।

ସେପଟେ ରେଳ ରୋକ ଆନ୍ଦୋଳନ ଯୋଗୁଁ ବଲାଙ୍ଗୀର ପଟୁ ଯିବାକୁ ଥିବା ଅନେକ ଟ୍ରେନ ବାତିଲ ହୋଇଛି । ସେହିପରି ରାୟପୁର ବିଶାଖାପାଟଣା ଟ୍ରେନ ଓ ରାଜନଗର ଶିରିଡ଼ି ଟ୍ରେନ ନୂଆପଡ଼ା ଖରିଆର ଠାରେ ଅଟକି ରହିଛି । ଆଗକୁ ଆନ୍ଦୋଳନ ଜାରି ରହିଲେ ଆହୁରି ଟ୍ରେନ ମଧ୍ୟ ବାତିଲ ହେବାର ସମ୍ଭାବନା ରହିଥିବା ରେଳ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ: ଏଯାଏଁ ମିଳିନି ଫସଲ ବୀମା ଟଙ୍କା, ଆନ୍ଦୋଳନ ପାଇଁ ବଲାଙ୍ଗୀର ଚାଷୀଙ୍କ ସଜବାଜ

ସୂଚନା ଥାଉକି, ଫସଲ ବୀମା ସମେତ ବିଭିନ୍ନ ସମସ୍ୟା ନେଇ ବଲାଙ୍ଗୀର ଜିଲ୍ଲା କୃଷକ ମହାସଂଘ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ବଲାଙ୍ଗୀର ଜିଲ୍ଲାର ଚାଷୀଙ୍କ ସମସ୍ୟା ସମାଧାନ ନହେଲେ ଆଗକୁ ବିରାଟ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା । ଏଥିପାଇଁ ୧୦ ଦିନ ମହଲତ ଦେଇଥିଲେ ଚାଷୀ । ତେବେ ସମାଧାନ ନହେବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.