ବଲାଙ୍ଗୀରରେ ପହଞ୍ଚିଲା ଭାରତ ଯୋଡ଼ ଯାତ୍ରା, ମନମାଳିନ୍ୟ ଭୁଲି ଏକାଠି କଂଗ୍ରେସ ନେତା

author img

By

Published : Jan 25, 2023, 10:37 AM IST

bharat jodo yatra in balangi

ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଓଡ଼ିଶାରେ ଆରମ୍ଭ ହୋଇଥିବା ଭାରତ ଯୋଡ଼ ଯାତ୍ରା ବଲାଙ୍ଗୀରରେ ପହଞ୍ଚିଛି । ବଲାଙ୍ଗୀରରେ ଦୁଇ ଗୋଷ୍ଠୀରେ ବିଭାଜିତ ହୋଇଥିବା କଂଗ୍ରେସକୁ ଯୋଡ଼ି ପାରିବ କି ଭାରତ ଯୋଡ଼ ଯାତ୍ରା ? ଅଧିକ ପଢ଼ନ୍ତୁ

ବଲାଙ୍ଗୀରରେ ପହଞ୍ଚିଲା ଭାରତ ଯୋଡ଼ ଯାତ୍ରା

ବଲାଙ୍ଗୀର: ଓଡ଼ିଶା କଂଗ୍ରେସର ଭାରତ ଯୋଡ଼ ଯାତ୍ରା ଆସି ବଲାଙ୍ଗୀରରେ ପହଞ୍ଚିଛି । ଏହି ଅବସରରେ ପଶ୍ଚିମ ଓଡ଼ିଶାର ସବୁ କଂଗ୍ରେସ ବିଧାୟକ ଏକାଠି ହୋଇ ଯାତ୍ରାକୁ ସ୍ବାଗତ କରିଛନ୍ତି । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ଭାରତ ଯୋଡ଼ ଯାତ୍ରା ଜିଲ୍ଲାର ଲୋଇସିଙ୍ଗାଠାରୁ ଆରମ୍ଭ ହୋଇଥିଲା । ପରେ ଏହା ବଲାଙ୍ଗୀର ସହରରେ ପହଞ୍ଚିଥିଲା ।

ଏହି ପରିପ୍ରେକ୍ଷୀରେ ବିଧାୟକ ନରସିଂହ ମିଶ୍ର, ନୂଆପଡା ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀ, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ସହ ଏଆଇସିସି ସଦସ୍ୟ ସୋମେରେନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏମାନଙ୍କ ସହ ଶତାଧିକ କଂଗ୍ରେସକର୍ମୀ ମଧ୍ୟ ଏଥିରେ ସାମିଲ ହୋଇ ଭାରତ ଯୋଡ଼ ଯାତ୍ରାକୁ ସ୍ବାଗତ କରିଥିଲେ । ତେବେ ବଲାଙ୍ଗୀର ଜିଲ୍ଲାରେ କଂଗ୍ରେସର ଦୁଇ ଗୋଷ୍ଠୀଙ୍କ ଦବଦବା ଥିବା ବେଳେ ଏମାନଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦ ଜଳଜଳ ହୋଇ ସାମ୍ନାକୁ ଆସିଥାଏ । ଯେଉଁଥିରେ ଗୋଟିଏ ନରସିଂହ ମିଶ୍ର କଂଗ୍ରେସ ଓ ଅନ୍ୟଟି ଶରତ ପଟ୍ଟନାୟକ କଂଗ୍ରେସ ଗୋଷ୍ଠୀ ଭାବରେ ପରସ୍ପରକୁ ଚେକମେଟ ଦେବା ନୁଆ ନୁହେଁ ।

ଶରତ ପଟ୍ଟନାୟକ କେନ୍ଦ୍ରୀୟ ରାଜନୀତିରେ ନିଜର ଆଧିପତ୍ୟ ରଖିଥିବା ବେଳେ ନରସିଂହ ମିଶ୍ର ରାଜ୍ୟ କଂଗ୍ରେସରେ ତାଙ୍କର ଆଧିପତ୍ୟ ରଖିଛନ୍ତି । ଏମାନଙ୍କର ସମର୍ଥକ ମଧ୍ୟ ଏହିଭଳି ଦୁଇ ଗୋଷ୍ଠୀରେ ଭାଗ ହୋଇ ଏଠି ରାଜନୀତି କରି ଆସୁଛନ୍ତି । ତେବେ କଂଗ୍ରେସ ମଧ୍ୟରେ ଥିବା ଏହି ଅନ୍ତର୍ଦ୍ୱନ୍ଦ୍ୱ ଦଳକୁ ଅନେକ ନିର୍ବାଚନରେ ପଛକୁ ଠେଲିଛି । ଏହାରି ମଧ୍ୟରେ ଅନେକ କଂଗ୍ରେସ ନେତାକର୍ମୀ ବିଜେଡି ଦଳର ମଙ୍ଗ ଧରିଛନ୍ତି । ତେବେ କଂଗ୍ରେସର ଏଭଳି ପରିସ୍ଥିତି ସାରା ପଶ୍ଚିମ ଓଡ଼ିଶାରେ ସମାନ ରହିଛି ଏବଂ ଯାହାର ପରିଣାମ ନିର୍ବାଚନରେ ସାମ୍ନାକୁ ଆସୁଛି ।

ପଶ୍ଚିମ ଓଡ଼ିଶାର 10ଟି ଜିଲ୍ଲାର 35ଟି ବିଧାନସଭା ମଣ୍ଡଳୀରେ ମାତ୍ର 4ଟିରେ କଂଗ୍ରେସ ପ୍ରାର୍ଥୀ ସଫଳ ହୋଇଛନ୍ତି । ସେପଟେ ଏଭଳି ପରିସ୍ଥିତିରେ ଭାରତ ଯୋଡ଼ ଯାତ୍ରା ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବଲାଙ୍ଗୀରରେ ପହଞ୍ଚିଛି । ଏହା ସାରା ପଶ୍ଚିମ ଓଡ଼ିଶା ଭ୍ରମଣ କରିବ । ତେବେ ଯାତ୍ରା କେତେ ଲୋକଙ୍କୁ ଯୋଡୁଛି ତାହା ସମୟ ହିଁ କହିବ । ସେପଟେ ଏହି ଯାତ୍ରାକୁ ନେଇ ନରସିଂହ ମିଶ୍ର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉଦ୍ଦେଶ୍ୟ ଭାରତକୁ ଯୋଡ଼ିବା ବୋଲି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, "ଯେଉଁଥିରେ ଜାତି, ଧର୍ମ, ବେକାରୀ ସମସ୍ୟା, ନାରୀ ନିର୍ଯ୍ୟାତନା ଭଳି ବିଭିନ୍ନ ଉପାୟରେ ଭାରତକୁ ଭାଙ୍ଗିବାର କାମ ଚାଲିଛି । ଏହାକୁ ରୋକିବା ପାଇଁ ଦେଶର ଲୋକଙ୍କୁ ଏକାଠି କରିବା ପାଇଁ ଯାତ୍ରା ହେଉଛି । କାହାର ପ୍ରଭାବ ଅନ୍ୟ ରାଜ୍ୟମାନଙ୍କରେ ପ୍ରତିଫଳିତ ହୋଇଥିବା ବେଳେ ଓଡ଼ିଶାରେ ମଧ୍ୟ ସଫଳ ହେବ ବୋଲି ଆଶା ରଖିଛି କଂଗ୍ରେସ । ବଲାଙ୍ଗୀରରେ ଏହା ବିଶେଷ ସଫଳ ହୋଇଥିବା ବେଳେ ଏଠି ବିଜେପି ଓ RSS ଚିନ୍ତାଧାରାର ଲୋକଙ୍କୁ ଛାଡି ସମସ୍ତେ ଯାତ୍ରାରେ ଜଡିତ ହୋଇଛନ୍ତି ।"

ସମାନ ଭାବରେ କଂଗ୍ରେସରେ ଲାଗି ରହିଥିବା ଗୋଷ୍ଠୀ କନ୍ଦଳ ଉପରେ ପ୍ରଶ୍ନ କରାଯିବାରୁ ସେ କଂଗ୍ରେସରେ ମନମାଳିନ୍ୟ ଅଛି ବୋଲି ସ୍ୱୀକାର କରିଛନ୍ତି । ହେଲେ କଂଗ୍ରେସ ଭାଙ୍ଗି ନାହିଁ ବା ବିଭାଜିତ ହୋଇନଥିବାର ସେ କହିଛନ୍ତି। ସେହିପରି ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଯେମିତି ମନମାଳିନ୍ୟ ରହିଥାଏ କଂଗ୍ରେସରେ ମଧ୍ୟ ଏଭଳି ପରିସ୍ଥିତି ଅଛି । ହେଲେ ଏହି ଯାତ୍ରାରେ ସମସ୍ତେ ଏକାଠି ଥିବାର କହିଛନ୍ତି ନରସିଂହ ମିଶ୍ର । ସେପଟେ କଣ୍ଟାବାଞ୍ଜି ବିଧାୟକ ମଧ୍ୟ ଭାରତ ଯୋଡ଼ ଯାତ୍ରାକୁ ବେଶ ସଫଳ ହୋଇଥିବା କଥା କହିଛନ୍ତି । ସବୁ ଦ୍ଵେଷ ଭୁଲି ନେତା ଏକାଠି ହୋଇଛନ୍ତି । ତେବେ ଆଗକୁ କଂଗ୍ରେସ ବଲାଙ୍ଗୀରର ସବୁ ସିଟରେ ବିଜୟୀ ହେବା ସହ ଲୋକସଭା ନିର୍ବାଚନରେ ମଧ୍ୟ କଂଗ୍ରେସ ଜିତିବ ବୋଲି କହିଛନ୍ତି । ତେବେ ବଲାଙ୍ଗୀର ହେଉ କିମ୍ବା ସାରା ପଶ୍ଚିମ ଓଡ଼ିଶା, କଂଗ୍ରେସ ନେତାଙ୍କୁ ଓ କର୍ମୀଙ୍କୁ ଏହି ଭାରତ ଯୋଡ଼ ଯାତ୍ରା କେତେ ଯୋଡୁଛି ଓ କେତେ ସଫଳତା କଂଗ୍ରେସ ପାଇଁ ଆସୁଛି ତାହା ସମୟ ହିଁ କହିବ ।


ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.